ବ୍ରହ୍ମପୁର, ୦୬/୦୩ : ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଗାଡ଼ି ରହିଲେ ପାଖକୁ ଚାଲି ଆସନ୍ତି କିଛି ଛୋଟ ପିଲା । ଖରା, ବର୍ଷା, ଶୀତ ସବୁବେଳେ । ନୁଖୁରା ମୁଣ୍ଡ, ଦେହରେ ଛିଣ୍ଡା ପୋଷାକ । ଦୁଇ ଚକିଆ ଆଗରେ, ବନ୍ଦ କାର୍‌ର କାଚ ସେପଟେ ବିକଳ ହୁଅନ୍ତି, ନେହୁରା ହୋଇ ହାତ ପତାନ୍ତି । କିଏ କିଛି ଦିଏ, କିଏ ଦିଏନି । କିନ୍ତୁ ଏଭଳି ପିଲାଙ୍କୁ ଭିକ୍ଷାବୃତ୍ତିରେ ଯେ ଯୋଜନାବଦ୍ଧ ଭାବେ ନିୟୋଜିତ କରାଯାଉଛି ତାର ଖୁଲାସା ହୋଇଛି । ବ୍ରହ୍ମପୁର ସହରରେ ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଥିବା ଏହିଭଳି ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୁଲିସ । ରାକେଟ୍‌ର ମୁଖ୍ୟ ମାଆ ମଣି ସିନେ୍ଧ (୬୫) ଓ ପୁଅ ଅଜୟ କଜରୀ ସିନେ୍ଧ (୩୦)ଙ୍କ ସହ ଆଉ ତିନି ମହିଳା ପୂଜା ପାୱର(୨୦), ସୀତା ପାୱାର(୪୦) ଓ ରାଣୀ ସିନେ୍ଧ(୩୦)ଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ ଏନେଇ ସୂଚନା ଦେଇଛନ୍ତି । 

ଏସ୍‌ପି କହିଛନ୍ତି, ସେମାନଙ୍କ ନିକଟରୁ ଗୋଟିଏ ୪ ମାସର ପିଲା ସମେତ ମୋଟ ୯ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଝିଅ (ବୟସ ଯଥାକ୍ରମେ ୧୨, ୭ ଓ ଅଢ଼େଇ ବର୍ଷ) ଏବଂ ୫ ଜଣ ପୁଅ (ବୟସ ୮, ୫, ଅଢ଼େଇ, ୭ ଓ ୪ ବର୍ଷ) । ମଙ୍ଗଳବାର ବ୍ରହ୍ମପୁର ଟାଉନ୍‌ ଏସ୍‌ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ନେତୃତ୍ୱରେ ଚଢ଼ଉରେ ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗ ଓ ଶିଶୁ ମଙ୍ଗଳ ସମିତି(ସିଡବ୍ଲୁସି) ସଦସ୍ୟ ସାମିଲ ଥିଲେ । ଉଦ୍ଧାର ଶିଶୁଙ୍କୁ ଶିଶୁ ସୁରକ୍ଷା ଆୟୋଗକୁ ହସ୍ତାନ୍ତର କରାଯାଇଛି । ୪ ମାସର ଶିଶୁ ଓ ଅନ୍ୟ ଦୁଇ ଜଣଙ୍କ ମାଆ ଏହି ରାକେଟ୍‌ରେ ଅଭିଯୁକ୍ତ ଥିବାବେଳେ ଉକ୍ତ ଶିଶୁ ମା’ଙ୍କ ସହ ଜେଲ୍‌କୁ ଯାଇଛନ୍ତି । ଏନେଇ ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନେ ମୂଳ ଠିକଣା ପୁଲିସକୁ କହୁନାହାନ୍ତି । ବ୍ରହ୍ମପୁରରେ ୪ ନମ୍ବର ପ୍ଲାଟ୍‌ଫର୍ମ ନିକଟ ଗୁଡ୍‌ସେଡ୍‌ ରୋଡ୍‌ ରେଳ ଓଭରବ୍ରିଜ୍‌ ତଳେ ରହୁଥିବା କହିଛନ୍ତି । 

ଏସ୍‌ପିଙ୍କ ସୂଚନା ଅନୁସାରେ ସହରର ବଡ଼ବଡ଼ ଟ୍ରାଫିକ୍‌ ଛକରେ ସେମାନେ ଘୂରି ବୁଲି ଭିକ୍ଷା ମାଗୁଥିଲେ । ବ୍ରହ୍ମପୁର ଟାଉନ୍‌ ଏସ୍‌ଡିପିଓଙ୍କ ନେତୃତ୍ୱରେ ପୁଲିସ ଟିମ୍‌ କିଛିଦିନ ହେଲା ସେମାନଙ୍କ ଉପରେ ନଜର ରଖିଥିଲା । ସହରର ଏକ ପ୍ରମୁଖ ଟ୍ରାଫିକ୍‌ ସିଗ୍‌ନାଲ୍‌ ପିଭିଏନ୍‌ ରାଓ ପେଟ୍ରୋଲ୍‌ ପମ୍ପ୍‌ ଛକ। ସେଠି ସବୁବେଳେ କିଛି ପିଲା ଭିକ ମାଗନ୍ତି । ଶିଶୁଙ୍କୁ ଅଟୋରେ ଆଣି ସହରର ବିଭିନ୍ନ ଛକରେ ନିୟୋଜିତ କରୁଛନ୍ତି । କିଛି ଦୂରରେ ରହି ସେମାନଙ୍କ ଉପରେ ନଜର ରଖୁଛନ୍ତି । ମଙ୍ଗଳବାର ଟାଉନ୍‌ ଏସ୍‌ଡିପିଓଙ୍କ ସ୍ୱତନ୍ତ୍ର ଟିମ୍‌ ଶିଶୁଙ୍କ ଉପରେ ନଜର ରଖିଥିଲା । ଅଭିଯୁକ୍ତମାନେ ଶିଶୁଙ୍କୁ ଅଟୋରେ ବସାଇ ଟାଉନ୍‌ ହଲ୍‌ ନିକଟକୁ ଆସିଥିଲେ । ଅଟୋରୁ ଓହ୍ଲାଇ ଚାଲିଚାଲି ଟ୍ରାଫିକ୍‌ ଛକକୁ ଯାଇ ଶିଶୁମାନେ ଭିକ ମାଗୁଥିଲେ । ବଡ଼ମାନେ କିଛି ଦୂରରେ ରହି ଶିଶୁଙ୍କ ଗତିବିଧିକୁ ନଜର ରଖୁଥିଲେ । ସେମାନେ ଗୋଟିଏ ସ୍ଥାନରେ ଏକାଠି ହେବା ପରେ ପୁଲିସ ମାଡ଼ି ବସିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଭିକ୍ଷା ବୃତ୍ତିରେ ନିୟୋଜିତ ୩ ଶିଶୁଙ୍କ ମାଆ ବି ରହିଛନ୍ତି । ୨୦ ବର୍ଷୀୟ ପୂଜାର ଦୁଇଟି ଶିଶୁ ଉଦ୍ଧାର ହୋଇଥିବା ବେଳେ ୪ ମାସର ଶିଶୁକୁ ଧରି ଭିକ୍ଷାବୃତ୍ତି କରୁଥିବା ରାଣୀ ବି ଗିରଫ ହୋଇଛି । ଅନ୍ୟ ଉଦ୍ଧାର ଶିଶୁଙ୍କ ବାପା ଓ ମା’ଙ୍କ ପରିଚୟ ମିଳିନି ।  ଭିକ୍ଷାବୃତ୍ତିରେ ଉତ୍ସାହିତ କରିବାକୁ ଯିଏ ଅଧିକ ଟଙ୍କା ରୋଜଗାର କରୁଥିଲା ତାହାକୁ ଭଳ ଖାଇବା ବି ମିଳୁଥିଲା । ଯିଏ ରୋଜଗାର କରିପାରୁ ନ ଥିଲା, ସେମାନଙ୍କୁ ମାଡ଼ ମରାଯାଉଥିଲା ବୋଲି ସୂଚନା ମିଳିଛି ।

ଏହି ଖବରଟିକୁ ପଢନ୍ତୁ- ଗାଧୋଇବା ବେଳେ ମହାନଦୀରେ ବୁଡି ୨ ଯୁବକ ମୃତ