ପାଟନା ; ୧୨/୧ : ବିହାର ବିଧାନସଭା ନିର୍ବାଚନ ସମୟରେ ବେଶ ରୋମାଞ୍ଚକର ସ୍ଥିତି ଦେଖିବାକୁ ମିଳିଥିଲା । ବହୁ ଜପୁରୀ କଳାକାରମାନେ ଏହି ନିର୍ବାଚନ ସମୟରେ ନିଜର ଦବଦବା ଦେକାଇଥିଲେ । ମାତ୍ର କିଛି ଏହି ନିର୍ବାଚନରେ ସଫଳ ହୋଇଥିବାବେଳେ ଅଧିକାଂଶଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି । ଆରଜେଡି ପକ୍ଷରୁ ନିର୍ବାଚନ ଲଢ଼ିଥିବା ଜଣାଶୁଣା କଳାକାର ଖେସାରୀ ଲାଲ ଯାଦବଙ୍କୁ ମଧ୍ୟ ପରାଜୟ ବରଣ କରିବାକୁ ପଡ଼ିଛି । ଶେଷରେ ସେ ରାଜନୀତି ଛାଡ଼ି ଦେଇଛନ୍ତି । ଏବେ ତାଙ୍କ ରାସ୍ତାରେ ସାମିଲ ହୋଇଛନ୍ତି ଆଉ ଜଣେ ଗାୟକ ରିତେଶ ପାଣ୍ଡେ । ଜନ ସୁରାଜ ପାର୍ଟି ପକ୍ଷରୁ ସେ ଗତ ନିର୍ବାଚନ ଲଢ଼ିଥିଲେ । ଏବେ ସେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ​​​​​​​

ରିତେଶ ପାଣ୍ଡେ ବିହାର ନିର୍ବାଚନରେ ଜନ ସୁରାଜ ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ି ମାତ୍ର ୧୦,୨୯୪ ଖଣ୍ଡ ଭୋଟ୍ ପାଇଥିଲେ । ସେ ଚତୁର୍ଥ ସ୍ଥାନରେ ରହିଥିଲେ । ହାରିବାର କିଛିଦିନ ପରେ ଏବେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଦଳରୁ ଇସ୍ତଫା ଦେବାର କାରଣ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି କି, ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲି, ନିର୍ବାଚନ ଲଢ଼ିଛି । ପରାଜୟ ପାଇଁ ଜମା ଦୁଃଖିତ ନୁହେଁ । ମୁଁ ମୋର କାମ ସଚ୍ଚୋଟତାର ସହ କରିଛି । ମୁଁ ଜଣେ ସାଧାରଣ ଚା​ଷୀଘରର ପୁଅ । ଆପଣମାନଙ୍କ ଭଲପାଇବା ମୋତେ ଏହି ଜାଗାରେ ପହଞ୍ଚିଛି । ​‌ଯେଉଁ କାମ ପାଇଁ ମୋତେ ଆପଣମାନଙ୍କ ଭଲ ପାଇବା ଦେଇଛି ମୁଁ ସେହି କାମ ଜାରି ରଖିବି । ରାଜନୈତିକ ଦଳର ସଦସ୍ୟ କର୍ମୀ ଭାବେ କାମ କରିବା ମୋ ପାଇଁ କଷ୍ଟ । ଏହି କାରଣରୁ ମୁଁ ଦଳରୁ ଇସ୍ତଫା ଦେଉଛି ।  ତେବେ ସେ ଆଗାମୀ ଦିନରେ କେଉଁ ଦଳରେ ପୁଣି ଯୋଗ ଦେବେ କି ନାହିଁ ସେସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ।