PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ପୁରୁଣା ପେନସନ, ୨୮୦୦ ଟଙ୍କା ଗ୍ରେଡ ପେ ଦାବି ତେଜିଲା : ରାଜରାସ୍ତାରେ ଓହ୍ଲାଇଲେ ଭୋଗରାଇର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

ଭୋଗରାଇ,୧୯/୧୧: ୨୦୦୫ ଜାନୁଆରୀ ୧ ପରେ ନିଯୁକ୍ତ ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଏନପିଏସ ପରିବର୍ତ୍ତେ ପୁରୁଣା ପେନସନ ସ୍କିମ ପୁନଃ ପ୍ରଚଳନ କରିବା, କେନ୍ଦ୍ରୀୟ ହାରରେ ପ୍ରାଥମିକ ଶିକ୍ଷକ ମାନଙ୍କ ଗ୍ରେଡ ପେ ୨୮୦୦ ଟଙ୍କାକୁ ବୃଦ୍ଧି କରିବା। ୬ ବର୍ଷର ଶିକ୍ଷା ସହାୟକ ସମୟକୁ ମୂଳ ଚାକିରି ସହିତ ଗଣନା କରିବା ସହିତ ୬ ଟି ଇନକ୍ରିମେଣ୍ଟ ପ୍ରଦାନ କରିବା ଆଦି ଦାବିକୁ ନେଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପ୍ରାଥମିକ ଶିକ୍ଷକ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ଏନପିଏସ) ଡାକରାରେ ଏହି ୩ ଟି ପ୍ରମୁଖ ଦାବିକୁ ନେଇ ଶନିବାର ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ବିଶାଳ ଶୋଭାଯାତ୍ରା ଥାନା ଛକ ହେଲିପ୍ୟାଡ ପଡ଼ିଆରୁ ଆରମ୍ଭ ହୋଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ପରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ଭୋଗରାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ବ୍ଲକ ସଭାପତି ବେନୁଚରଣ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଙ୍ଗଠନର ସମ୍ପାଦକ ଗୌତମ କୁମାର ଦତ୍ତ ଯୋଗ ଦେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ବିଭିନ୍ନ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହାସହିତ ରାଜ୍ୟ ସରକାର ୨୦୧୩ ପରବର୍ତ୍ତୀ ଠିକା ଶିକ୍ଷକ ନିଯୁକ୍ତିକୁ ଉଚ୍ଛେଦ କରି ରେଗୁଲାର କରିଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନେ ଏଥିରୁ ବଞ୍ଚିତ ହେବା ଘଟଣା ଅତନ୍ତ୍ୟ ଲଜ୍ଜାଜନକ ବୋଲି କହିଥିଲେ। ଏହାର ପ୍ରତିବାଦରେ ରାଜ୍ୟ ମହାସଂଘ ଡାକରାରେ ଆସନ୍ତା ନଭେମ୍ବର ୨୫ ତାରିଖରେ ରାଜଧାନୀ ଭୁବନେଶ୍ବରରେ ଏକ ବିଶାଳ ସମାବେଶ ବିକ୍ଷୋଭ ଆୟୋଜନ କରାଯାଇଛି ବୋଲି ଶ୍ରୀ ଦତ୍ତ ସୂଚନା ଦେଇଥିଲେ।

ରାଜ୍ୟ ମହାସଂଘ ସଭାପତି ସୁଶାନ୍ତ କୁମାର ବେହେରା ଯୋଗ ଦେଇ ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି ବିରୋଧରେ ପ୍ରବଳ ବର୍ଷିଥିଲେ। ସଙ୍ଗଠନର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ଜେନା ଓ ଜାକିର ହୋସେନ ସାହା,ଆବାହକ ବଂଶୀଧର ମାଝୀ,ଯୁଗ୍ମ ସମ୍ପାଦକ ବିଶ୍ବମ୍ବର ଗିରି,ହିସାବ ରକ୍ଷକ ଶକ୍ତିପଦ କର,ଉପଦେଷ୍ଟା ପରେଶ ଚନ୍ଦ୍ର ଦାସ, କାର୍ଯ୍ୟକର୍ତ୍ତା ଅଶୋକ କୁମାର ସାହୁ,ରତନ ଦତ୍ତ,ସଞ୍ଜୟ ଗିରି,ଦେବେନ୍ଦ୍ର ପ୍ରଧାନ,ଅବନ୍ତୀ ଜେନା,କବିତା ଦତ୍ତ,ପ୍ରତାପ କୁମାର ମାଝୀ,ଶ୍ୟମାପଦ ଜେନା,ଜନ୍ମେଜୟ ମାଝୀ,ସଞ୍ଜୟ ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେl ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଇଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଯଜ୍ଞେଶ୍ଵର ଜେନା ଓ ବିଆରସିସି ଋଷଭ କୁମାର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। ସଙ୍ଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସମେତ ୬୮୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ବିକ୍ଷୋଭ ସମାବେଶରେ ଅଂଶଗ୍ରହଣ କରିଥିଲେ।