କଟକ, ୨୨।୨: ଚାରିଆଡୁ ଏକାସଙ୍ଗେ ମାଡ଼ି ଆସୁଛି ଗାଡ଼ିମୋଟର । ଗୋଟିଏ ଛକରେ ୫ ଆଡୁ ଆସି ମିଶିଛି ରାସ୍ତା । ଯିଏ ଯେଉଁପଟୁ ଚାହିଁଲା ପ୍ରବେଶ କଲା । ସାମାନ୍ୟ ଅସାବଧାନତା ବଡ଼ ଦୁର୍ଘଟଣା ଘଟାଇପାରେ, ବଡ଼ କ୍ଷୟକ୍ଷତି କରିପାରେ । ଏ ହେଉଛି ଜୁଡିସିଆଲ୍ ଏକାଡ଼େମୀ ଛକ ବା କାଠଯୋଡ଼ି ବେଲିଭ୍ୟୁ ଛକର ଅବସ୍ଥା । ଅନ୍ୟପକ୍ଷରେ ଛକରେ ଟ୍ରାଫିକ୍ ପୋଷ୍ଟ ନାହିଁ । ଲାଇଟ୍ ଷ୍ଟାଣ୍ଡ୍ ଅଛି ହେଲେ ଜଳୁନାହିଁ । ଟ୍ରାଫିକ କର୍ମଚାରୀ ଭିଡ଼ ପରିଚାଳନା କରିବାରେ ବାଉଳା ହେଉଛନ୍ତି । ସକାଳ ୯.୩୦ ରୁ ୧୦ଟା ୩୦ ଏବଂ ଅପରାହ୍ନ ୪ଟାରୁ ୫.୩୦ ଯାଏ ଅଫିସ୍ ସମୟ ଛାଡ଼ିଲେ ଅନ୍ୟ ସବୁ ସମୟରେ ଏଠି ଟ୍ରାଫିକ ବ୍ୟବସ୍ଥା ପୂରା ହୁଗୁଳା । କଟକ ସହରର ସବୁଠାରୁ ସମ୍ବେଦନଶୀଳ ଟ୍ରାଫିକ ଛକ ହେଉଛି ଜୁଡିସିଆଲ୍ ଏକାଡ଼େମୀ ଛକ । ନିକଟରେ ଓଡ଼ିଶା ହାଇକୋର୍ଟ, ଶିଶୁଭବନ, ଜୁଡିସିଆଲ୍ ଏକାଡ଼େମୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଆର୍ଟିଓ ଅଫିସ୍, ଏସ୍ଆଇ ମୁଖ୍ୟାଳୟ ସହିତ ଅନେକ ଛୋଟବଡ଼ ସରକାରୀ କାର୍ଯ୍ୟାଳୟ ରହିଛି । ତା’ଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏହି ଛକ ସହିତ ଯୋଡ଼ି ହୋଇଛି ନେତାଜୀ ସୁଭାଷ ସେତୁ । ଢେଙ୍କାନାଳ, ଅନୁଗୁଳ, ତାଳଚେରରୁ ଭୁବନେଶ୍ୱର ଯାଉଥିବା ପ୍ରାୟ ଗାଡ଼ି ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି ।
ଏହା ବି ପଢ଼ନ୍ତୁ... ସରକାରୀ କ୍ବାର୍ଟର୍ସରେ ଯୁବତୀଙ୍କୁ ଦୁଷ୍କର୍ମ: ଆଇଆର୍ଏସ୍ ଅଫିସରଙ୍କ ନାଁରେ ମାମଲା, ଯୁବତୀଙ୍କ ଡାକ୍ତରୀ ମାଇନା
ରାସ୍ତାକୁ ନେତାଜୀ ସେତୁ ସମେତ ୫ଟି ରାସ୍ତା ସିଧାସଳଖ ସଂଯୋଗ ହୋଇଛି । ନରାଜ, ସତୀଚୌରା ଛକ ସହିତ ଶିଶୁଭବନ ଆଡୁ ବେଲିଭ୍ୟୁ ଛକକୁ ଏକାସଙ୍ଗେ ଦୁଇଟି ରାସ୍ତା ସଂଯୋଗ ହୋଇଛି । ତେଣୁ ଏହି ରାସ୍ତା ସବୁବେଳେ ଭିଡ଼ ରହିଥାଏ । ବିଶେଷ କରି ଭିଭିଆଇପିମାନେ ଏହି ରାସ୍ତା ଦେଇ ଯା’ଆସ କରୁଥିବାବେଳେ ଅଫିସ୍ ଓ ସ୍କୁଲ୍ କଲେଜ ସମୟ ସହ ଦିନର ଅଧିକାଂଶ ସମୟରେ ଭିଡ଼ ପରିଚାଳନା ଏଠି ମୁଣ୍ଡ ବିନ୍ଧାର କାରଣ ସାଜିଥାଏ । ଏହି ରାସ୍ତା ଦେଇ ଲାଇନ୍ ବସ୍ଗୁଡିକ ମଧ୍ୟ ଯାତାୟାତ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ହେଲା ଟ୍ରାଫିକ ପରିଚାଳନା ନେଇ ସର୍ବନିମ୍ନ ଜରୁରି ଟ୍ରାଫିକ ପୋଷ୍ଟ ନାହିଁ । ଟ୍ରାଫିକ ଲାଇଟ୍ ଷ୍ଟାଣ୍ଡ୍ ରହିଥିବା ବେଳେ ତାହା ବି କାର୍ଯ୍ୟ କରୁନାହିଁ । ଅନେକ ସମୟରେ ଟ୍ରାଫିକ ଭିଡ଼ ପରିଚାଳନା ଛାଡ଼ି ଟ୍ରାଫିକ କର୍ମଚାରୀମାନେ ଉଭାନ୍ ହେଉଥିବା ବେଳେ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୁଗୁଳା ହୋଇପଡୁଛି ।
ଶିଶୁଭବନ ରହିଥିବାରୁ ପ୍ରାୟ ସବୁଦିନ ଆମ୍ବୁଲାନ୍ସ, ରୋଗୀ ଓ ରୋଗୀ ସମ୍ପର୍କୀୟ ଏହି ରାସ୍ତାରେ ଯାତାୟାତ କରୁଛନ୍ତି । ବସ୍ ବେ’ ବ୍ୟବସ୍ଥିତ ନଥିବାରୁ ରାସ୍ତା ଉପରେ ଲୋକେ ଛିଡ଼ା ହୋଇ ବସ୍କୁ ଅପେକ୍ଷା କରୁଛନ୍ତି । ସଂଯୋଗ କରୁଥିବା ୫ଟି ରାସ୍ତାରେ ହମ୍ପ୍ସ ନିର୍ମାଣ କରାଯିବାକୁ ବାରମ୍ବାର ଦାବି ହେଉଥିବା ବେଳେ ଏବେ ଯାଏ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ନିକଟରେ ବାଲିଘାଟ ରହିଥିବା ବେଳେ ଏହି ଛକ ଅନେକ ସମୟରେ ବାଲିରେ ଭର୍ତ୍ତି ହେଉଛି । ଯାହାଫଳରେ ଦୁର୍ଘଟଣା ମଧ୍ୟ ହେଉଛି । ଅନ୍ୟପକ୍ଷରେ ତ୍ରିଶୂଳିଆ ସେତୁ କଟକ ସହରର ମୁଖ୍ୟ ଦୁର୍ଘଟଣା ବ୍ଲାକ୍ ସ୍ପଟ୍ ପାଲଟିଥିବା ବେଳେ ଗତ ତିନି ବର୍ଷରେ ଏଠାରେ ୨୦ରୁ ଅଧିକ ମୃତ୍ୟୁ ହୋଇସାରିଲାଣି । ତେଣୁ ସବୁ ଦୃଷ୍ଟିରୁ ଏହି ଟ୍ରାଫିକ ଛକର ବ୍ୟବସ୍ଥାକୁ ସୁଧାରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି ।