ଭୋକର ଠିକଣା ଡଷ୍ଟବିନ୍: ଏ ଯନ୍ତ୍ରଣାର ଶେଷ କେଉଁଠି ? କିଏ ସେ ବୁଝିବ…

ସମ୍ବଲପୁର,୦୩/୦୭: କୁଢ଼କୁଢ଼ ଆବର୍ଜନା । ଡଷ୍ଟବିନ୍ରୁ ଉଛୁଳି ତଳେ ପଡ଼ିଯାଉଥିବା ଅଳିଆ ବି ମୁକ୍ତି ଖୋଜୁଛନ୍ତି । ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି । କାଉ, କୁକୁର ଆବର୍ଜନାରୁ ଖାଦ୍ୟ ଗୋଟାଉଛନ୍ତି । ସେଇଠି କିଛି ବୁଲା ଗାଈଗୋରୁ ବି ନିଜ ନିଜ ଖାଦ୍ୟ ସନ୍ଧାନରେ ଅଛନ୍ତି । ଏହାରି ଭିତରେ କେଇ ଦିନର ଉପାସରେ ରହିଥିବା ଯୁବକଟିଏ ନିଜ ଭୋକ ମେଣ୍ଟାଇବାର ପ୍ରୟାସ କରୁଛି । ଡଷ୍ଟବିନ୍ ଭିତରେ ହାତ ପୂରାଇ ଖାଦ୍ୟ ଅନୁସନ୍ଧାନ କରିବା ସହ ଯାହା ପାରୁଛି ପାଟିରେ ପୂରାଇ ଦେଉଛି । ସହରର ବ୍ୟସ୍ତବହୁଳ ବୁଢ଼ାରଜା ଅଞ୍ଚଳର ଏଭଳି ଏକ ଦୃଶ୍ୟ ସଭ୍ୟ ସମାଜକୁ ସ୍ତବ୍ଧ କରିଦେଇଛି । ପୁଣିଥରେ ସହରରେ ଏହି ଚିତ୍ର ସରକାରୀ ଯୋଜନା ଓ ବ୍ୟବସ୍ଥା ପ୍ରତି ବି ଅଙ୍ଗୁଳି ଉଠାଇଛି । ପ୍ରଶ୍ନବାଚୀ ଉଠିଛି ସରକାରୀ ଯୋଜନାର ସଫଳ ରୂପାୟନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଏହି ଯୁବକ ଜଣଙ୍କ କିଛିଦିନ ହେବ ବୁଢ଼ାରଜା ଅଞ୍ଚଳରେ ବୁଲାବୁଲି କରୁଛନ୍ତି । କିଏ ହାତକୁ ଟେକିଦେଲେ କିଛି ଖାଉଛନ୍ତି ନଚେତ୍ ସେମିତି ରାସ୍ତାକଡ଼ରେ ଶୋଇପଡ଼ୁଛନ୍ତି । ଶନିବାର ଦିନ ପ୍ରାୟ ୧୨ଟାରେ ଏହି ଯୁବକଜଣଙ୍କ ହଠାତ୍ ରାସ୍ତାକଡ଼ରେ ଥିବା ଡଷ୍ଟବିନ୍ ନିକଟରେ ପହଞ୍ଚିଥିଲେ । ଡଷ୍ଟବିନ୍ରେ ହାତ ପୂରାଇ କିଛି ଖାଦ୍ୟ ସଂଗ୍ରହ କରିଥିଲେ । ପ୍ରଥମେ ଡଷ୍ଟବିନ୍ରେ ଏକ ଖଲିରେ ଗୁଡ଼ାଯାଇଥିବା କିଛି ଖାଦ୍ୟକୁ ବାହାରକୁ ଆଣି ତାହାକୁ ଅତି ଆନନ୍ଦରେ ଯୁବକଜଣଙ୍କ ଖାଇବାକୁ ଲାଗିଥିଲେ । ଏହି ଦୃଶ୍ୟ ଦେଖି ଉକ୍ତ ବାଟରେ ଯିବାଆସିବା କରୁଥିବା ଲୋକେ ବି ସ୍ତବ୍ଧ ହୋଇଯାଇଥିଲେ । ସମସ୍ତଙ୍କ ପାଟିରେ ଗୋଟିଏ କଥା, ସତରେ ଏହାହିଁ ହେଉଛି ଭୋକ । ଭିକ୍ଷୁକ୍ତମୁକ୍ତ ସମ୍ବଲପୁର ଘୋଷଣା ହୋଇସାରିଥିବା ବେଳେ କୌଣସି ଅସହାୟ ଲୋକ ବାହାରେ ଯେମିତି ନରୁହନ୍ତି ସେଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇ ଏକ ରାଜପ୍ରାସାଦ ଭଳି ମହଲ ନିର୍ମାଣ ହେଲା । କିନ୍ତୁ ଲୋକ ଦେଖାଣିଆ କିଛି ଲୋକଙ୍କୁ ଆଣି ଏହାର ଉଦ୍ଘାଟନ କରି ପ୍ରଶାସନ ବାହାବା ନେଲା ସିନା, ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିଲାନି ।

କିଛି ମାସ ତଳେ ଜେଲ୍ ଛକ ଅଞ୍ଚଳରେ ଜଣେ ବୃଦ୍ଧା ଡଷ୍ଟବିନ୍ରୁ ଖାଦ୍ୟ ଗୋଟାଇ ଖାଇବା ଦୃଶ୍ୟ ସମଗ୍ର ରାଜ୍ୟରେ ଚହଳ ପକାଇ ଦେଇଥିଲା । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ନିଜ ଉଦ୍ୟମରେ ବୃଦ୍ଧାଙ୍କୁ ଉଦ୍ଧାର କରି ତାଙ୍କ ଚଳିବାର ସମସ୍ତ ବ୍ୟବସ୍ଥା କରିଥିଲା । ଆଗକୁ ଏଭଳି ଦୃଶ୍ୟର ଯେଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ପ୍ରଶାସନ ସଜାଗ ରହିବ ବୋଲି ବି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ସବୁ ସରକାରୀ ପ୍ରତିଶ୍ରୁତି ପରି ଏହି ମନ୍ତବ୍ୟ ବି ପାଣିର ଗାର ପାଲଟିଯାଇଛି । ଶନିବାର ଦିନ ଦ୍ୱିପ୍ରହରରେ ବୁଢ଼ାରଜା ଅଞ୍ଚଳର ଏହି ଦୃଶ୍ୟ ପୁଣିଥରେ ସରକାରୀ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । କେହି ଯେମିତି ଖାଲି ପେଟରେ ନରହିବେ ସେଥିପାଇଁ ସରକାରଙ୍କ ମାଳ ମାଳ ଯୋଜନା, ସରକାରୀ ତହବିଲରୁ ବି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତଥାପି ସମ୍ବଲପୁର ଜିଲ୍ଲାରେ କିନ୍ତୁ ଏସବୁ ଯୋଜନା ଦିଶାହୀନ ହୋଇଯାଇଛି ।