ନିଶା ଆଣିଲା ବିପଦ: ପଥଚାରୀଙ୍କୁ ପଛରୁ ଧକ୍କା ଦେଲା ବାଇକ, ୩ ଗୁରୁତର

ଭୋଗରାଇ,୨୬/୧ : ନିଶା ସାଜିଛି କାଳ। ନିଶା ପାଇଁ ପ୍ରତିମୁହୂର୍ତ୍ତରେ ଘଟୁଛି ଦୁର୍ଘଟଣା। ଏଭଳି କେତେକ ଦୁର୍ଘଟଣାରେ ଭେଣ୍ଡିଆ ଯୁବକଙ୍କ ପ୍ରାଣହାନି ଘଟୁଥିଲା ବେଳେ କେତେକ ସ୍ଥାନରେ ଗୁରୁତର ହେଉଛନ୍ତି। ଗୁରୁବାର ରାତିରେ ଦୁର୍ଘଟଣାରେ ଜଣେ ପଥଚାରୀ ଓ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଥିଲା ବେଳେ ବାଇକ ଚାଳକର ଅବସ୍ଥା ସଙ୍କଟାପନ୍ନ ହୋଇଥିବା ଦେଖିବାକୁ ମିଳିଛି। ସଙ୍କଟାପନ୍ନ ବାଇକ ଚାଳକ ହେଲେ ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମର ଦୈତାରୀ ବଣଙ୍କ ପୁଅ ହାବୁ ବଣ। ତେବେ ବାଇକ ଆରୋହୀଙ୍କ ପରିଚୟ ମିଳି ନଥିଲା ବେଳେ ଗୁରୁତର ପଥଚାରୀ ଜଣକ ହେଲେ ବାହାର୍ଦ୍ଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର (ଗୈାରାଙ୍ଗ) ଜେନା (୪୦)। ସଙ୍କଟାପନ୍ନ ଅବସ୍ଥାରେ ଥିବା ବାଇକ ଚାଳକ ହାବୁ ବଣକୁ କଟକ ବଡ ମେଡିକାଲ ଏବଂ ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ମୁତାବକ କମର୍ଦ୍ଦା ଛକ ବଜାରରେ ପ୍ରିନ୍ସ ଲୁଗା ଦୋକାନ କରିଥିବା ନାଚିନ୍ଦା ଗ୍ରାମର ହାଡୁ ବଣ ଗୁରୁବାର ରାତିରେ ନିଜ ଦୋକାନ ବନ୍ଦ କରି ମହମ୍ମଦ ପାଟଣା ଗ୍ରାମର ଜନୈକ ସାଙ୍ଗଙ୍କ ସହିତ ଏକ ବାଇକରେ କମର୍ଦ୍ଦା-ବାଲିଆପାଳ ରାସ୍ତାରେ ନିଜ ଘରକୁ ଫେରୁଥିଲେ। ସେହି ସମୟରେ ବାହାର୍ଦ୍ଦା ହନୁମାନ ମନ୍ଦିର ସମ୍ମୁଖ ରାସ୍ତାରେ ଗୌରାଙ୍ଗ ଏକ ସାଇକେଲ ସହିତ ନିଜ ପତ୍ନୀ ଓ ପୁଅକୁ ସାଥିରେ ନେଇ ପାଦରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ଆକଣ୍ଠ ମଦ୍ୟପାନ କରି ନିଶାରେ ଚୁର ହୋଇ ଦ୍ରୃତଗତିରେ ବାଇକ ଚଳାଇ ଯାଉଥିବା ହାବୁ ବଣ ସିଧାସଳଖ ପାଦରେ ଚାଲିଚାଲି ଯାଉଥିବା ଗୌରାଙ୍ଗଙ୍କ ପଛରେ ଜୋରରେ ଧକ୍କା ଦେଇ ବାଇକ ସହିତ ସେଠାରେ ରାସ୍ତା ଉପରେ ପଡ଼ି ଯାଇଥିଲେ। ଏହି ଦୁର୍ଘଟଣାରେ ପାଦରେ ଚାଲି ଚାଲି ଯାଉଥିବା ଗୌରାଙ୍ଗଙ୍କ ଗୋଡ଼ ଗୁରୁତର ଭାବେ ଭାଙ୍ଗି ଯାଇଥିଲା ବେଳେ ବାଇକ ଆରୋହୀ ହାବୁ ବଣଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେବେ ବାଇକ ଆରୋହୀ ହାବୁର ସାଙ୍ଗଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ଲୋକ ଗହଳି ଲାଗିଥିଲା ବେଳେ ସେହି ସମୟରେ ରାସ୍ତାରେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ସେଠାରେ ଅଟକିବା ସହିତ ଗୁରୁତର ୩ ଜଣଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲା। ତେବେ ସଙ୍କଟାପନ୍ନ ଅବସ୍ଥାରେ ଥିବା ବାଇକ ଚାଳକ ହାବୁ ବଣକୁ ସଙ୍ଗେ ସଙ୍ଗେ କଟକ ବଡ ଡାକ୍ତରଖାନାକୁ ଏବଂ ଗୁରୁତର ଗୈାରାଙ୍ଗ ଓ ଅନ୍ୟତମ ବାଇକ ଆରୋହୀକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଥାନାକୁ ନେଇଛି।