ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସୁରକ୍ଷା ପାଇଁ ଅଟାରୀ-ଓ୍ବାଘା ସୀମାରେ ବିଟିଙ୍ଗ ରିଟ୍ରିଟ୍ ରଦ୍ଦ

ନୂଆଦିଲ୍ଲୀ,୧।୩: ଅଟାରୀ-ଓ୍ବାଘା ସୀମାରେ ଆଜି ସନ୍ଧ୍ୟାରେ ହେବାକୁ ଥିବା ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି। ଅଧିକାରୀମାନେ ଏହି ନିଷ୍ପତ୍ତି ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ନେଇଛନ୍ତି। ୫୮ ଘଣ୍ଟା ପରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ଆଜି ଭାରତକୁ ହସ୍ତାନ୍ତର କରିଛି। ଓ୍ବିଙ୍ଗ କମାଣ୍ଡରଙ୍କୁ ରିସିଭ କରିବାକୁ ବାୟୁସେନାର ବହୁ ଅଧିକାରୀ ଅଟାରୀ ସୀମାରେ ପହଁଞ୍ଚିଥିଲେ। ସେଭଳି ଓ୍ବିଙ୍ଗ କମାଣ୍ଡରଙ୍କୁ ଆସିବା ଖୁସିରେ ବହୁସଂଖ୍ୟାରେ ଲୋକମାନେ ଫୁଲମାଳା ଓ ଢୋଲ-ନଗାଡା ବଜାଇ ତାଙ୍କର ସ୍ବାଗତ କରିଛନ୍ତି।
ଏହା ପୂର୍ବରୁ ୨୦୧୪ରେ ଓ୍ବାଘା ସୀମାରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆତଙ୍କବାଦୀ ଆକ୍ରମଣରେ ୬୧ ଜଣଙ୍କର ମୃତ୍ୟୁହୋଇଥିଲା। ଏହାପରେ ଦୁଇଦେଶ ୩ ଦିନ ପାଇଁ ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମକୁ ରଦ୍ଦ କରିଥିଲେ। କିନ୍ତୁ ଶେଷରେ ପାକିସ୍ତାନ ନିଜ କଥାରୁ ଓହରି ନିଜ ପଟୁ ବିଟିଙ୍ଗ ରିଟ୍ରିଟ୍ କରିଥିଲା। କିନ୍ତୁ ଭାରତ ପାଖରେ ସମୟ ନଥିବାରୁ କରିପାରିନଥିଲା। ଉଲ୍ଳେଖନୀୟ ଯେ, ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଫାଇଟର ଜେଟକୁ ପିଛା କରି ଏଲଓସି ପାର କରି ଚାଲିଯାଇଥିଲେ। ଏହି ସମୟରେ ତାଙ୍କର ଜେଟ୍ ଭାଙ୍ଗିଯାଇଥିଲା। ଏହାପରେ ସେ ପାରାଚୁଟ୍ ଯୋଗେ ଡେଇଁବା ସମୟରେ ପାକିସ୍ତାନ ସୀମାରେ ପଡିଯାଇଥିଲେ। ଯେଉଁଠି ପାକିସ୍ତାନର ଯବାନମାନେ ତାଙ୍କୁ ଗିରଫ କରିନେଇଥିଲେ। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସଂସଦରେ ବିଶେଷ ଅଧିବେଶନ ଡକାଇ ଅଭିନନ୍ଦନଙ୍କୁ ମୁକ୍ତ କରିବା ନେଇ ଘୋଷଣା କରିଥିଲେ।