ସରକାରୀ ଯୋଜନା କାହା ପାଇଁ ? ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ସୁନାଧର

ତେନ୍ତୁଳିଖୁଣ୍ଟି, ୨୭/୧୨ : ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ସୁନାଧର। ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତ ଦିଗି ଗ୍ରାମର ସୁନାଧର ପାଇକ ଦୀର୍ଘ ଚାରିବର୍ଷ ହେଲା ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ରହିଛନ୍ତି। ଭତ୍ତା ପାଇଁ ସୁନାଧର ଦୀର୍ଘ ଦିନ ହେଲା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଧା କୌଣସି ସୁଫଳ ମିଳୁନି। ଖୁବ୍ ଶୀଘ୍ର ସୁନାଧରଙ୍କୁ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
ସୂଚନାନୁଯାୟୀ, ସୁନାଧର ପାଇକ ନିଜ ପତ୍ନୀଙ୍କୁ ନେଇଁ ଦିଗି ଗ୍ରାମରେ ରହୁଛନ୍ତି। ତାଙ୍କର କେହି ପୁଅ ଝିଅ ନାହାଁନ୍ତି। ତେବେ ସୁନାଧର କୁଲି ମଜୁରୀ କରି ଯାହା ରୋଜଗାର କରି ଆଣନ୍ତି ସେଥିରେ ଦୁଇ ପ୍ରାଣୀ ଚଳି ଯାଉଥିଲେ। ହେଲେ ଗତ ଚାରି ବର୍ଷ ପୂର୍ବେ ସୁନାଧର ଜଣଙ୍କ ଧାନ ଅମଳ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଧାନ ଅମଳ ମେସିନରେ ତାଙ୍କ ହାତ କଟି ଯାଇଥିଲା। ଏହାପରେ ସେ ସମ୍ପୂର୍ଣ୍ଣ ଅକାମୀ ହୋଇଥିଲେ। ସେବେଠାରୁ ସେ ଆଉ କୁଲି ମଜୁରୀ କରିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ହୋଇପଡ଼ିଛନ୍ତି। ସୁନାଧରଙ୍କ ପତ୍ନୀ କୁଲି ମଜୁରୀ କରି ଯାହା ଆଣନ୍ତି ସେତିକିରେ ସ୍ୱାମୀ ସ୍ତ୍ରୀ ଚଳୁଛନ୍ତି। ଚାରି ବର୍ଷ ହେଲା ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ରହି ଦୁର୍ବିସହ ଜୀବନ ବିତାଉଛନ୍ତି।
ତେବେ ସୁନାଧର ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ନିଜର ଜମି ବାଡ଼ି ବୋଲି କିଛି ନାହିଁ। ତଥାପି ସରକାରଙ୍କ ପକ୍ଷରୁ ଏଯାବତ ଆବାସ ଗୃହ ଖଣ୍ଡେ ମିଳିନି। ଏଣୁ ସୁନାଧରଙ୍କ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ଗୃହ ଖଣ୍ଡେ ଯୋଗେଇ ଦେବା ସହ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବାକୁ ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାତ୍ର ଦାବି କରିଛନ୍ତି।