ପାଟନା,୨୨/୧୦: ବିହାର ବିଧାନସଭା ନିର୍ବାଚନକୁ ଆଉ କିଛି ସପ୍ତାହ ବାକି ଅଛି । ମୋଟାମୋଟି ଦେଖିବାକୁ ଗଲେ ୧୫ ଦିନ ରହିଛି । ମହାମେଣ୍ଟ ଏପର୍ଯ୍ୟନ୍ତ ଆସନ ବଣ୍ଟନ ନେଇ ସହମତିରେ ପହଞ୍ଚି ପାରିନାହିଁ । ରାଜ୍ୟରେ ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରିନି । କଂଗ୍ରେସ ଓ ଆର୍‌ଜେଡି ଜାରି କରିଥିବା ପ୍ରାର୍ଥୀ ତାଲିକାରେ ପ୍ରାୟ ୧୨ ଆସନରେ ମହାମେଣ୍ଟ ବନାମ ମହାମେଣ୍ଟ ଲଢ଼େଇ ହେବ । ଏଭିଳି ସ୍ଥିତିରେ ବିରୋଧୀ ମହାମେଣ୍ଟରେ ବିବାଦ ଜଟିଳ ହୋଇପାରେ । ଅନ୍ୟ ଆସନରେ ଏହାର ପ୍ରଭାବ ପଡିପାରେ । ମହାମେଣ୍ଟର ସିଟ୍‌ ସେୟାରିଂକୁ ନେଇ ଆଜି ନିଷ୍ପତ୍ତି ଆସିପାରେ । ଅଶୋକ ଗେହଲଟ ପାଟନାରେ ତେଜସ୍ୱୀ ଯାଦବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲିଠୁ (ଗୁରୁବାର) ମହାମେଣ୍ଟ ପ୍ରଚାର ଆରମ୍ଭ କରିବ ।

ବିହାରରେ ୧୨ ଆସରେ ମହାମେଣ୍ଟ ଆଶାୟୀ ପରସ୍ପର ବିରୋଧରେ ଲଢିବେ । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ୬ ଆସନରେ ଆରଜେଡ଼ି ବନାମ କଂଗ୍ରେସ, ୪ ଆସନରେ ସିପିଆଇ ବନାମ କଂଗ୍ରେସ ଏବଂ ୨ଟି ଆସନରେ ଭିଆଇପି ବା ବିକାଶଶୀଳ ଇନସାନ ପାର୍ଟି ବନାମ ଆର୍‌ଜେଡି ମୁହାଁମୁହିଁ ହେବେ । ଆର୍‌ଜେଡ଼ି ସୋମବାର ୧୪୩ ପ୍ରାର୍ଥୀ ବିଶିଷ୍ଟ ଏକ ତାଲିକା ଜାରି କରିବା ପରେ ଏହି ଚିତ୍ର ସ୍ପଷ୍ଟ ହୋଇଛି । କଂଗ୍ରେସ ଯେଉଁ ୬ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିଲା ଆର୍‌ଜେଡ଼ି ମଧ୍ୟ ସେହି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ବିରୋଧୀ ମହାମେଣ୍ଟରେ ଯେଉଁ ଆସନ ବୁଝାମଣା ଅନିଶ୍ଚିତତା ଜାରି ରହିଛି ତାହା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୩ରେ ସ୍ପଷ୍ଟ ହେବ ।

​​​​​​​ଗତ ଦୁଇ ବିଧାନସଭା ନିର୍ବାଚନେ ଆର୍‌ଜେଡି ସବୁଠୁ ଦଳ ଭାବେ ଉଭା ହୋଇଛି । ସେ ୧୪୩ ଆସନରେ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ଏଥର ୬୧ ଆସନରେ ଲଢୁଛି । ଏହା ୨୦୨୦ ମୁକାବିଲା ଅନୁସାରେ ୫ କମ୍ ଅଛି । ଗତ ନିର୍ବାଚନରେ କଂଗ୍ରେସକୁ ୧୯ ଆସନ ମିଳିଥିଲା । ସେହିପରି ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ପୂର୍ବରୁ ୪୦-୫୦ ସିଟ୍‌ ଏବଂ ସରକାର ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦ ଦାବି କରିଥିଲା । ଶେଷରେ ୧୯ ଆସନରେ ବୁଝାମଣା କରିଥିଲା । ବର୍ତ୍ତମାନ ଦଳ ପାଖରେ କୌଣସି ବିଧାନସଭା ସଦସ୍ୟ ନାହିଁ । 

ମହାମେଣ୍ଟର ନେତାମାନେ ଏହାକୁ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ବୋଲି କହିଛନ୍ତି । ଏହାକୁ ନେଇ ଚିରାଗ ପାଶୱାନ କହିଛନ୍ତି ବନ୍ଧୁତ୍ବପୂର୍ଣ୍ଣ ଲଢେଇ ବୋଲି କିଛି ନାହିଁ । ତୁମେ ବନ୍ଧୁ ହୋଇପାର କିମ୍ବା ଶତ୍ରୁ । ତେବେ ଏହି  'ବନ୍ଧୁତ୍ୱପୂର୍ଣ୍ଣ ଲଢେଇ'ରେ କାହାକୁ ଲାଭ କାହାକୁ କ୍ଷତି ହେବ ତାହା ସମୟ କହିବ । ସେପଟେ ମହାମେଣ୍ଟ ଭିତରେ ଏହି ଅନ୍ତଃକନ୍ଦଳ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟକୁ ଫାଇଦା ଦେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି  । ଆସନ୍ତା ନଭେମ୍ବର ୬ ଓ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିହାର ନିର୍ବାଚନ ହେବ  । ୧୪ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।