ଭୁବନେଶ୍ଵର, ୯/୬ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା। ଯେଉଁ ଡାଏରୀରେ "DIE DIE DIE" ବୋଲି ଲେଖାଯାଇଥିଲା, ତାହା ଚନ୍ଦ୍ରିକାଙ୍କର 'ନିଖୋଜ ଡାଏରୀ' ନୁହେଁ। ଏହା ଚନ୍ଦ୍ରିକାଙ୍କ ସେହି ଡାଏରୀ ନୁହେଁ ଯେଉଁଥିରେ ସେ ତାଙ୍କ ଜୀବନର ଅନେକ କଥା ଲେଖୁଥିଲେ । ଏହା ଚନ୍ଦ୍ରିକାଙ୍କ ମାମୁଁ ଝିଅ ଭଉଣୀ ରଶ୍ମିତା କହିଛନ୍ତି। 

ରଶ୍ମିତାଙ୍କ କହିବା ଅନୁଯାୟୀ, ଘଟଣା ଦିନ ଚନ୍ଦ୍ରିକାଙ୍କ ବ୍ୟାଗରୁ ଏକ ଛୋଟ ପକେଟ ଡାଏରୀ ମିଳିଥିଲା ଏବଂ ସେହି ଡାଏରୀ ଭିତରେ ହିଁ "DIE DIE DIE" ଲେଖାଯାଇଥିବା ସେ ନିଜେ ଦେଖିଥିଲେ।  ଘଟଣା ଦିନ ବ୍ୟାଗ ଜବତ ପରେ ପୁଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା ଏବଂ ରଶ୍ମିତା ମଧ୍ୟ ତାହା ଦେଖିଥିବା କହିଛନ୍ତି। ହେଲେ ନିଜ ଜୀବନ କାହାଣୀ ଲେଖୁଥିବା ଚନ୍ଦ୍ରିକାଙ୍କ ସେ ବଡ଼ ଡାଏରୀ ଏବେ ସୁଦ୍ଧା ମିଳିନାହିଁ, ତାହା ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ରଶ୍ମିତା। କେବଳ ସେତିକି ନୁହେଁ ଚନ୍ଦ୍ରିକାଙ୍କ ଲାପଟପ୍, ଟାବଲେଟ ଏବଂ ଆଇପ୍ୟାଡ଼ ପୁରୁଷ ବନ୍ଧୁ ଭୀମସେନଙ୍କ ପାଖରେ ରହିଥିବା ବେଳେ ତା ଭିତରୁ ଅନେକ ରହସ୍ୟ ଖୋଲିବ ବୋଲି କହିଛନ୍ତି ରଶ୍ମିତା।

ଆହୁରି ପଢନ୍ତୁ- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ ଅପ୍‌ଡେଟ୍, ସୁଇସାଇଡ୍‌ ଦିନ OLAରେ ଆସିଥିଲେ ଚନ୍ଦ୍ରିକା, ସିସିଟିଭିରୁ ମିଳିଲା ସୁରାକ

ବାଲେଶ୍ୱର ମେଡିକାଲ୍ କଲେଜର ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ ତନାଘନା ଜାରି ରଖିଛି । ଫେରାର୍ ଥିବା ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକକୁ ଖୋଜିବା ପାଇଁ ପୁଲିସ ଉଦ୍ୟମ କରୁଛି । ତେବେ ଏହା ମଧ୍ୟରେ ତଦନ୍ତକାରୀ ଟିମ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ମୃତଦେହ ମିଳିବାର ପୂର୍ବ ରାତିରେ ଚନ୍ଦ୍ରିକା ତାଙ୍କ ଓଏଏସ୍ ପ୍ରେମିକଙ୍କ ସହିତ ଦୀର୍ଘ ୧୦ ମିନିଟ୍ ପର୍ଯ୍ୟନ୍ତ ଫୋନ୍ରେ କଥା ହୋଇଥିଲେ । ତ୍ରିଶୂଳିଆ ଅଞ୍ଚଳରେ ଥିବା ବେଳେ ଏହି କଲ୍ କରିଥିଲେ । ଆଉ ଏହା ଥିଲା ତାଙ୍କର ଶେଷ କଲ୍ । କଲ୍ କଟିବା ପରେ ଫୋନ୍ ବନ୍ଦ ହୋଇଯାଇଥିଲା । ସମ୍ଭବତଃ ଏହି କଲ୍ ଶେଷ ପରେ ଚନ୍ଦ୍ରିକାଙ୍କ ସହିତ କିଛି ଗୋଟେ ଅଘଟଣ ଘଟିଥିଲା । ପରଦିନ କାଠଯୋଡ଼ିରୁ ଚନ୍ଦ୍ରିକାଙ୍କର ମୃତଦେହକୁ ବାରଙ୍ଗ ପୁଲିସ ଠାବ କରିଥିଲା ।

ପ୍ରକାଶଯୋଗ୍ୟ, ଗତ ୪ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ମୃତଦେହ ଜବତ କରିଥିଲା । ମୃତଦେହ ମିଳିବା ପରେ ପରିବାର ଲୋକ ଏହି ମୃତ୍ୟୁ ପାଇଁ ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକ ଓ ପ୍ରେମିକଙ୍କ ଜଣେ ଝିଅ ସାଙ୍ଗକୁ ଦାୟୀ କରି ଏତଲା ଦେଇଥିଲେ ।