ନାଗପୁର,୦୧/୦୯: ନିଜର  ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ର ସଡ଼କ ପରିବହନ  ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ  ରାଜନୀତିକୁ ନେଇ ଦେଇଥିବା ସଦ୍ୟ ବୟାନ ଆଲୋଚନାର ବିଷୟ ହୋଇଛି । ସେ କହିଛନ୍ତି ଯିଏ ଲୋକମାନଙ୍କୁ ଯେତେ ବୋକା ବନାଇପାରିବ ସେ ସବୁଠାରୁ ଭଲ ନେତା ହୋଇପାରିବ । 

ନାଗପୁରରେ ଆୟୋଜିତ  ଅଖିଳ ଭାରତୀୟ ମହାନୁଭବ ପରିଷଦରେ  ଉଦ୍‌ବୋଧନ ଦେଇ ଗଡକରୀ କହିଛନ୍ତି ଯେ  ବର୍ତ୍ତମାନ ସାଧାରଣ ଜୀବନରେ ସାଧୁତା  ଓ ସଚ୍ଚୋଟତା ଏକ ଚାଲେଞ୍ଜ ହୋଇଛି । କହିବାଟା ବହୁତ ସହଜ, କିନ୍ତୁ କରିବା ବହୁତ କଷ୍ଟ । ସେ ଜଣେ ଅଧିକାରୀ ନୁହନ୍ତି, କିନ୍ତୁ ତାଙ୍କର ଏ କ୍ଷେତ୍ରରେ ବହୁତ ଅଭିଜ୍ଞତା  ରହିଛି । ରାଜନୀତିରେ ସତ କହିବା ମନା ।  କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏବଂ ଭଗବତ ଗୀତାରେ ଲେଖା ଅଛି ଯେ  ଶେଷରେ ସତ୍ୟର ହିଁ ବିଜୟ ଘଟେ । କିଛି  ଜିନିଷ ପାଇବା ଲାଗି ସର୍ଟକଟ ରାସ୍ତା ଅଛି । ସର୍ଟକଟ୍‌ ରାସ୍ତାରେ ଗଲେ ଜଣେ ବ୍ୟକ୍ତି ଶୀଘ୍ର  ପହଞ୍ଚିଥାଏ । ଜଣେ ଦାର୍ଶନିକ କହିଥିଲେ ସର୍ଟକଟ୍‌ ହେଉଛି କଟ୍‌ ୟୁ ସର୍ଟ । ସେଥିପାଇଁ  ସାଧୁତା, ବିଶ୍ୱସନୀୟତା, ସମର୍ପିତ ଭାବ ଏବଂ  ସତ୍ୟ ଆଦିର ମୂଲ୍ୟ ସମାଜ ପାଇଁ ଯଥେଷ୍ଟ  ମହତ୍ତ୍ୱପୂର୍ଣ୍ଣ ବୋଲି ଗଡକରୀ କହିଛନ୍ତି ।