ପାଟନା, ୭।୫: ବିହାର ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ମନ୍ତ୍ରିମଣ୍ଡଳ ଆଜି ସମ୍ପ୍ରସାରିତ ହୋଇଛି । ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୋଟ ୩୨ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି କ୍ୟାବିନେଟ୍ରେ ସବୁଠାରୁ ଚର୍ଚ୍ଚିତ ଚେହେରା ସାଜିଛନ୍ତି ଜେଡିୟୁ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ।
ଗାନ୍ଧୀ ମଇଦାନରେ ହାଇପ୍ରୋଫାଇଲ୍ ଶପଥ ସମାରୋହ:
ଅବସରପ୍ରାପ୍ତ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍ ସୈୟଦ ଅତା ହସନୈନ ସମସ୍ତ ୩୨ ଜଣ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜେଡିୟୁ ସଭାପତି ନୀତିଶ କୁମାରଙ୍କ ସମେତ ଏନଡିଏର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ନୂଆ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଆଞ୍ଚଳିକ ଓ ଜାତିଗତ ସମୀକରଣ ଉପରେ ଗୁରୁତ୍ୱ:
ସମ୍ରାଟ୍ ଚୌଧୁରୀ ନିଜ ମନ୍ତ୍ରିମଣ୍ଡଳରେ ଏନଡିଏର ସମସ୍ତ ପାଞ୍ଚଟି ଘଟକ ଦଳ ଯଥା- ବିଜେପି, ଜେଡିୟୁ, ଏଲଜେପିଆରଭି, ହମ୍ (HAM) ଏବଂ ଆରଏଲଏମ୍କୁ ସ୍ଥାନ ଦେଇ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି । ନିଶାନ୍ତ କୁମାରଙ୍କ ସହ ଅଭିଜ୍ଞ ନେତା ଶ୍ରବଣ କୁମାର, ଅଶୋକ ଚୌଧୁରୀ ଏବଂ ଲେଶି ସିଂହଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ବିଜେପି ପକ୍ଷରୁ ରାମକୃପାଳ ଯାଦବ, ନୀତିଶ ମିଶ୍ର ଏବଂ ଦିଲୀପ ଜୈସୱାଲଙ୍କ ଭଳି ବଡ଼ ନେତାମାନେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଚିରାଗ ପାସୱାନଙ୍କ ଦଳରୁ ଶ୍ରେୟସୀ ସିଂହ, ଜିତନରାମ ମାଝୀଙ୍କ ପୁଅ ଡାକ୍ତର ସନ୍ତୋଷ କୁମାର ସୁମନ ଏବଂ ଉପେନ୍ଦ୍ର କୁଶୱାଙ୍କ ଦଳରୁ ଭଗବାନ ସିଂହ କୁଶୱାଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି ।
୨୨ ଦିନର ଅପେକ୍ଷା ପରେ ପୂର୍ଣ୍ଣାଙ୍ଗ କ୍ୟାବିନେଟ୍:
ଗତ ମାସରେ ନୀତିଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସମ୍ରାଟ୍ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଦୀର୍ଘ ୨୨ ଦିନର ଅପେକ୍ଷା ଏବଂ ବିସ୍ତୃତ ଆଲୋଚନା ପରେ ଆଜି ଶେଷରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି ।
ଶପଥ ନେଇଥିବା ପ୍ରମୁଖ ମନ୍ତ୍ରୀଙ୍କ ତାଲିକା:
ରତ୍ନେଶ ସଦା, କୁମାର ଶୈଳେନ୍ଦ୍ର, ଶୀଲା କୁମାରୀ, କେଦାର ପ୍ରସାଦ ଗୁପ୍ତା, ଲଖେନ୍ଦ୍ର କୁମାର ରୌଶନ, ଭଗବାନ ସିଂହ କୁଶୱା, ଅରୁଣ ଶଙ୍କର ପ୍ରସାଦ, ମଦନ ସହନୀ, ଡାକ୍ତର ସନ୍ତୋଷ କୁମାର ସୁମନ, ରମା ନିଷାଦ, ରାମ କୃପାଳ ଯାଦବ, ନୀତିଶ ମିଶ୍ର, ଦାମୋଦର ରାୱତ, ସଞ୍ଜୟ ସିଂହ ‘ଟାଇଗର’, ବିଜୟ କୁମାର ସିହ୍ନା, ଶ୍ରବଣ କୁମାର, ନିଶାନ୍ତ କୁମାର, ଦିଲୀପ ଜୈସୱାଲ, ଲେଶି ସିଂହ, ସୁନୀଲ କୁମାର, ଶ୍ରେୟସୀ ସିଂହ, ମହମ୍ମଦ ଜମା ଖାନ୍, ନନ୍ଦ କିଶୋର ରାମ ଏବଂ ଶୈଳେଶ କୁମାର । ନିର୍ବାଚନ ପୂର୍ବରୁ ବିହାରର ଏହି ନୂଆ କ୍ୟାବିନେଟ୍ ଆଗାମୀ ଦିନରେ ରାଜ୍ୟର ବିକାଶ ଓ ରାଜନୀତିରେ କି ପ୍ରଭାବ ପକାଉଛି, ତାହା ଦେଖିବାକୁ ବାକି ରହିଲା ।
ଆହୁରି ପଢ଼ନ୍ତୁ... ଚନ୍ଦ୍ରନାଥ ରଥ କିଏ ? ଏୟାରଫୋର୍ସ ଚାକିରି ଛାଡି ହୋଇଥିଲେ ଶୁଭେନ୍ଦୁଙ୍କ ରାଇଟ୍ ହ୍ୟାଣ୍ଡ, ଜାଣନ୍ତୁ TMC ସହ ଥିଲା କିପରି ସମ୍ପର୍କ