କଂକ୍ରିଟ୍ ଜଙ୍ଗଲ ଭିତରେ ଅଣନିଶ୍ୱାସୀ ହୋଇଗଲେଣି ଭୁବନେଶ୍ୱରବାସୀ । ୭୮ବର୍ଷ ଭିତରେ ବଦଳିଯାଇଛି ରାଜଧାନୀର ପରିବେଶ । ଅନେକ ପାର୍କ ଠିଆ ହୋଇଛି, ଆଗକୁ ବି ଠିଆ ହେବ । ହେଲେ ବିକାଶ ଆଳରେ ବଳିପଡ଼ୁଛି ପ୍ରାକୃତିକ ବନରାଜି । ସେ ବିଶାଳ ଭରତପୁର ଜଙ୍ଗଲ ହେଉ ଅବା ଐତିହ୍ୟସମ୍ପନ୍ନ ଖଣ୍ଡଗିରି-ଉଦୟଗିରି । କେବଳ ଏସବୁ ନୁହେଁ, ଆନନ୍ଦବନ, ସ୍ମୃତିବନ, ବଟାନିକାଲ ଗାର୍ଡେନ, ଏକାମ୍ର ହାଟ, ଏକାମ୍ର ଉଦ୍ୟାନ, ଫରେଷ୍ଟ ପାର୍କ, ଆଇଜି ପାର୍କ, ନିକୋପାର୍କ ଭଳି ପାର୍କ ତଥା ଜଙ୍ଗଲିଆ ପରିବେଶ ରହିଛି । ତଥାପି ସବୁଜିମାର ଅଭାବ ରହିଛି । ଜଙ୍ଗଲର ଘନତ୍ୱ ବଢ଼ିବା ପରିବର୍ତ୍ତେ କମିକମି ଚାଲୁଛି । ଯଦ୍ୱାରା ଅମ୍ଳଜାନ ଥଳିରେ କଣା ହୋଇଯାଇଛି ।
(ଅମନ ଆୟୁଷ୍ମାନ ଦାସ)
ଭରତପୁର ଡାକୁଛି ବଞ୍ଚାଅ
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅଧୀନ ଭରତପୁର ଜଙ୍ଗଲକୁ ରାଜଧାନୀର ଫୁସଫୁସ୍ ବୋଲି କୁହାଯାଏ । ୧୯.୬୨ କିଲୋମିଟର ବ୍ୟାପି ଏହି ବିଶାଳ ଜଙ୍ଗଲ । ଏହି ଜଙ୍ଗଲରେ ଅନେକ ଦୁର୍ମୂଲ୍ୟ ଗଛ ଅଛି । ଜଙ୍ଗଲରେ ହାତୀ, ହରିଣ, ଝିଙ୍କ, ମାଙ୍କଡ଼, ପାତି, ବିଲୁଆ, କୋକିଶିଆଳି ଭଳି ପଶୁ, ମୟୂର, ଚିଲ, ଛଞ୍ଚାଣ ଭଳି ପକ୍ଷୀ ଅଛନ୍ତି । ଏଠାରେ ଜଙ୍ଗଲ ସଫାରି ଥିବାରୁ ପର୍ଯ୍ୟଟକମାନେ ଆସୁଛନ୍ତି । ହେଲେ ଦୁଃଖର ବିଷୟ, ଏହି ପ୍ରାକୃତିକ ଜଙ୍ଗଲର ପ୍ରାୟ ୦.୧୯ ହେକ୍ଟର ଅଞ୍ଚଳ ଜବରଦଖଲକାରୀଙ୍କ କବଜାରେ ରହିଛି । ବାରମ୍ବାର ଅଭିଯୋଗ ପରେ ଜଙ୍ଗଲ ବିଭାଗ ପକ୍ଷରୁ ଜବରଦଖଲକାରୀଙ୍କ ବିରୋଧରେ ୮୦ରୁ ଅଧିକ ମାମଲା ରୁଜୁ ମଧ୍ୟ ହୋଇସାରିଛି । ହେଲେ କିଛି ବଦଳୁନି । ପରିବେଶବିତ୍ ଡ. ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବା କଥା, ଚନ୍ଦକା-ଡମପଡ଼ା ଜଙ୍ଗଲର ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ପାଶ୍ୱର୍ବର୍ତ୍ତୀ ଅଂଶ ମୁଖ୍ୟତଃ ଭରତପୁର ସଂରକ୍ଷିତ ଜଙ୍ଗଲ ଏବଂ ଜଗନ୍ନାଥପ୍ରସାଦ ଜଙ୍ଗଲ ପୌର ସୀମା ଦ୍ୱାରା କ୍ଷୟ ହୋଇ ଚାଲିଛି । ସହରର ଦ୍ରୁତ ପ୍ରସାରଣ ଚନ୍ଦକା ଅଞ୍ଚଳକୁ କ୍ରମଶଃ ସଂକୁଚିତ କରିଚାଲିଛି । ନିକଟରେ କଳିଙ୍ଗନଗର ଜୋନ୍ର ଏକ ୮୯ ଏକର ଅଞ୍ଚଳକୁ ‘ଆନନ୍ଦବନ' ନଗରବନରେ ପରିଣତ କରାଯାଇଛି, ଯାହା ପୂର୍ବରୁ ଚନ୍ଦକା ଜଙ୍ଗଲର ଅଂଶ ବିଶେଷ ଥିଲା । ବୃକ୍ଷ ପରିପୂର୍ଣ୍ଣ ଆଇଆରସି ଭିଲେଜରୁ ପ୍ରଥମେ ୧୯୮୦ ଦଶକରେ ୪୩ତମ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ପାଇଁ ଗଛ କାଟି ଦିଆଯାଇଥିଲା । ତେଣୁ ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ।
କାନ୍ଦୁଛି ଖଣ୍ଡଗିରି-ଉଦୟଗିରି
ଖଣ୍ଡଗିରି-ଉଦୟଗିରି କୋଳରେ ରହିଛି ୪୫୦ ପ୍ରଜାତିର ଉଦ୍ଭିଦ । ୧୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଔଷଧୀୟ ଗଛ । ୧୯୦ ପ୍ରଜାତିର ଜୀବଜନ୍ତୁ, ୫୦ପ୍ରଜାତିର ପ୍ରଜାପତି, ୩୦ ପ୍ରଜାତିର କୀଟପତଙ୍ଗ ବି ଆଶ୍ରୟ ନେଇଛନ୍ତି । କାହିଁ କେଉଁ କାଳରୁ ଭୁବନେଶ୍ୱର ଛାତି ଉପରେ ଦଣ୍ଡାୟମାନ ଖଣ୍ଡଗିରି-ଉଦୟଗିରି ପାହାଡ଼ ଜୈବବିବିଧତାର ଗନ୍ତାଘର । ମାତ୍ର କଂକ୍ରିଟର ଚାଦର ତଳେ ଆଜି କାନ୍ଦୁଛି ଏହି ଐତିହ୍ୟସମ୍ପନ୍ନ ପାହାଡ଼ ଦ୍ୱୟ । ଶବ୍ଦ ପ୍ରଦୂଷଣରୁ ନେଇ ବାୟୁ ପ୍ରଦୂଷଣ ସବୁକିଛି ସହୁଥିବା ଏହି ପରିବେଶ ଆଜି ବଞ୍ଚିବାକୁ ନ୍ୟାୟ ମାଗୁଛି । ଭୌଗୋଳିକ ଦୃଷ୍ଟିକୋଣରୁ ଖଣ୍ଡଗିରିଉଦୟଗିରି ପାହାଡ଼ରେ ପ୍ରାୟ ୩ହଜାର ହେକ୍ଟର ପରିମିତ ଜଙ୍ଗଲ ରହିଛି । ଏହା ଭିତରେ କେତେକ ବିରଳ ଅଗ୍ନିଶିଖା, ଅଶୋକ, ଅକାନବିନ୍ଦି, ଜୟଷଣ୍ଢା, ପେଙ୍ଗୁ, ଏକ୍ସିରା ଭଳି ଗଛ ବି ଲୁଚି ରହିଛି । ଏଠାରେ ଅନେକ ପଶୁ, ପକ୍ଷୀ ଓ ସରିସୃପ ରହୁଛନ୍ତି । ଏସବୁ ଦୃଷ୍ଟିରୁ ଖଣ୍ଡଗିରି-ଉଦୟଗିରି ଭୁବନେଶ୍ୱର ପାଇଁ ଏକ ଅମୂଲ୍ୟ ସମ୍ପଦ । ପୂର୍ବରୁ ରାସ୍ତା ସମ୍ପ୍ରସାରଣ ପାଇଁ ଉଦୟଗିରି ପାହାଡ଼ର କିଛି ଅଂଶକୁ କାଟି ଦିଆଯାଇଥିଲା । ଫଳରେ ଏହାର ଜୈବବିବିଧତା ଉପରେ ପ୍ରଭାବ ପଡ଼ୁଛି । ବିଭିନ୍ନ ସମୟରେ ନିଆଁ ଲଗାଯାଉଥିବାରୁ ପଶୁପକ୍ଷୀମାନେ ଭୟଭୀତ ହୋଇଯାଉଛନ୍ତି ।
ମଡେଲ ହୋଇ ରହିଗଲା ଏକାମ୍ର ବନ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପାର୍ଶ୍ୱ ତଥା ବିନ୍ଦୁ ସାଗର କୂଳରେ ଏକାମ୍ର ବନ ବିକଶିତ ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୯ରେ ଏହାକୁ ରାଜଧାନୀବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ । ଏହି ବନରେ ୨ଶହରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ ଓ ଗୁଳ୍ମ ରହିଛି । ସେଥିମଧ୍ୟରେ ରୁଦ୍ରାକ୍ଷ, ବଉଳ, ଅର୍ଜୁନ, କୁଙ୍କୁମ, ଗଙ୍ଗଶିଉଳି, ବେଲ, ଭୃଙ୍ଗରାଜ, ମାଙ୍କଡ଼ାକେନ୍ଦୁ, ବୃଦ୍ଧଦାରକ, ଜାଇଫଳ, ସର୍ବମସଲା, ତେଜପତ୍ର ଭଳି ଗଛ ଏଠାରେ ଅଛି । ସେହିପରି ନର୍ସରୀରେ ମଧ୍ୟ ବିଭିନ୍ନ ଔଷଧୀୟ ବୃକ୍ଷ ମିଳୁଛି । ହେଲେ ଏହି ଏକାମ୍ର ବନ ମଡେଲ ହୋଇରହିଯାଇଛି । ଆଉ ଦ୍ୱିତୀୟ ଏକାମ୍ର ବନ ବିକଶିତ ହେଉନି । ତେଣୁ ଏହାର ସମ୍ପ୍ରସାରଣ ସହ ରାଜଧାନୀରେ ଅନ୍ୟ ସ୍ଥାନରେ ଏହି ଭଳି ବନ ତିଆରି ହେଉ ।