କୋଲକାତା,୨ା୨(ଏଜେନ୍ସି): ଚଳିତ ଡେଭିସ୍ କପ୍ ସିଜିନ୍ ଆରମ୍ଭରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ନକ୍ ଆଉଟ୍ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଭାରତ ୧-୩ରେ ଇଟାଲୀଠୁ ହାରି ଗ୍ରୁପ୍ ଜୋନ୍କୁ ଫେରିଛି । ଅନ୍ୟ ପଟରେ ଇଟାଲୀ ବିଶ୍ୱ ଗ୍ରୁପ୍ ଫାଇନାଲ୍ସକୁ ଯୋଗ୍ୟତା ଅର୍ଜନ କରିଛି । ସାଉଥ୍ କ୍ଲବ୍ରେ କ୍ରମାଗତ ୨ଦିନ ଧରି ଭ୍ରମଣକାରୀ ଦଳ ଆଧିପତ୍ୟ ଜାରି ରଖିଥିଲା । ୩ଟି ଯାକ ସିଙ୍ଗଲ୍ସ ମୁକାବିଲାରେ ଇଟାଲୀ ବିଜୟ ହାସଲ କରିଥିଲା । କେବଳ ଡବଲ୍ସରେ ଭାରତ ବିଜୟ ସ୍ୱାଦ ଚାଖିଥିଲା ।
ପ୍ରଥମ ଦିବସରେ ଅନୁଷ୍ଠିତ ପ୍ରଥମ ସିଙ୍ଗଲ୍ସରେ ରାମକୁମାର ରାମନାଥନ ୪-୬, ୨-୬ ସେଟ୍ରେ ଆନ୍ଦ୍ରେସ ସେପ୍ପିଙ୍କ ଠାରୁ ପରାଜିତ ହୋଇଥିଲେ । ସେହିପରି ଦ୍ୱିତୀୟ ସିଙ୍ଗଲ୍ସରେ ପ୍ରଜେ୍ଞଶ ଗୁଣେଶ୍ୱରନ୍ ୪-୬, ୩-୬ ସେଟ୍ରେ ମାଟିଓ ବେରେଟିନିଙ୍କ ଠାରୁ ହାରିଥିଲେ ।
ଦ୍ୱିତୀୟ ଦିବସରେ ଭାରତ ପାଇଁ ବିଜୟ ଆଣିଥିଲେ ରୋହନ ବୋପାନ୍ନା ଓ ଦିବିଜ ଶରଣ ଯୋଡି । ଗତ ଏସୀୟ କ୍ରୀଡ଼ାରୁ ଏକତ୍ର ଖେଳୁଥିବା ବୋପାନ୍ନା-ଶରଣ ଯୋଡି ଲଢୁଆ ଖେଳ ପ୍ରଦର୍ଶନ କରି ୪-୬, ୬-୩, ୬-୪ ସେଟ୍ରେ ସିମୋନ ବୋଲେଲି ଓ ମାଟିଓ ବେରେଟିନି ଯୋଡିଙ୍କୁ ହରାଇଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଯୋଡିଙ୍କୁ ୧ଘଣ୍ଟା ୪୩ମିନିଟ୍ ଲାଗିଥିଲା । ପ୍ରଥମ ସେଟ୍ରେ ଭାରତୀୟ ଯୋଡି ପରାଜିତ ହୋଇଥିଲେ । ଏହାପରେ ଉଭୟ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ପରବର୍ତ୍ତୀ ଦୁଇଟି ଯାକ ସେଟ୍ ଜିତିଥିଲେ । ଏହି ମ୍ୟାଚ୍ରେ ଭାରତୀୟ ଯୋଡି ୩ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ ।
ଉଭୟ ଦଳର ନିଷ୍ପତ୍ତି କ୍ରମେ ଆଉ ଏକ ସିଙ୍ଗଲ୍ସ ଖେଳିବାକୁ ନିଷ୍ପତ୍ତି ନିଆଯାଇଥିଲା । ୩୭ତମ ମାନ୍ୟତା ପ୍ରାପ୍ତ ଇଟାଲୀର ଅଭିଜ୍ଞ ଆନ୍ଦ୍ରେସ ସେପ୍ପିଙ୍କୁ ସାମ୍ନା କରିଥିଲେ ପ୍ରଜେ୍ଞଶ । ସେପ୍ପିଙ୍କ ନିଖୁଣ ସର୍ଭିସ ଓ ରିଟର୍ଣ୍ଣର ଉତ୍ତର ପ୍ରଜେ୍ଞଶଙ୍କ ନିକଟରେ ନଥିଲା । ପ୍ରଥମ ସେଟ୍ରୁ ସେ ତ୍ରୁଟି କରିଥିଲେ । ସେପ୍ପି ୬-୧, ୬-୪ ସେଟ୍ରେ ଏହି ମ୍ୟାଚ୍ ଜିତିଥିଲେ । ୬୨ମିନିଟର ଏହି ମୁକାବିଲାରେ ସେପ୍ପି ୩ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ । ଏହି ବିଜୟ ସହ ଇଟାଲୀ ଅନ୍ୟ ୧୧ଟି ଦଳ ସହ ବିଶ୍ୱଗ୍ରୁପ୍ ଫାଇନାଲ୍ସରେ ପ୍ରବେଶ କରିଛି । ଗତ ବର୍ଷର ଚାମ୍ପିଅନ୍ କ୍ରୋଏସିଆ, ରନର୍ସଅପ୍ ଫ୍ରାନ୍ସ, ସେମି ଫାଇନାଲ୍ ଖେଳିଥିବା ଆମେରିକା ଓ ସ୍ପେନ୍ ପୂର୍ବରୁ ଫାଇନାଲ୍ସକୁ ସିଧା ସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ବ୍ରିଟେନ୍ ଓ ଆର୍ଜେଣ୍ଟିନା ୱାଇଲ୍ଡ କାର୍ଡ ଜରିଆରେ ଫାଇନାଲ୍ସରେ ପ୍ରବେଶ କରିଛନ୍ତି । ୧୮ଟି ଦଳକୁ ନେଇ ଫାଇନାଲ୍ସ ଖେଳାଯିବ । ଅନ୍ୟ ସମସ୍ତ ଦଳ ଗ୍ରୁପ୍ ଜୋନ୍କୁ ଫେରିବେ ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...