‘ନିଶା’ ହଜେଇବ କି ନିଦ ? ଆଶାଠୁ ଅଧିକ ବିକ୍ରି ହୋଇଛି ମଦ, ବିୟର ବିକ୍ରି ୮୧% ବଢ଼ିଛି

ଭୁବନେଶ୍ୱର ୨୦/୦୩: ସରକାର ଅବକାରୀ ରାଜସ୍ୱ ଆଦାୟ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି ତାକୁ ଟପି ଯାଉଛି । ଅବକାରୀ ବିଭାଗର ମୁଖ୍ୟ ରାଜସ୍ୱ ବିଦେଶୀ ମଦ, ବିଅର ଓ ଦେଶୀ ମଦରୁ ଆୟ ହୋଇଥାଏ । ଚଳିତ ଆର୍ଥିକ ବର୍ଷର ଫେବ୍ରୁଆରୀ ମାସ ସୁଦ୍ଧା ବିଦେଶୀ ମଦ ବିକ୍ରି ଗତ ବର୍ଷ ତୁଳନାରେ ୧୦.୮୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଅର ବିକ୍ରି ୮୧.୩୯ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ବର୍ଷର ୧୧ ମାସ ସୁଦ୍ଧା ବିଅର ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇ ୧୦୨୬.୧୩ ଲକ୍ଷ ବଲ୍କ ଲିଟରରେ ପହଞ୍ଚିଛି । ଯାହା ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ । ଏକ ପ୍ରକାର ରେକର୍ଡ ବୋଲି ଅବକାରୀ ବିଭାଗ ପକ୍ଷରୁ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଜଣାପଡିଛି ।
୨୦୧୨- ୧୩ ମସିହାଠାରୁ ନୂଆ ଠିପି ବନ୍ଦ ବିଦେଶୀ ମଦ ନୋକାନ ଓ ଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ଚୋରା ମଦ କାରବାରକୁ ପ୍ରତିହତ କରିବା ଏବଂ ସ୍ଥାନୀୟ ଅଞ୍ଚଳର ଚାହିଦାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ବିଚାରକୁ ନିଆଯାଇ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ବିଅର ପାର୍ଲର ଓ ଅଧିକ ବାର୍ ଖୋଲିବା ଫଳରେ ବିଅର ବିକ୍ରି ବୃଦ୍ଧି ପାଇଛି ବୋଲି ଜଣାଯାଇଛି ।
୨୦୨୧-୨୨ ବର୍ଷରେ ବିଅର ବିକ୍ରି ୫୮୫.୭୧ ଲକ୍ଷ ବଲ୍କ ଲିଟର ଥିଲା । ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ମାସର ବିଅର ବିକ୍ରିକୁ ହିସାବକୁ ନେଲେ ଅଭିବୃଦ୍ଧି ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି । ସାଧାରଣତଃ ଗରମ ବଢ଼ିଲେ ବିଅର ବିକ୍ରି ବଢ଼ିଥାଏ । ଫେବ୍ରୁଆରୀ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ବିଅର ବିକ୍ରି ଅଧିକ ହୋଇଥାଏ । ଅନ୍ୟ ମାସଗୁଡ଼ିକରେ ବିଦେଶୀ ମଦ ଏବଂ ବିଅର ବିକ୍ରି ପାଖାପାଖି ପରିପୂରକ ଥାଏ । ଚଳିତ ବର୍ଷର ଫେବୃଆରୀ ସୁଦ୍ଧା ବିଦେଶୀ ମଦ ବିକ୍ରି ୭୦୧.୨୮ ଲକ୍ଷ ବଲ୍କ ଲିଟର ଥିଲା । ପୂର୍ବ ଆର୍ଥିକ ବର୍ଷରେ ରାଜ୍ୟରେ ୬୩୨.୮୦ ଲକ୍ଷ ବଲ୍କ ଲିଟର ବିଦେଶୀ ମଦ ବିକ୍ରି ହୋଇଥିଲା । ଚଳିତ ଆର୍ଥିକ ବର୍ଷର ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ୧୨୪.୯୯ ଲକ୍ଷ ବଲ୍କ ଲିଟର ଦେଶୀ ମଦ ବିକ୍ରି ହୋଇଥିଲା । ଯାହା ଗତ ଆର୍ଥିକ ବର୍ଷରେ ୧୦୪.୮୩ ଲକ୍ଷ ବଲ୍କଲିଟର ଥିଲା ।
୨୦୨୦-୨୧ ଆର୍ଥିକ ବର୍ଷରେ କରୋନା ମହାମାରୀ କଟକଣା ପାଇଁ ମଦ ବିକ୍ରି ଏକ ପ୍ରକାର ହ୍ରାସ ପାଇଥିଲା । କରୋନା ପାଇଁ ୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ୱ ପାଇଁ ୫୨୫୦ କୋଟି ଟଙ୍କା ରାଜସ୍ୱ ଲକ୍ଷ୍ୟ ରଖିଥିବା ବେଳେ ୪୦୫୩.୫୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା । ୨୦୨୧-୨୨ ବର୍ଷରେ ୫୫୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଥିବା ବେଳେ ୫୫୨୮.୪୧ କୋଟି ଟଙ୍କା ଆଦାୟ ହୋଇଥିଲା । ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୬୫୦୦ କୋଟି ଟଙ୍କା ଲକ୍ଷ୍ୟ ରଖିଥିବା ବେଳେ ୧୧ ମାସରେ ୫୫୪୫.୩୪ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି । ବର୍ଷ ଶେଷକୁ ଲକ୍ଷ୍ୟକୁ ଟପି ପାରେ ବୋଲି ଆଶା କରାଯାଉଛି । ସେହିପରି ଚୋରା ମାଦକ ଦ୍ରବ୍ୟ ପ୍ରଚଳନକୁ ଦୃଢ଼ଭାବେ ସମୟାନୁଚିତ ବ୍ୟାପକ ଚଢ଼ଉ ମାଧ୍ୟମରେ ପ୍ରତିହତ କରିବା ସହିତ ରାଜ୍ୟର ଉତ୍ତମ ଅବକାରୀ ନୀତି ଯୋଗୁଁ ରାଜସ୍ୱ ବୃଦ୍ଧି ପାଇଛି ।