PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବିଧବା ମହିଳାଙ୍କୁ ହୋମଗାର୍ଡଙ୍କ ଦୁଷ୍କର୍ମ ଉଦ୍ୟମ; ଭୁଜାଲି ଧରି ଆକ୍ରମଣ କରିବାରୁ ଜୋତା, ବାଇକ, ପୋଷାକ ଛାଡ଼ି ଚମ୍ପଟ ମାରିଲେ ଅଭିଯୁକ୍ତ

ଖଇରା,୨୭/୦୯: ବିଧବାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ଜଣେ ହୋମଗାର୍ଡଙ୍କ ବିରୋଧରେ । ବିଧବା ଜଣକ ପାଖରେ ଥିବା ଏକ ଭୁଜାଲି ଧରି ଆକ୍ରମଣ କରିବାରୁ ଭୟରେ ଅଭିଯୁକ୍ତ ହୋମଗାର୍ଡ ତାଙ୍କୁ ଛାଡ଼ି ଚମ୍ପଟ ମାରିଛନ୍ତି । ହେଲେ ନିଜ ଜୋତା, ପୋଷାକ ଓ ବାଇକ ଛାଡ଼ି ପଳାଇଥିବାରୁ ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ନିନ୍ଦନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ କଇଥଗଡ଼ିଆ ଅଞ୍ଚଳରେ ଘଟିଛି । ଏନେଇ ପୀଡ଼ିତା ଖଇରା ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ସ୍ୱାମୀ ବଞ୍ଚିଥିବା ବେଳର ଘଟଣା । ଜମିଜମା ବିବାଦକୁ ନେଇ ଖଇରା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ନୟାଖଣ୍ଡି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ସରକାରୀ ମାପ କରିବା ପାଇଁ ତାଙ୍କ ସ୍ୱାମୀ ଆଲୋଚନା କରିଥିଲେ । ଏନେଇ ପୂର୍ବରୁ ମହିଳାଙ୍କ ଘରକୁ ଆସିଥିଲେ ପୂର୍ଣ୍ଣଚନ୍ଦ୍ର । ଅଢ଼େଇ ମାସ ତଳେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସେବେଠାରୁ ମହିଳା ଜଣକ ଘରେ ଏକୁଟିଆ ରହୁଛନ୍ତି । ସୋମବାର ଅପରାହ୍ଣରେ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ତାଙ୍କ ଘରକୁ ଆସିଥିଲେ । ମହିଳାଙ୍କ ଭତ୍ତା ଫର୍ମ ଭୁଲ ଥିବା କହିବା ସହିତ ଫର୍ମ ଆଣିବା ପାଇଁ କହିଥିଲେ । ମହିଳା ଜଣକ ଘର ଭିତରକୁ ଫର୍ମ ଆଣିବା ପାଇଁ ଯିବା ବେଳେ ହୋମଗାର୍ଡ ଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ । ପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ସେ ପାଟି କରିବାରୁ ତଣ୍ଟି ଚିପିଧରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । କୌଶଳ କ୍ରମେ ପାଖରେ ଥିବା ଏକ ଭୁଜାଲିି ଧରି ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ମହିଳା । ମହିଳାଙ୍କ ଉଗ୍ର ରୂପ ଦେଖି ଭୟରେ ପୂର୍ଣ୍ଣଚନ୍ଦ୍ର ସେଠାରୁ ଖସି ପଳାଇଥିଲେ । ହେଲେ ମହିଳାଙ୍କ ଘରେ ହୋମଗାର୍ଡଙ୍କ ଫୁଲ ପ୍ୟାଣ୍ଟ, ଜୋତା ଏବଂ ବାଇକ ରହିଯାଇଥିଲା। ଏନେଇ ମହିଳା ଜଣକ ଖଇରା ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ରଙ୍କ ବୋହୂ ରୀତାରାଣୀ ଦାସ ପାଲଟା ଅଭିଯୋଗ ଆଣିଛନ୍ତି । ଉକ୍ତ ମହିଳା ଜଣକ ତାଙ୍କ ଝିଅ ବିହାଘର ସମୟରେ ଶଶୂର ପୂର୍ଣ୍ଣଚନ୍ଦ୍ରଙ୍କଠାରୁ ୨୦ହଜାର ଟଙ୍କା ଧାର ନେଇଥିଲେ ବୋଲି ସେ କହିଛନ୍ତି । ଆଜି ଉକ୍ତ ଟଙ୍କା ଦେବା ନେଇ ପୂର୍ଣ୍ଣଚନ୍ଦ୍ରଙ୍କୁ ଡାକିଥିଲେ ମହିଳା । ଟଙ୍କା ନଦେଇ ଶ୍ୱଶୁରଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ବାଇକ, ଫୁଲ ପ୍ୟାଣ୍ଟ ଓ ଜୋତା ଜବରଦସ୍ତି ରଖିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଖଇରା ପୁଲିସ ଘଟଣାର ତଦନ୍ତ କରିବା ସହ ମହିଳାଙ୍କ ଘରୁ ହୋମଗାର୍ଡଙ୍କ ବାଇକ୍‌, ଫୁଲ ପ୍ୟାଣ୍ଟ ଓ ଜୋତା ଜବତ କରିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଦାସଙ୍କ କୌଣସି ଖବର ମିଳିନାହିଁ ।

ସମ୍ବନ୍ଧିତ ଖବର