ଭୁବନେଶ୍ୱର,୦୩/୧୦: ଭରତପୁର  ଥାନାରେ ହଙ୍ଗାମା ମାମଲାରେ ଗୁରୁବାର ୫ ପୁଲିସ ଅଧିକାରୀଙ୍କ ମିଛଧରା  (ପଲିଗ୍ରାଫ୍‌) ପରୀକ୍ଷା ଆରମ୍ଭ ହେବ ।  ଗୁଜୁରାଟରେ ଥିବା କ୍ରାଇମ୍‌ବ୍ରାଞ୍ଚ ଦଳ ଏଥିସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର କାମ  ପ୍ରାୟତଃ ସରି ଆସିଲାଣି । ଏହି ପ୍ରକ୍ରିୟା ୨-୩  ଦିନ ଲାଗିପାରେ ବୋଲି ସୂଚନା ମିଳିଛି ।  

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ  ସୋମବାର ଓ ମଙ୍ଗଳବାର ୨ ଦିନ ଧରି  କାଗଜପତ୍ର କାମ ଚାଲିଥିଲା । ତଦନ୍ତକାରୀ  ଅଧିକାରୀ ନରେନ୍ଦ୍ର ବେହେରାଙ୍କ  ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚ ଗାନ୍ଧୀନଗରର  ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର  (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ଆବେଦନ  ସହ ସ୍ଥାନୀୟ ଅଦାଲତରୁ ଅନୁମତି  ମାଗିବା ପ୍ରକ୍ରିୟାରେ ବ୍ୟସ୍ତ ଥିଲେ । ବୁଧବାର ସରକାରୀ ଛୁଟି ଯୋଗୁ ଏହି ପ୍ରକ୍ରିୟା ବନ୍ଦ  ରହିଛି । ଗୁରୁବାର ସମସ୍ତ କାଜଗପତ୍ର  କାମ ସରିବା ପରେ ୫ଜଣ ପୁଲିସଙ୍କୁ  ପରୀକ୍ଷାଗାରକୁ ନିଆଯିବ । 

ନିଲମ୍ବିତ ଥାନା  ଅଧିକାରୀ ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ  ସମେତ ସବ୍‌ଇନ୍ସପେକ୍ଟର ବୈଶାଳିନୀ  ନାୟକ, ଏଏସ୍‌ଆଇ ସଳୀଳମୟୀ ସାହୁ, ଏଏସ୍‌ଆଇ ସାଗରିକା ନାଥ ଓ ଏସ୍‌ଆଇ  ପ୍ରଶାନ୍ତ ମହାରଣା ପଲିଗ୍ରାଫ ପରୀକ୍ଷାର ସାମ୍ନା  କରିବେ । ତା’ ପରଦିନ ଶ୍ରୀ ମିଶ୍ରଙ୍କ ଅନ୍ୟ  ୨ଟି ପରୀକ୍ଷା (ବ୍ରେନ୍‌ ମ୍ୟାପିଂ ଓ ନାର୍କୋ)  ହୋଇପାରେ । ସମସ୍ତ ପ୍ରକ୍ରିୟା ସରିବା ପରେ  କ୍ରାଇମ୍‌ବ୍ରାଞ୍ଚ ଦଳ ସହ ୫ ପୁଲିସ ଅଧିକାରୀ  ଆଗାମୀ ସପ୍ତାହରେ ଓଡି଼ଶା ଫେରିବେ ।  ଅନ୍ୟପଟେ ବିଚାର ବିଭାଗୀୟ ତଦନ୍ତ  ପ୍ରକ୍ରିୟା ଆରମ୍ଭ ପାଇଁ ଖୁବ୍‌ ଶୀଘ୍ର ସତ୍ୟପାଠ  ଆହ୍ୱାନ କରାଯିବ । ଏନେଇ ସରକାରଙ୍କ  ପକ୍ଷରୁ ଦିନେ କିମ୍ବା ୨ ଦିନ ଭିତରେ  ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶିତ ହେବ ।