ଭୁବନେଶ୍ବର, ୧୨।୪ : ସୋମବାର ଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସମେତ ରତ୍ନଭଣ୍ଡାର ଗଣତି ମଣତି ଟିମ୍ ର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ପ୍ରସ୍ତୁତି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଏବଂ ଗଣତି ମଣତି ଟିମ୍ ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ କିଭଳି ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ, କେଉଁ ମାନେ ଭିତରେ ଏବଂ ବାହାରେ ରହିବେ, କ'ଣ ସବୁ ବ୍ୟବସ୍ଥା ହେବ ସେନେଇ ସବିଶେଷ ଆଲୋଚନା ହୋଇଥିଲା। ତେବେ ଏସଓପି ଅନୁଯାୟୀ ପ୍ରତିଦିନ ଜିଲ୍ଲା ଟ୍ରେଜେରୀରୁ ଭିତର ରତ୍ନଭଣ୍ଡାରର ଚାବି ଅଣାଯାଇ ପୁରୀ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ। ଗଣତି ମଣତି କାର୍ଯ୍ୟ ଶେଷ ପରେ ପ୍ରତ୍ୟେକ ଦିନ ଭିତର ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ। ରତ୍ନ ଅଳଙ୍କାର ବିଶେଷଜ୍ଞ, ଆରବିଆଇ ଅଧିକାରୀ ଉପସ୍ଥିତ ରହି ପ୍ରତ୍ୟେକ ରତ୍ନ ଅଳଙ୍କାରର ଗଣତି ମଣତି କରିବା ସହ ରତ୍ନ ଅଳଙ୍କାରର ଓଜନ ଏବଂ କେଉଁ ପ୍ରକାରର ମୋତି ମାଣିକ୍ୟ ରହିଛି ତା'ର ଚିହ୍ନଟ କରିବେ। ସେହିପରି ସବୁ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ। ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲକ ପ୍ରସ୍ତୁତ କରାଯିବ। ଯାହାଫଳରେ ଆଗାମୀ ଦିନରେ ଯଦି କେବେ ଗଣତି ମଣତି କାର୍ଯ୍ୟ ହୁଏ ତାହା ଖୁବ୍ କମ୍ ସମୟ ଏବଂ ସହଜରେ ହୋଇପାରିବ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ସେହିପରି ଗତ ଏପ୍ରିଲ୍ ୮ ତାରିଖରୁ ୧୧ ତାରିଖ ଚାରିଦିନ ଧରି ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ କରାଯାଇଛି।