ଭୁବନେଶ୍ଵର, ୦୫/୦୬ (ଅନିଲକାନ୍ତ ଦାସ) : ରାଜଧାନୀ ଅଞ୍ଚଳରେ ଆର୍ଦ୍ରଭୂମି ଭରି ରହିଥିଲା । ଖରା ଦିନେ ବି ଥଣ୍ଡା ରହୁଥିଲା ଭୁବନେଶ୍ୱର । ହେଲେ ଆଜି ଗୃହ, ରାସ୍ତା ନିର୍ମାଣର ଆଁ ଭିତରେ ହଜିଗଲାଣି ଆର୍ଦ୍ରଭୂମି । କୋଠାବାଡି, ରାସ୍ତା ତଳେ ପୋତିହୋଇଗଲାଣି । ଫଳରେ ପରିବେଶ ସନ୍ତୁଳନ ବିଗିଡିଗଲାଣି । ଗ୍ରୀଷ୍ମ କାଳରେ ଉତ୍ତପ୍ତ ପିଣ୍ଡୁଳା ପାଲଟିଲାଣି ରାଜଧାନୀ । ବିନ୍ଦୁ ସାଗର ଉତ୍ତରକୋଣରୁ ‘ଅସୁର କିଆରି’ ୟୁନିଟ୍-୬, ଭୀମପୁର ଓୟୁଏଟି ଦେଇ ଭରତପୁର ଜଙ୍ଗଲ ପର୍ଯ୍ୟନ୍ତ ଲମ୍ବିଥିଲା । ଏହା ସବୁଠାରୁ ବଡ଼ ଆର୍ଦ୍ରଭୂମି ରୂପେ ପରିଚିତ ଥିଲା । ସନ୍ତସନ୍ତିଆ ଏହି ଜମିରେ ବିଭିନ୍ନ ପ୍ରକାରର ମାଛ, କଇଁଛ, କଙ୍କଡ଼ା, ଘାସ, ଦଳ ଓ ଶିଉଳି ଦେଖିବାକୁ ମିଳୁଥିଲା । କ୍ରମଶଃ କଂକ୍ରିଟ୍ ଜଙ୍ଗଲ ଭିତରେ ଏହା ପୋତି ହୋଇଗଲାଣି । ସ୍ଥାନୀୟ ପରିବେଶକୁ ଥଣ୍ଡା ରଖୁଥିବା ଏହି ଆଦ୍ରଭୂମି ଏବେ ତା’ର ପରିଚୟ ହଜାଇ ଦେଇଛି । ସନ୍ତସନ୍ତିଆ ଜମିରେ ଠିଆ ହୋଇଛି ବଡ଼ ବଡ଼ କୋଠା ।
ଅନ୍ୟତମ ଆଦ୍ରଭୂମି ଭାବେ ରଘୁନାଥପୁର ଜଳି ରହିଥିଲା । ଏହା କଳାରାହଙ୍ଗ ମୌଜାରୁ ରଘୁନାଥପୁର ଦାରୁଠେଙ୍ଗ ଯାଏ ବ୍ୟାପୀ ରହିଥିଲା । ନୂଆ ଭୁବନେଶ୍ୱର ଭିତରେ ନିଜର ସତ୍ତା ହରାଇଲାଣି । ଗଙ୍ଗୁଆ ନାଳ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆର୍ଦ୍ରଭୂମି ରହିଥିଲା । ବନ୍ୟା ପରେ ବର୍ଷ ତମାମ ଏହା ସନ୍ତସନ୍ତିଆ ଅବସ୍ଥାରେ ରୁହେ । ହେଲେ ଏହି ନାଳ ଏବେ ସମ୍ପୂର୍ଣ୍ଣ ଭାବେ ଜବରଦଖଲକାରୀଙ୍କ କବଜାରେ । ପଳାଶୁଣି ପାଖରେ ଏହି ଆର୍ଦ୍ରଭୂମିକୁ ଖଣ୍ଡ ଖଣ୍ଡ କରି ବିକ୍ରି ହୋଇଚାଲିଛି । ସାମନ୍ତରାପୁର ପାଖରେ ମଧ୍ୟ ସାମାନ ଅବସ୍ଥା । ଆଉ କିଛିଦିନ ପରେ ଏହା ମାନଚିତ୍ରରୁ ହଜିଯିବ ।
ନନ୍ଦନକାନନ ସଂଲଗ୍ନ କାଞ୍ଜିଆ ହ୍ରଦ ଏବେ ବିପଦରେ । ୭୫ ହେକ୍ଟର ଜମିରେ ଥିବା ଏହି ହ୍ରଦ କ୍ରମଶଃ ପୋତି ହୋଇଗଲାଣି । ଭଳିକି ଭଳି କଇଁ ଫୁଟୁଥିବା ଏହି ହ୍ରଦ ଏବେ ତା’ର ପରିଚୟ ହରାଇଲାଣି । ବରିଷ୍ଠ ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବା ମୁତାବକ ଏହି ଆଦ୍ରଭୂମିକୁ ପୁଣି ଫେରାଇ ଆଣିବାର ଆବଶ୍ୟକତା ରହିଛି । ଦ୍ରୁତ ସହରୀକରଣ ଯୋଗୁଁ ଏହା ପୋତି ହୋଇଯାଉଛି । ଦ୍ରୁତ ବେଗରେ ଆର୍ଦ୍ରଭୂମି ଅବକ୍ଷୟ ପରିବେଶ ସନ୍ତୁଳନକୁ ବିଗାଡୁଛି । ତାପମାତ୍ରା ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି । ଭୂତଳ ଜଳସ୍ତର କମୁଛି । ବହୁ ପ୍ରଜାତିର ଜଳଜୀବ ଓ ଗଛଲତା ଆଉ ଦିଶୁନି । କଂକ୍ରିଟ ସହର ଦୌଡରେ ଆର୍ଦ୍ରଭୂମି ମରୁଭୂମି ପାଲଟିବା ଥୟ ବୋଲି ଅର୍ବାନ ପ୍ଲାନର ଡ. ପିୟୁସ ରଞ୍ଜନ ରାଉତ କହିଛନ୍ତି ।
ଆହୁରି ପଢନ୍ତୁ- କଂକ୍ରିଟ୍ ଜଙ୍ଗଲ ଭିତରେ ଅଣନିଶ୍ୱାସୀ ହୋଇଗଲେଣି ଭୁବନେଶ୍ୱରବାସୀ, କାନ୍ଦୁଛି ଖଣ୍ଡଗିରି-ଉଦୟଗିରି, ଭରତପୁର ଡାକୁଛି ବଞ୍ଚାଅ
କ'ଣ ଏହି ଆଦ୍ରଭୂମି
ଆଦ୍ରଭୂମି ହେଉଛି ଏକ ଏଭଳି ସ୍ଥାନ, ବର୍ଷ ସାରା ପାଣି ରହୁଥିବ । ପାଣି ଅଧିକ ରହି ପାରେ, କିମ୍ବା କମ । ଏପରିକି ପାଣି କମିଲେ ସେ ସ୍ଥାନ ଶୁଖିଲା ରହିବ ନାହିଁ । ଓଦା ବା ସନ୍ତସନ୍ତିଆ ହୋଇ ରହିବ । ଏଥିରେ ବହୁ ଜଳଜୀବ, ଉଦ୍ଭିଦ ବଞ୍ଚି ରୁହନ୍ତି । ଏଥିରେ ବିଭିନ୍ନ ପ୍ରଜାତିର ମାଛ ଓ କଙ୍କଡ଼ା ରୁହନ୍ତି । ଶିଉଳି, ଘାସ ବଞ୍ଚେ । କୀଟପତଙ୍ଗ ଖାଦ୍ୟ ସଂଗ୍ରହ ପାଇଁ ଆସିଥାନ୍ତି । ଆଦ୍ରଭୂମି ପରିବେଶକୁ ଶୀତଳ ରଖିବା ସହ ଭୂ-ତଳ ଜଳସ୍ତର ଖସିବାକୁ ଦିଏ ନାହିଁ । ତାପମାତ୍ରକୁ ନିୟନ୍ତ୍ରଣ କରେ ।
ଭାରତୀୟ ନଦୀକୁ ଶୋଷୁଛି 'Green Vampire' ! ଭାରତକୁ କେମିତି ଆସିଲା ଏହି ପ୍ରଜାତି ଓ ଏହା କେତେ ଭୟଙ୍କର ?