ଭୁବନେଶ୍ୱର,୨୫/୧୧: ‘ସୁପ୍’ ତ ଆପଣମାନେ ନିଶ୍ଚିତ ପିଇଥିବେ । ହେଲେ କେବେ ବେବଫା ମସରୁମ୍ ସୁପ୍, ଧୋକେବାଜ୍ ଚିକେନ୍ ସୁପ୍, ମିଲେଟ୍ ଭିଲିଆନ୍ ଭେଜ୍ ସୁପ୍... ଭଳି ନା ଥିବା ସୁପ୍ ପିଇଛନ୍ତି । ହଁ ଆଜ୍ଞା ଏଭଳି ମଜାଦାର ନା ଥିବା ସୁପ୍ ମିଳୁଛି ରାଜଧାନୀରେ । ଯାହାକୁ ପିଇବା ପାଇଁ ଲୋକମାନଙ୍କର ଲାଗୁଛି ପ୍ରବଳ ଗହଳି । ଥଣ୍ଡା ଥଣ୍ଡା ପାଗରେ ଗରମ ଗରମ ସୁପ୍ ଲୋକଙ୍କୁ ସତେଜ ଓ ଫୁର୍ତ୍ତି କରୁଛି ।
ରାଜଧାନୀରେ ଶୀତୁଆ ସନ୍ଧ୍ୟାରେ ମନ ଟାଣୁଛି କିଛି ଗରମ ଗରମ ପିଇବାକୁ । ସେଥିପାଇଁ କିଏ ଚା’ ସୁଡ଼ୁକେ ପିଇଛି ତ କିଏ କଫି କପେ । ହେଲେ ଶୀତରେ ସବୁଠାରୁ ଅଧିକ ଚାହିଦା ସାଉଁଟୁଛି ଗରମ୍ ଗରମ୍ ସୁପ୍ । ଯଦିଓ ସବୁ ସମୟରେ ସୁପ୍ର ବିକ୍ରି ଚାଲିଥାଏ ହେଲେ, ବର୍ତ୍ତମାନ ତାହାର ଆଦର ଓ ବିକ୍ରି ଶିଖର ଛୁଇଁଲାଣି । ଗୁପ୍ଚୁପ୍, ମୋମୋ, ଚାଟ୍ ସ୍ଥାନ ନେଇଛି ସୁପ୍ । ଏହାକୁ ନଜରରେ ରଖି ଦୋକାନୀ ପୂର୍ବତୁଳନାରେ ଦୁଇଗୁଣା ସୁପ୍ ତିଆରି କରୁଛନ୍ତି । ପୂର୍ବରୁ ଯେଉଁ ଦୋକାନରେ ୨୦୦ କପ୍ ସୁପ୍ ବିକ୍ରି ହେଉଥିଲା ବର୍ତ୍ତମାନ ତାହା ୫୦୦ କପ୍ ଛୁଉଁଛି । ସୁପ୍ର ଚାହିଦାକୁ ଲକ୍ଷ୍ୟ କରି ନୂଆକରି ଅନେକ ସୁପ୍ ଷ୍ଟଲ ମଧ୍ୟ ଖୋଲିଗଲାଣି । ଖାଲି ସେତିକି ନୁହେଁ ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ ସୁପ୍ର ମଜାଦାର ନା ମଧ୍ୟ ରହୁଛି । ରାସ୍ତାକଡ଼ଠୁ ରେସ୍ତୋରାଁ ପର୍ଯ୍ୟନ୍ତ ସବୁଠି ଏହାର ଆଦର କାହିଁରେ କଣ । ହେଲେ ରାଜଧାନୀବାସୀ ରାସ୍ତାକଡ଼ରେ ବିକ୍ରିହେଥିବା ଠେଲାରେ ସୁପ୍ ଚାଖିବାକୁ ଅଧିକ ପସନ୍ଦ କରୁଛନ୍ତି ।
ଶାକାହାରୀମାନଙ୍କ ପାଇଁ ମିଲେଟ୍ ଭେଜ୍ ସୁପ୍, ମଟର ସୁପ୍, ସୁଇଟ୍ କର୍ନ ସୁପ୍, ମିକ୍ସଭେଜ୍ ସୁପ୍, ମସରୁମ୍ ସୁପ୍, ଟମାଟୋ, ପଟାଟୋ ସୁପ୍ । ଯାହାର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇଯାଉଛି । ସେହିଭଳି ଆମିଷଭୋଜୀଙ୍କ ପାଇଁ ରହୁଛି ଚିକେନ୍ ସୁପ୍, ମଟନ ସୁପ୍, ଚିଙ୍ଗୁଡ଼ି ସୁପ୍, କଙ୍କଡ଼ା ସୁପ୍ ଏହିଭଳି ଅନେକ ନା ଥିବା ସୁପ୍ । ଯାହାର ମୂଲ୍ୟ ୩୫ ଟଙ୍କାରୁ ଆରମ୍ଭ ହୋଇଯାଉଛି । ଖାଲି ସେତିକି ନୁହେଁ ବଜାର ତଥା ଅନଲାଇନ୍ରେ ମିଳୁଛି ବିଭିନ୍ନ ପ୍ରକାରର ସୁପ୍ ପାଉଡର । ଯାହାକୁ ଗରମ ପାଣିରେ ଗୋଳାଇଲେ ୫ ମିନିଟ୍ରେ ପ୍ରସ୍ତୁତ ହୋଇଯାଉଛି ସୁପ୍ । ଘରେ ବସି ବି ଲୋକମାନେ ଗରମ ଗରମ ସୁପ୍ର ମଜା ନେଇପାରୁଛନ୍ତି । ଯାହାର ମୂଲ୍ୟ ୧୫ ଟଙ୍କାରୁ ଆରମ୍ଭ ହୋଇଯାଉଛି ।
ଗତ ୩ ବର୍ଷ ଧରି ପଟିଆ ଖାଓ ଗଳିରେ ସୁପ୍ ବିକ୍ରି କରୁଥିବା ‘ଏମ୍ବିଏ ସୁପ୍ ୱାଲା’ ଷ୍ଟଲର ମୁଖ୍ୟ ତରୁଣ କୁମାର ମଲ୍ଲିକ କୁହନ୍ତି, ଶୀତ ବଢିଛି । ଲୋକମାନେ ଗରମ ସୁପ୍ ପିଇବାକୁ ପସନ୍ଦ କରୁଛନ୍ତି । ବିଶେଷକରି ସୁପ୍ ଦେହପାଇଁ ଅଧିକ ଉପକାରୀ ଓ ସ୍ୱାଦଯୁକ୍ତ ହୋଇଥିବାରୁ ଯୁବପିଢିମାନେ ଅଧିକ ଆଗ୍ରହୀ । ଶୀତ କାରଣରୁ ବ୍ୟାପାର ବହୁତ ଭଲ ଚାଲିଛି । ମୋର ୩ଟି ଷ୍ଟୋରରୁ ପ୍ରାୟ ଦିନକୁ ୧୦୦୦ରୁ ଅଧିକ କପ୍ ସୁପ୍ ବିକ୍ରି ହେଉଛି । ବିଶେଷକରି ମୁଁ ସୁପ୍ର ନା’କୁ ଟିକେ ଭିନ୍ନ ଧରଣର ରଖିଥିବାରୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି । ମୁଖ୍ୟତଃ ବେବଫା ମସରୁମ୍ ସୁପ୍, ଧୋକେବାଜ୍ ଚିକେନ୍ ସୁପ୍କୁ ପିଇବା ପାଇଁ ଲୋକମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।
ୟୁନିଟ୍-୯ରେ ସୁପ୍ ବିକ୍ରି କରୁଥିବା ପ୍ରମୋଦ କୁମାର ପ୍ରଧାନ କୁହନ୍ତି, ଶୀତ ବଢୁଥିବାରୁ ବେପାର ମଧ୍ୟ ବଢିଯାଇଛି । ବିଶେଷକରି ଯୁବପିଢିମାନେ ସଂନ୍ଧ୍ୟା ହେଲା କ୍ଷଣି ସାଙ୍ଗସାଥୀ ସୁପ୍ ପିଉଛନ୍ତି ।