କୋଲକାତା,୨୯।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ସମୟରେ କୋଲକାତାର ହାଇ-ପ୍ରୋଫାଇଲ୍ ଭବାନୀପୁର ନିର୍ବାଚନମଣ୍ଡଳୀର କାଳିଘାଟ ଅଞ୍ଚଳରେ ଏକ ବଡ଼ ଉତ୍ତେଜନା ଦେଖାଯାଇଥିଲା। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସେହି ଅଞ୍ଚଳରେ ପହଞ୍ଚିବା ମାତ୍ରେ ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ହୋଇଥିଲା ସଂଘର୍ଷ। ଯାହା ଫଳରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ସମ୍ମୁଖରେ ଟିଏମସି ସମର୍ଥକମାନେ ‘ଜୟ ବଙ୍ଗଳା’ ନାରା ଦେଇଥିଲେ। ଜବାବରେ, ବିଜେପି କର୍ମୀମାନେ ‘ଜୟ ଶ୍ରୀ ରାମ’ ନାରା ଦେଇଥିଲେ।
ଶୁଭେନ୍ଦୁ ଅଧିକାରୀ ଏହି ଲୋକମାନଙ୍କୁ ସ୍ଥାନୀୟ ଭୋଟର ଭାବରେ ସ୍ୱୀକାର କରିବାକୁ ମନା କରି ସେମାନଙ୍କୁ ‘ବାହରର ଲୋକ’ ବୋଲି ଆଖ୍ୟା ଦେଇଥିଲେ। ସେ କହିଥିଲେ, ‘ଏମାନେ ଭୋଟର ନୁହଁନ୍ତି, ବରଂ ବାହାରୁ ଅଣାଯାଇଥିବା ଦଙ୍ଗାକାରୀ।’ ପରିସ୍ଥିତି ଖରାପ ହେଉଥିବା ଦେଖି ଶୁଭେନ୍ଦୁ ତୁରନ୍ତ ଫୋନ୍ରେ କାହାକୁ ସ୍ଥାନ ବିଷୟରେ ଜଣାଇଲେ ଏବଂ କହିଲେ,‘ ମୁଁ ଏଠାରେ ଅଛି, ଦୟାକରି ଆସନ୍ତୁ।‘ଏହା ପରେ, ସେଠାରେ ବିଜେପି କର୍ମୀମାନେ ‘ଜୟ ଶ୍ରୀ ରାମ’ ନାରା ଦେଇଥିଲେ,ଯାହାପରେ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇ ଯାଇଥିଲା।
ଗଣମାଧ୍ୟମକୁ ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଥିଲେ ଯେ କଥା କେବଳ ରାଜନୈତିକ ସ୍ଲୋଗାନ ପର୍ଯ୍ୟନ୍ତ ସୀମିତ ନଥିଲା। ମୁଁ ୧୫ ମିନିଟ୍ ପାଇଁ ନୀରବରେ ଶୁଣିଲି, କିନ୍ତୁ ଯେତେବେଳେ ସେମାନେ ଆମ ଧର୍ମ ଏବଂ ଆମ ଦେବତାଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କଲେ, ମୁଁ ଜବାବ ଦେଲି। ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଯାହା, ଯାହାଫଳରେ ମିଡିଆ ଆଗରେ ଏଭଳି ଦେଖାଇ ହେବ ଯେ, ଶୁଭେନ୍ଦୁ ଅଧିକାରୀ ଏକ ହଙ୍ଗାମା ସୃଷ୍ଟି କରୁଛନ୍ତି।’
ଏହି ସମୟରେ, ଟିଏମସି ନେତା କାଜୋରୀ ବାନାର୍ଜୀ ବିଜେପିର ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ‘ଆମେ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଦେବାକୁ ଆସିଥିଲୁ, କିନ୍ତୁ ଶୁଭେନ୍ଦୁ ଅଧିକାରୀ ଏଠାକୁ ଆସି ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। କେହି ତାଙ୍କ ଉପରେ ଆକ୍ରମଣ କରିନାହାଁନ୍ତି, ସେ କେବଳ ଭୋଟକୁ ପ୍ରଭାବିତ କରିବା ପାଇଁ ମିଥ୍ୟା ଅଭିଯୋଗ ଆଣୁଛନ୍ତି।’