ଭୁବନେଶ୍ୱର,୧୦/୦୬: ରାଜଧାନୀରେ ପୁଣି ଲଜ୍ଜା । ଦୁଇ ଦିନ ତଳେ ପିପିଲି ଅଞ୍ଚଳରେ ଏକ ହୋଟେଲରେ ଜଣେ ଚାକିରି ଆଶାୟୀ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ଲୋକଙ୍କମନକୁ ଆନ୍ଦୋଳିତ କରୁଥିବା ବେଳେ ଖଣ୍ଡଗିରି ଜାଗମରାରେ ଏକ ବିଉଟି ପାର୍ଲରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ପାର୍ଲରରେ ଚଢ଼ଉ କରି ମାଲିକ କୋଳଥିଆରେ ରହୁଥିବା ରବୀନ୍ଦ୍ର ମହାନ୍ତି ଏବଂ କର୍ମଚାରୀ କଟକ ବଡ଼ମ୍ବାର ସନ୍ତୋଷ ବାରିକଙ୍କୁ ଗିରଫ କରିଛି । ପାର୍ଲରକୁ ସିଲ୍ କରାଯାଇଛି । ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ପୁଲିସ ସୂଚନା ମୁତାବକ,ପୀଡ଼ିତା ଚାକିରି ଆଶାରେ ଭୁବନେଶ୍ୱର ଆସିଥିଲେ । ଜଣେ ମଧ୍ୟସ୍ଥିଙ୍କ ଜରିଆରେ ସେ ଜାଗମରାରେ ଥିବା ‘ଡି କ୍ୟୁବିୟୁଟି ସଲ୍ୟୁସନ’ ବିଉଟି ପାର୍ଲର ମାଲିକ ରବୀନ୍ଦ୍ରଙ୍କ ସହ ଯୋଗାଯୋଗ କରିଥିଲେ । ପାର୍ଲରରେ କାମ କରିବା ପାଇଁ ରବୀନ୍ଦ୍ର ତାଙ୍କ ସହ କଥା ହୋଇ ତାଙ୍କ ଦରମା ସ୍ଥିର କରିଥିଲେ ।ତେଣୁ ୪ ଦିନ ହେବ ଯୁବତୀଜଣଙ୍କ ଉକ୍ତ ବିଉଟି ପାର୍ଲରରେ ଆସି କାମ କରୁଥିଲେ । ଗତକାଲି ରାତିରେ ତାଙ୍କୁ ପାର୍ଲର ମାଲିକ ରବୀନ୍ଦ୍ର ଓ କର୍ମଚାରୀ ସନ୍ତୋଷ ମିଶି ପାର୍ଲର ଭିତରେ ହିଁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ବିଳମ୍ବିତ ରାତିରେ ପୀଡ଼ିତା ସେମାନଙ୍କ କବଳରୁ ଖସି ଆସି ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ପାର୍ଲରରେ ଚଢ଼ଉ କରିଥିଲା । ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପାର୍ଲରରେ ବିଭିନ୍ନ ନମୁନା ସଂଗ୍ରହ କରିଥିଲା । ଏଥିସହ ପାର୍ଲରରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଜବତ କରିବା ସହ ପାର୍ଲରକୁ ସିଲ୍ କରି ଦେଇଛି ।
ଅଧିକ ପଢ଼ନ୍ତୁ :- Chandrika case : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଅସଲି ଡାଏରୀ ଏବେବି ଗାଏବ, ବଡ଼ ଖୁଲାସା କଲେ ମାମୁଁ ଝିଅ ଭଉଣୀ
ମଙ୍ଗଳବାର ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ପୀଡ଼ିତା ଏବଂ ୨ ଅଭିଯୁକ୍ତଙ୍କୁ ନେଇ ଡାକ୍ତରୀମାଇନା କରାଇଛି । ଅପରାହ୍ଣରେ ପାର୍ଲର ମାଲିକ ରବୀନ୍ଦ୍ର ଏବଂ କର୍ମଚାରୀ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।ଏଥିସହ ପୀଡ଼ିତାଙ୍କୁ ସେଠାରେ ଚାକିରି କରାଇ ଦେଇଥିବା ମଧ୍ୟସ୍ଥିକୁ ମଧ୍ୟ ପୁଲିସ ଖୋଜୁଛି । ଉକ୍ତ ପାର୍ଲରରେ ଆଗରୁ ଅନୈତିକ କାର୍ଯ୍ୟ ଚାଲୁଥିଲା କି ନାହିଁ ସେନେଇ ମଧ୍ୟ ପୁଲିସ ତଦନ୍ତ କରୁଛି ।