ବିହାରରେ ଥମୁନି ହିଂସା: ଗୁଳିକାଣ୍ଡରେ ଜଣଙ୍କ ମୃତ୍ୟୁ ପରେ ନାଳନ୍ଦାର ବିହାରଶରିଫ୍ରେ କର୍ଫ୍ୟୁ ସହ ଇଣ୍ଟରନେଟ ବନ୍ଦ

jagran.com
ପାଟନା ୦୨/୦୪: ରାମନବମୀ ପରଠାରୁ ବିହାରରେ ହିଂସା ଥମୁନି । ଶନିବାର ସାସାରାମ୍ ଏବଂ ନାଳନ୍ଦାରେ ପୁଣି ହିଂସାକାଣ୍ଡ ହୋଇଛି । ନାଳନ୍ଦାରେ ବିହାର ଥାନା ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଗୁଳିମାଡ଼ ହୋଇଛି । ୩ ଜଣଙ୍କ ଦେହରେ ଗୁଳି ବାଜିଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି । ୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶୁକ୍ରବାର ଘଟିଥିବା ହିଂସାକାଣ୍ଡ ସ୍ଥାନରୁ ପ୍ରାୟ ୧ କି.ମି. ଦୂରରେ ଏହି ରକ୍ତାକ୍ତ ସଂଘର୍ଷ ହୋଇଛି ।
ପୁଲିସ ସୂଚନା ଅନୁସାରେ ନାଳନ୍ଦାରେ ପ୍ରାୟ ୩୦ ରାଉଣ୍ଡ ଗୁଳି ଚାଲିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ହିଂସାକାରୀମାନେ ପଥରମାଡ଼ କରିଥିଲେ । ପ୍ରଶାସନ ପକ୍ଷରୁ ନାଳନ୍ଦାର ବିହାରଶରିଫ୍ରେ କର୍ଫ୍ୟୁ ଲଗାଯିବା ସହ ଇଣ୍ଟରନେଟ ବନ୍ଦ କରାଯାଇଛି । ସେହିପରି ସାସାରାମର ସଫୁଲାଗଞ୍ଜରେ ମଧ୍ୟ ଶନିବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ୮ ଜଣଙ୍କୁ ଗିରଫ କରିଛି । ସାସାରାମରେ ଏପ୍ରିଲ ୪ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।