ବେଙ୍ଗାଲୁରୁ, ୧୭/୦୨ : ଭାରତର ପ୍ରାଚୀନ ମନ୍ଦିରଗୁଡ଼ିକରେ ଭରି ରହିଛି ଅସମାହିତ ରହସ୍ୟ। ଯାହାକୁ ଆଜି ଯାଏଁ ଭେଦ କରିପାରି ନାହାଁନ୍ତି କେହି। ଏହାକୁ ଆହୁରି ଅନନ୍ୟ କରୁଛି ଲୋକଙ୍କ ଗଭୀର ଆସ୍ଥା। ଏଭଳି ଏକ ଅଦ୍ଵିତୀୟ ମନ୍ଦିର ହେଉଛି ବେଙ୍ଗାଲୁରୁର କନ୍ନଡ କାଡ଼ୁ ମଲ୍ଲେଶ୍ୱରମ୍ ମନ୍ଦିର। ଯେଉଁଠି ଶିବଙ୍କ ଜଳାଭିଷେକ କରନ୍ତି ସ୍ଵୟଂ ନନ୍ଦୀ ମହାରାଜ। ନନ୍ଦୀଙ୍କ ମୁହଁରୁ ଅବିରତ ଝରୁଛି ଜଳ। ଏହାର ଉତ୍ସ ଆଜି ଯାଏଁ ଅଜଣା। ଜଳପ୍ରବାହର ଠିକଣାକୁ ଖୋଜିପାରି ନାହାଁନ୍ତି କେହି।
ବେଙ୍ଗାଲୁରୁର ମଲ୍ଲେଶ୍ୱରମ୍ ଅଞ୍ଚଳରେ ଅବସ୍ଥିତ ଭଗବାନ୍ ଶିବଙ୍କ ପ୍ରାଚୀନ କାଡୁ ମଲ୍ଲେଶ୍ୱରମ୍ ମନ୍ଦିର । ‘କାଡୁ’ ଶବ୍ଦର ଅର୍ଥ ଜଙ୍ଗଲ । ମଲ୍ଲେଶ୍ୱରମ୍ ମନ୍ଦିର ଚତୁର୍ପାଶ୍ୱ ବି ଘନ ସବୁଜିମା ଭରା। ମନ୍ଦିରରେ ପ୍ରତିଷ୍ଠିତ ଶିବଲିଙ୍ଗ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ମଲ୍ଲିକାର୍ଜୁନଙ୍କର ଅଭିନ୍ନ ସ୍ୱରୂପ ମଲ୍ଲେଶ୍ୱରମ୍ ମହାଦେବ। ୧୭ ଶତାବ୍ଦୀରେ ଏହି ମନ୍ଦିରର ନିର୍ମାଣ କରିଥିଲେ ଛତ୍ରପତି ଶିବାଜୀଙ୍କ ଭାଇ ଭେଙ୍କୋଜୀ। ମନ୍ଦିରର ସ୍ଥାପତ୍ୟ କଳାରେ ଉଭୟ ମରାଠା ଏବଂ ଦ୍ରାବିଡ ଶୈଳୀର ସମନ୍ୱୟ ଦେଖିବାକୁ ମିଳେ।
ମୁଖ୍ୟ ମନ୍ଦିରକୁ ଲାଗି ଶ୍ରୀଦକ୍ଷିଣାମୁଖୀ ନନ୍ଦୀ ତୀର୍ଥକଲ୍ୟାଣୀ କ୍ଷେତ୍ର ଅବସ୍ଥିତ। ମନ୍ଦିରର ଉପରଭାଗରେ ନନ୍ଦୀ ମହାରାଜାଙ୍କ ଏକ ପ୍ରାଚୀନ ପଥର ମୂର୍ତ୍ତି ରହିଛି। ଯାହାଙ୍କ ମୁଖରୁ ସ୍ୱଚ୍ଛ ଶୀତଳ ଜଳର ଏକ ଧାରା ପ୍ରବାହିତ ହୋଇ ମନ୍ଦିରରେ ପ୍ରତିଷ୍ଠିତ ଶିବଲିଙ୍ଗ ଉପରେ ପଡ଼ୁଥାଏ। କିନ୍ତୁ ଏହି ଜଳ କେଉଁଠାରୁ ଆସୁଛି ତାହା କେହି ଜାଣିନାହାଁନ୍ତି। ବୈଜ୍ଞାନିକମାନେ ଏହାର ରହସ୍ୟ ଭେଦି ପାରି ନାହାଁନ୍ତି। ଭକ୍ତମାନେ ଏହାକୁ ପ୍ରଭୁଙ୍କର ଚମତ୍କାର ବୋଲି କୁହନ୍ତି।
ମନ୍ଦିରରେ ଦକ୍ଷିଣମୁଖ କରି ବିରାଜମାନ କରିଥିବା ନନ୍ଦୀ ମହାରାଜଙ୍କ ଦର୍ଶନ ପରେ ହିଁ କାଡ଼ୁ ମଲ୍ଲେଶ୍ୱରଙ୍କ ଦର୍ଶନ ମିଳେ। କାଡ଼ୁ ମଲ୍ଲେଶ୍ୱରଙ୍କୁ ଶୁଦ୍ଧ ହୃଦୟରେ ଯାହା ମାଗିଲେ ଭଗବାନ ଦିଅନ୍ତି। ମହାଦେବଙ୍କ ମୁଖ୍ୟ ପର୍ବ ହେଉଛି ମହାଶିବରାତ୍ରି। ମନ୍ଦିର ପରିସରରେ ଚାଲୁଥିବା ୧୫ ଦିନିଆ କାଡ଼ୁଲେକାଇ ପରିଶେ ଏହାର ଆଉ ଏକ ଆକର୍ଷଣ। ଏହି ମେଳାରେ ଆଖପାଖର ଚିନାବାଦାମ ଚାଷୀମାନେ ସେମାନଙ୍କର ପ୍ରଥମ ଅମଳ ଫସଲ ଆଣି ନନ୍ଦୀ ମହାରାଜାଙ୍କୁ ଅର୍ପଣ କରନ୍ତି।
ଏହି ଖବରଟିକୁ ପଢନ୍ତୁ- ମାଆର ମ୍ୟାଟରନିଟି ଫଟୋସୁଟ୍ ବେଳେ ବୁଡ଼ିଗଲା କୁନି ପିଲାଟି, ୱାଟର ପୁଲ୍ରେ ଖସି ପଡ଼ି ଚାଲିଗଲା ଜୀବନ