ସାଲେପୁର, ୧୩/୦୬: କଟକ-ସାଲେପୁର ରାସ୍ତାର ନାନ୍ଦୋଳ ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ ପଛରେ ପିଟିହେଲା ବାଇକ୍‌ । ଏହି ଦୁର୍ଘଟଣାରେ ବାଇକ୍‌ ଚାଳକ ମୟୂରଭଞ୍ଜର ରାଇରଙ୍ଗପୁର ଅଞ୍ଚଳର ସୁନ୍ଦର ମୋହନ ସୋରେନଙ୍କ ମୃତ୍ୟୁ ହୋଇଛି । ଖବର ପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।

ସୂଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ ୭ଟା ବେଳେ କଟକ-ସାଲେପୁର ରାସ୍ତାର ନାନ୍ଦୋଳ ବଜାର ନିକଟରେ ରାସ୍ତା କଡ଼ରେ ଏକ ଟ୍ରକ୍‌ ଠିଆ ହୋଇଥିଲା । କଟକରୁ ସାଲେପୁର ଅଭିମୁଖେ ଯାଉଥିବା ଏକ ବାଇକ୍‌ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଉକ୍ତ ଟ୍ରକ୍‌ ପଛରେ ପିଟି ହୋଇଥିଲା । ଫଳରେ ବାଇକ୍‌ ଚାଳକ ସୁନ୍ଦର ମୋହନ ସୋରେନ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସାଲେପୁର ଡାକ୍ତରଖାନାକୁ ପଠାଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।