ଆଗ୍ରା : ବିଶ୍ୱର ସପ୍ତାଶ୍ଚର୍ଯ୍ୟରେ ଅନ୍ତର୍ଭୁକ୍ତ ତାଜମହଲ ସହ ଜଡ଼ିତ ସାଇବର ଠକଇର ମାମଲା ସାମ୍ନାକୁ ଆସିଛି। ଆଗ୍ରାରେ ବିଦେଶୀ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଏକ ଫେକ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବିକ୍ରି କରାଯାଉ ଥିଲା। ଏହି ଠକେଇର ଖୁଲାସା ସେତେବେଳେ ହୋଇଛି, ଯେବେ ପର୍ଯ୍ୟଟକ ତାଜମହଲ ପହଞ୍ଚିବା ପରେ ନିଜର ଟିକେଟ୍ର ଯାଞ୍ଚ କରୁଥିଲେ ଏବଂ ତାହା ଫେକ୍ ଜଣା ପଡ଼ିଥିଲା।
କିଛି ବିଦେଶୀ ପର୍ଯ୍ୟଟକମାନେ ଅନଲାଇନ୍ ଟିକେଟ୍ କ୍ରୟ ପାଇଁ ଏକ ୱେବସାଇଟ୍ ସର୍ଚ୍ଚ କରିଥିଲେ, ଯେଉଁଠି ତାଙ୍କୁ ପ୍ରକୃତ ଟିକେଟ୍ ଠାରୁ ଅଧିକ ମୂଲ୍ୟରେ ଟିକେଟ୍ ବିକ୍ରି କରାଯାଇଛି। ଜଣେ ଟୁରିଷ୍ଟ ପ୍ରୟା ୩୫ ଡଲାର ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ ୩,୨୦୦ ଟଙ୍କାରୁ ଅଧିକ ପେମେଣ୍ଟ କରି ଥିଲେ , ହେଲେ ତାଜମହଲର ଟିକେଟ୍ ମୂଲ୍ୟ ପାଖାପାଖି ୧୩୦୦ ଟଙ୍କା । ଏହିପରି ପର୍ଯ୍ୟଟକଙ୍କ ଠାରୁ ଅଧିକ ଟଙ୍କା ନେବା ସହ ସେମାନଙ୍କୁ ଫେକ୍ (ନକଲି) ଟିକେଟ୍ ମଧ୍ୟ ପ୍ରଦାନ କରାଯାଉଛି।
ଉକ୍ତ ମାମଲାର ଖୁଲାସା ତାଜମହଲର ପଶ୍ଚିମୀ ଗେଟ୍ରେ ନିୟୋଜିତ ଥିବା କର୍ମଚାରୀ ବବଲୁ କୁମାର ପାସୱାନ କରିଥିଲେ, ଯେତେବେଳେ କି ସେ ତିନି ଜଣ ବିଦେଶୀ ପର୍ଯ୍ୟଟକଙ୍କ ଟିକେଟ୍ରେ ଗଡ଼ବଡ଼ ଥିବା ଦେଖି ଥିଲେ।ଯାଞ୍ଚ କରିବା ପରେ ସାମ୍ନାକୁ ଆସିଥିଲା ଯେ, ଏହି ଟିକେଟ୍ (https ://ticketstajmahal.com) ନାମର ଏକ ଫେକ୍ ୱେବସାଇଟ୍ରୁ ବୁକ୍ କରାଯାଇ ଥିଲା। ତିନି ଜଣ ପର୍ଯ୍ୟଟକ ମୋଟରେ ୧୦୫ ଡଲାର ପେମେଣ୍ଟ କରିଥିଲେ।
ଉକ୍ତ ମାମଲାକୁ ଗୁରୁତର ଭାବେ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ତାଜମହଲ ଓ ଅନ୍ୟ ସଂରକ୍ଷିତ ସ୍ମାରକ ଗୁଡ଼ିକର ଅନଲାଇନ ଟିକେଟ୍ ବୁକିଂ ପାଇଁ କେବଳ ଅଧିକୃତ ପ୍ଲାଟଫର୍ମ ହିଁ ଯୋଗ୍ୟ । ଏଥିରେ asipayumoney.com (କାନାରା ବ୍ୟାଙ୍କ) ଓ asi.payugov.in (NSDL) ଅନ୍ତର୍ଭୁକ୍ତ।
ତାଜମହଲର ବରିଷ୍ଠ ସଂରକ୍ଷଣ ସହାୟକ କଲନ୍ଦର ବିନ୍ଦ ଏହି ମାମଲାରେ ଅତିରିକ୍ତ ଡେପୁଟି ପୁଲିସ କମିଶନରଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଭୋଟରଙ୍କୁ ୱେଲକମ୍ କରୁଛି ଏଆଇ ରୋବଟ୍ ନୀଲା