ନିରଞ୍ଜନଙ୍କ ପାଇଁ ଚାଲେଞ୍ଜ

source:http://www.pragativadi.com
ଭୁବନେଶ୍ୱର,୨୧ା୧(ବ୍ୟୁରୋ): ଇସ୍ତଫା, ବହିଷ୍କାର ଓ ଦଳ ଡିଆଁ ସଙ୍କଟ ଭିତରେ ରାଜ୍ୟ କଂଗ୍ରେସ ପେଶି ହେଉଥିବାବେଳେ ଓଡ଼ିଶା ଆସୁଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତା ୨୫ ତାରିଖରେ ତମାଣ୍ଡୋ ପଡ଼ିଆରୁ କଂଗ୍ରେସ ପାଇଁ ନିର୍ବାଚନୀ ପ୍ରଚାରର ବିଗୁଲ୍ ବଜାଇବେ ରାହୁଲ । ନିରାଶା ଭିତରେ ଗତି କରୁଥିବା ଦଳୀୟ କର୍ମକର୍ତ୍ତାଙ୍କ ଭିତରେ ଜୋଶ୍ ଭରିବେ । ରାଜ୍ୟ କଂଗ୍ରେସ ପାଇଁ ରାହୁଲଙ୍କ ଏହି ଗସ୍ତ ବେଶ୍ ମହତ୍ତ୍ୱପୂର୍ଣ୍ଣ । ନିର୍ବାଚନ ମଇଦାନକୁ ଡେଇଁବାକୁ ହେଲେ ରାହୁଲଙ୍କ ସମାବେଶ ଜରିଆରେ କଂଗ୍ରେସକୁ ଶକ୍ତି ପ୍ରଦର୍ଶନ କରିବାକୁ ହେବ । ତେଣୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏହା ଏକ ବଡ଼ ଚାଲେଞ୍ଜ । ଏଥିପାଇଁ ନିରଞ୍ଜନ ଲାଗି ପଡ଼ିଛନ୍ତି ସମାବେଶ ପ୍ରସ୍ତୁତିରେ । କେମିତି କର୍ମୀ ଆସିବେ, ସେହି କାମରେ ରାତି ଦିନ୍ ଏକ୍ କରିଦେଇଛନ୍ତି ।
ଏହାକୁ ନେଇ ନିରଞ୍ଜନ ଆଜି ଦଳୀୟ ନେତାମାନଙ୍କ ସହ ପୃଥକ ପୃଥକ ଆଲୋଚନା କରିଛନ୍ତି । ଏଆଇସିସି ସମ୍ପାଦକମାନଙ୍କ ଉପସ୍ଥିତିରେ ସମାବେଶ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । କର୍ମୀ ଆଣିବା ପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀର ଟିକେଟ ଆଶାୟୀଙ୍କୁ ଟାର୍ଗେଟ ଦିଆଯାଇଛି । କିଏ କେତେ କର୍ମୀଙ୍କୁ ଆଣି ନିଜ ଶକ୍ତି ଦେଖାଇ ପାରିବେ, ସେଥିପାଇଁ ଟିକେଟ ଆଶାୟୀଙ୍କ ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବିଶେଷ କରି ଖୋର୍ଦ୍ଧା, କଟକ, ନୟାଗଡ଼, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଜିଲ୍ଲାରୁ ଅଧିକ ଅଧିକ କର୍ମୀ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ରାହୁଲଙ୍କ ସମାବେଶକୁ ଟକ୍କର ଦେବ ‘କାଳିଆ’ ସମାବେଶ । କାରଣ ଠିକ୍ ସେଇ ଦିନ ‘କାଳିଆ’ ଯୋଜନାର ହିତାଧିକାରୀଙ୍କୁ ପ୍ରଥମ ସହାୟତା ରାଶି ବଣ୍ଟନ ପାଇଁ ପୁରୀରେ ଏକ ମେଗା ଚାଷୀ ସମାବେଶ କରାଯାଉଛି । ଏହି ସମାବେଶ କଂଗ୍ରେସର ଚିନ୍ତା ବଢ଼ାଇଛି । ରାହୁଲଙ୍କ ସମାବେଶ ପାଇଁ କଂଗ୍ରେସକୁ ଆବଶ୍ୟକ ସଂଖ୍ୟକ ବସ୍ ମିଳୁନି । ବସ୍ ନ ଥିଲେ ଦୂରଦୂରାନ୍ତରୁ କର୍ମୀମାନଙ୍କୁ ଟ୍ରେନ୍ରେ ଆଣିବା ପାଇଁ କୁହାଯାଇଛି । ପାଖ ନିର୍ବାଚନମଣ୍ଡଳୀ କର୍ମୀଙ୍କୁ ଆଣିବା ପାଇଁ ୪ ଚକିଆ ଯାନ ଓ ଅଟୋ ଆଣିବାକୁ ପରାମର୍ଶ ଦିଆଯାଇଛି । ରାହୁଲଙ୍କ ଗସ୍ତ ସମ୍ପର୍କରେ ବ୍ୟାପକ ପ୍ରଚାର ପାଇଁ ଜିଲ୍ଲା କମିଟିକୁ ପୋଷ୍ଟର ଓ ଲିଫ୍ଲେଟ୍ ଦିଆଯାଇଛି । ରାହୁଲଙ୍କ ଗସ୍ତ ପୂର୍ବରୁ ପ୍ରୋଜେକ୍ଟ ଶକ୍ତି ଆପ୍ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ନିର୍ବାଚନମଣ୍ଡଳୀ ନେତମାନାଙ୍କୁ କୁହାଯାଇଛି । ନିରଞ୍ଜନ ପିସିସି ସଭାପତି ହେବା ପରେ ରାହୁଲଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହେବ । ତାହା ପୁଣି ନିର୍ବାଚନ ସମୟରେ । ଏହାକୁ ସଫଳ କରିବା ନିରଞ୍ଜନଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।
ରାହୁଲଙ୍କ ଗସ୍ତକୁ ନେଇ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପ୍ରସ୍ତୁତି ବୈଠକ ବସିଥିଲା । ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଅନିଲ ଚୌଧୁରୀ ଓ ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ପିସିସି ଉପସଭାପତ ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମୁଖପାତ୍ର ବିଭୁ ତରାଇ ଓ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ବୈଠକରେ ରାହୁଲଙ୍କ ଆଗମନରୁ ନେଇ ଫେରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ଆଲୋଚନା ହୋଇଥିଲା । ବିମାନବନ୍ଦରରେ ପହଞ୍ଚିବା ପରେ ହୋଟେଲ ପର୍ଯ୍ୟନ୍ତ ରାହୁଲ ରୋଡ୍ ସୋ’ କରି ଯିବେ । ବାଟ ସାରା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ଦାୟିତ୍ୱ ନେଇଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ । ବିଜୁ ପଟ୍ଟନାୟକ ବିମାନବନ୍ଦର ଗୋଲେଇ ଛକ, ଏୟାରପୋର୍ଟ ଟ୍ରାଫିକ୍ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ ଛକ, ଜୟଦେବବିହାର ଛକ ଓ ହୋଟେଲ ସମ୍ମୁଖ ପର୍ଯ୍ୟନ୍ତ କଂଗ୍ରେସ କର୍ମକର୍ତ୍ତାମାନେ ଉପସ୍ଥିତ ରହି ରାହୁଲଙ୍କୁ ସ୍ୱାଗତ ଜଣାଇବେ । ସେହିପରି ରାହୁଲ ହୋଟେଲରୁ ତମାଣ୍ଡୋ ପଡ଼ିଆ ପର୍ଯ୍ୟନ୍ତ ଯିବାବେଳେ କର୍ମକର୍ତ୍ତା ବାଟ ସାରା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବେ ଭୁବନେଶ୍ୱର କର୍ମକର୍ତ୍ତା ।