ଭୁବନେଶ୍ୱର,୨୮/୦୮: ନୂଆପଲ୍ଲୀ ଥାନା ସାଲିଆ ସାହି ରାସ୍ତାରେ ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳେ ଜଣେ ଯୁବକଙ୍କୁ ଲୁଟେରା ମାଡ଼ ମାରି ଲୁଟିନେଲେ ଟଙ୍କା ଓ ମୋବାଇଲ୍ । କଟକ ପୁରୀ ବାଇପାସ୍ରେ ରାତି ସାଢ଼େ ୧ଟା ବେଳେ ଆକ୍ରମଣ କରି ବାଇକ୍ ଛଡ଼ାଇ ନେଲେ । ଚନ୍ଦ୍ରଶେଖପୁର ଓ ଧଉଳି ଥାନା ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଛି ଗତ ୧୫ ଦିନରେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି କାମ ସାରି ଦେଇଛି । ଏସବୁ ଘଟଣାରୁ ସ୍ପଷ୍ଟ ଯେ ରାତିରେ ଅପରାଧୀ ସକ୍ରିୟ ଆଉ ପୁଲିସ୍ ନିଘୋଡ଼ ନିଦରେ ଶୋଇପଡୁଛି ।
ରାତି ସାଢ଼େ ୧୦ଟା ହେଲେ ଦୋକାନ ବଜାର ବନ୍ଦ କରିବାକୁ ପିସିଆର ଭ୍ୟାନ୍ ସାଇରନ୍ ମାରି ଏଣେ ତେଣେ ବୁଲୁଛନ୍ତି । ଯେମିତି ରାତି ବଢ଼ିବ ବାସ୍ ଅନ୍ଧାର ଅଣ୍ଡାଳିବେ ପିସିଆର ଭ୍ୟାନ୍ କର୍ମଚାରୀମାନେ । ଅନ୍ଧାର ଜାଗାରେ ଗାଡ଼ି ଲଗାଇ ଶୋଇଯିବେ । ଡାକରା ନ ଆସିଲେ ସେଠାରେ ରାତି ପାହିଯିବ । ଚନ୍ଦ୍ରଶେଖରପୁର, ପଟିଆ, ଜୟଦେବବିହାର, ସିଆରପି, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଳ୍ପନା, ରବି ଟକିଜ୍, ଖଣ୍ଡଗିରି ଭଳି ପ୍ରମୁଖ ଛକରେ ଜଣେ ବି ପୁଲିସ୍ କର୍ମଚାରୀ ନଥିବେ । ତା’ଛଡା ଥାନାରେ ଥିବା ବିଟ୍ ପାଟ୍ରୋଲିଂ କର୍ମଚାରୀଙ୍କର ବି ସମାନ ଅବସ୍ଥା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଥାନାରେ ନାଇଟ୍ ରାଉଣ୍ଡ ଡ୍ୟୁଟିରେ ଥିବା ପୁଲିସ ଥରୁଟିଏ ବୁଲି ଆସି କାମ ସାରି ଦେଉଛନ୍ତି । ରାଜଧାନୀ ଭଳି ସହରରେ ରାତିରେ ସାଧାରଣ ଲୋକଟି ବାହାରକୁ ବାହାରିବା ମାନେ ବିପଦ ସହ ଳଢ଼ିବା । ଏଭଳି ପୁଲିସ ସେବା ପାଇଁ ସହରବାସୀଙ୍କ ଜୀବନ ଏବେ ବାଜିରେ ।
ନୂଆ କମିଶନର ଓ ଡିସିପି ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ପର୍ଯ୍ୟନ୍ତ ପୁଲିସ୍, ପିସିଆର ଭ୍ୟାନ୍ ଓ ବିଟ୍ ପାଟ୍ରୋଲିଂ କର୍ମଚାରୀ ସକ୍ରିୟ ହେଇଉଠନ୍ତି । ବିଭିନ୍ନ ଛକରେ ବ୍ଲକିଂ, ଚେକିଂ କରନ୍ତି । କମିଶନର ଓ ଡିସିପି ମଧ୍ୟ ବିଳମ୍ବିତ ରାତିରେ ବିଭିନ୍ନ ଥାନାକୁ ଯାଇ ସ୍ଥିତି ଯାଞ୍ଚ କରନ୍ତି । ୨୦-୨୫ ଦିନ ପରେ ଯଥା ପୂର୍ବଂ ତଥା ପରଂ । ମୁକୁଳା ସହରରେ ଅପରାଧମାନେ ରାଜ୍ କରନ୍ତି ।
ସକାଳ ସାଢ଼େ ୧୦ଟା ହେଲେ ସହରର ପ୍ରମୁଖ ଛକ ଓ ନିଛାଟିଆ ରାସ୍ତାରେ ଆରମ୍ଭ ହୁଏ ହେଲ୍ମେଟ ଓ ସିଟ୍ ବେଲ୍ଟ ଚେକିଂ । ମୁଖ୍ୟ ଲକ୍ଷ୍ୟ ଥାଏ ଲୋକଙ୍କ ଫଟୋ ଉଠାଇ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଜରିମାନା ଆଦାୟ କରିବା । ପ୍ରଥମ ପର୍ଯ୍ୟାୟ ସାଢ଼େ ୧୦ରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲେ । ୨ ଘଣ୍ଟା ବିରତି ପରେ ପୁଣି ଆରମ୍ଭ ହୁଏ ଜରିମାନା ସଂଗ୍ରହ । ରାତି ସାଢ଼େ ୯ ଟା ଯାଏଁ ଏହି କାମରେ ଲାଗି ପଡ଼ନ୍ତି ପୁଲିସ୍ କର୍ମଚାରୀମାନେ । ଏମାନଙ୍କ ପାଖରେ ଯଦି ଲୁଟେରା ଓ ଚୋର କିଛି ଅଘଟଣ ଘଟାନ୍ତି ଏମାନେ ସେଥିପ୍ରତି ଧ୍ୟାନ ନ ଦେଇ କେବଳ ଜରିମାନା କାଟନ୍ତି । ଏଜି ଛକରେ ପୁଲିସ୍ ଜରିମାନା କଟିବାକୁ ପରିଶ୍ରମ କରେ । ହେଲେ ଭୁଲିଯାଏ ପାଖ ରାସ୍ତାରେ ଫଳ ଦୋକାନୀମାନେ କେମିତି ରାସ୍ତା ଜାମ୍ କରି ବେପାର କରୁଛନ୍ତି ।
ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଗତ ୨୪ ତାରିଖରେ ଜୟଦେବବିହାର ଛକରେ । ଅପରାହ୍ଣ ସାଢ଼େ ୫ଟା ବେଳେ ଜଣେ ମହିଳା ପଟିଆ ଯିବାକୁ ଅଟୋକୁ ଅପେକ୍ଷା କରିଥିଲେ । ଏହି ସମୟରେ ୨ଜଣ ଲୁଟେରା ତାଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ । ସେଥିରେ ୪ ହଜାର ଟଙ୍କା ଓ ମୋବାଇଲ୍ ଥିଲା । ଯେଉଁଠୁ ଏହି ଲୁଟ୍ ହେଲା ସେଠାରୁ ମାତ୍ର ୩୦ ମିଟର ଦୂରରେ ୪ ଜଣ ପୁଲିସ୍ ବିନା ହେଲ୍ମେଟ୍ରେ ଯାଉଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ଅନ୍ଲାଇନ୍ରେ ଜରିମାନା କାଟୁଥିଲେ । କିନ୍ତୁ କେହି କ୍ଷତିଗ୍ରସ୍ତ ମହିଳାଙ୍କ ପ୍ରତି ନଜର ଦେଇ ନଥିଲେ ।
ଏନେଇ ପୁଲିସ୍ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ପ୍ରାୟ ସବୁଦିନ ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂ କରାଯାଉଛି । ଯାହାର ଗତିବିଧି ଉପରେ ସନ୍ଦେହ ସୃଷ୍ଟି ହେଉଛି ଆମେ ତାକୁ ଥାନାକୁ ନେଇ ପଚରାଉଚରା କରୁଛୁ । ବିଗତ ଦିନ ଠାରୁ ଏବେ ଅପରାଧିକ କାର୍ଯ୍ୟକଳାପ କମ୍ ରହିଛି ।