PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

୫ ବର୍ଷ ହେଲା ଖାଲି ପଡ଼ିଛି ବିଇଓ ପଦବୀ

କାଶୀପୁର, ୨୮/୦୩ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ୫ ବର୍ଷ ହେଲା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ସ୍ଥାନ ଖାଲି ପଡ଼ିଥିବାରୁ ପରିଚାଳନା କ୍ଷେତ୍ରରେ ସମସ୍ୟା ଦେଖା ଦେଇଛି। ବିଇଓ ନିଯୁକ୍ତି ଅଭାବରୁ ଅବସରପ୍ରାପ୍ତ ଶିକ୍ଷକ ସହିତ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ନିଜ ପ୍ରାପ୍ତ ପାଇବାରେ ହଇରାଣ ହେଉଛନ୍ତି । ଅବସର କାଳୀନ ପ୍ରାପ୍ତ ପାଇବାରେ ବଞ୍ଚିତ ଥିବା କିଛି ଜଣ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଥିବାର ନଜିର ରହିଛି । ଏପରି ସ୍ଥଳେ ରାୟଗଡ଼ା ଡିଇଓଙ୍କୁ କାଶୀପୁର ବ୍ଲକର ବିଇଓ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ।

ବିଭିନ୍ନ ସରକାରୀ କାମରେ ଡିଇଓଙ୍କୁ ଭେଟିବାକୁ ହେଲେ ବ୍ଲକ ସଦର ଠାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ରାୟଗଡା ଯିବାକୁ ପଡୁଛି । ସେହିପରି କାଶୀପୁର ବିଇଓ କାର୍ଯ୍ୟାଳୟରେ ମୁଖ୍ୟକିରାଣୀଙ୍କ ସ୍ଥାନ ମଧ୍ୟ ଖାଲି ପଡ଼ିଛି । ଦୁଇ ଜଣ କନିଷ୍ଠ କିରାଣୀଙ୍କ ଦ୍ଵାରା ଅଫିସ ଚାଲିଛି । ସ୍ଥାୟୀ ବିଇଓଙ୍କ ନିଯୁକ୍ତି ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ଶିକ୍ଷକ ସଙ୍ଘ ସହିତ ଅଞ୍ଚଳବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ଏବଂ ଶିକ୍ଷା ମନ୍ତ୍ରୀଙ୍କ ଠାରେ ଦାବି କରି ଆସୁଛନ୍ତି। କିନ୍ତୁ ଏଥିପ୍ରତି କାହାରି ନଜର ପଡୁ ନ ଥିବାର ଅଭିଯୋଗ ହେଉଛି। ଗତ ଡିସେମ୍ବରରେ ଶିକ୍ଷକ ସଙ୍ଘର ସଭାପତି ସୋମନାଥ ଗରଡ଼ା ସହିତ ସଙ୍ଘର କାର୍ଯ୍ୟକର୍ତ୍ତାମାନେ ବିଇଓ ନିଯୁକ୍ତି ନେଇ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ,ଏସ ଟି ଏସ ସି ଉନ୍ନୟନ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଅଵଗତ କରାଇ ଥିଲେ । ସେହିପରି ବ୍ଲକରେ ଥିବା ତିନି ଜଣ ଏବିଇଓଙ୍କ ମଧ୍ୟରୁ ଏବିଇଓ ରେଙ୍ଗୁ ନାୟକ ମାସକ ପରେ ଚାକିରିରୁ ଅଵସର ନେଉଥିବାରୁ ଏହି ସ୍ଥାନ ମଧ୍ୟ ଖାଲି ପଡିବାର ଆଶଙ୍କା କରାଯାଉଛି । ବ୍ଲକର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ସୁବିଧା ଦୃଷ୍ଟିରୁ ଏବଂ ଶିକ୍ଷା ଉନ୍ନତି ନେଇ ତୁରନ୍ତ ବିଇଓ ନିଯୁକ୍ତି ନେଇ ଅଞ୍ଚଳବାସୀ ଦାବି କରିଛନ୍ତି ।