ଭୋଜପୁରୀ ନିର୍ଦ୍ଦେଶକ ସୁଭାଷ ଚନ୍ଦ୍ର ତିୱାରୀଙ୍କ ଦେହାନ୍ତ, ସନ୍ଦେହଜନକ ଅବସ୍ଥାରେ ହୋଟେଲ ରୁମ୍ରୁ ମିଳିଲା ମୃତଦେହ

asianetnews
ମୁମ୍ବାଇ ୨୫/୦୫: ଭୋଜପୁରୀ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ସୁଭାଷ ଚନ୍ଦ୍ର ତିୱାରୀଙ୍କ ଦେହାନ୍ତ ହୋଇଛି। ବୁଧବାର ଦିନ ସୋନଭଦ୍ର ସହରର ଏକ ହୋଟେଲ ରୁମରେ ସନ୍ଦେହଜନକ ଅବସ୍ଥାରେ ସୁଭାଷଙ୍କ ମୃତଦେହ ମିଳିଛି। ରବର୍ଟସଗଞ୍ଜ କୋଟୱାଲୀ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ମନୋଜ କୁମାର ସିଂହ ଏହି ସୂଚନା ଦେଇଛନ୍ତି।
ପୋଲିସ କହିଛି, ସୁଭାଷ ଚନ୍ଦ୍ର ବାରାଣାସୀର ବାସିନ୍ଦା। ସେ ତାଙ୍କ ଫିଲ୍ମ ‘ଦୋ ଦିଲ୍ ବନ୍ଧେ ଏକ୍ ଡୋରି ସେ’ର ସୁଟିଂ ପାଇଁ ଗତ ମେ ୧୧ ତାରିଖରୁ ତାଙ୍କର ୪୦ ଜଣିଆ ଟିମ୍ ସହିତ ଏହି ହୋଟେଲରେ ରହିଥିଲେ। ମଙ୍ଗଳବାର ଦିନ ତାଙ୍କ ସୁଟିଂ ଶେଷ ହୋଇଥିବା ସିଂହ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା, ଯେଉଁଥିରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେ ଆହୁରି କହିଛନ୍ତି, ମଙ୍ଗଳବାର ସନ୍ଧ୍ୟାରେ ସୁଟିଂ ଶେଷ କରିବା ପରେ ସେ ହୋଟେଲକୁ ଫେରିଥିଲେ, କିନ୍ତୁ ବୁଧବାର ଦିନ ପ୍ରାୟ ୧୦ ଟା ପର୍ଯ୍ୟନ୍ତ ତାଙ୍କ ରୁମର କବାଟ ଖୋଲି ନ ଥିବାରୁ ସେଠାରେ ଥିବା କର୍ମଚାରୀ ହୋଟେଲ ମାଲିକଙ୍କୁ ଜଣାଇଥିଲେ। ହୋଟେଲ ଅପରେଟର ଏହି ବିଷୟରେ ରୋବର୍ଟସଗଞ୍ଜ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି କବାଟ ଖୋଲିବା ପରେ ସେମାନେ ସୁଭାଷଙ୍କ ମୃତଦେହ ଖଟ ଉପରେ ପଡ଼ିଥିବାର ଦେଖିଲେ। ବର୍ତ୍ତମାନ ଘଟଣାର ଅନୁସନ୍ଧାନ କରାଯାଉଛି।