ବଲାଙ୍ଗିର, ୨୭/୦୫ (ମୁକେଶ ବହିଦାର) : ଦିନ ମଜୁରିଆ ଭାବେ କାମ କଲେ ପେଟକୁ ଦାନା ଗଣ୍ଡେ ଯୋଗାଡ଼ ହୁଏ । କିନ୍ତୁ ଚିନ୍ତାଧାରା ଅସାମାନ୍ୟ । ପକ୍ଷୀଙ୍କ ସୁରକ୍ଷା ଓ ସେମାନଙ୍କ ରକ୍ଷଣାବେକ୍ଷଣ ପାଇଁ ତାଙ୍କ ମନ ସର୍ବଦା ବ୍ୟାକୁଳ । ତେଣୁ ୧୦ ବର୍ଷ ଭିତରେ ପ୍ରାୟ ୫ ହଜାର ମାଟି ବସା ଲଗାଇ ସାରିଲେଣି ବଲାଙ୍ଗିର ଜିଲ୍ଲା ସଇନ୍ତଳା ବ୍ଲକ ଶିଶକେଲାର ବିକିଜି ନାଗ । ପକ୍ଷୀଙ୍କ ବିଶ୍ୱକର୍ମା ବିକିଜିଙ୍କ ଏପ୍ରକାର ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ନିଶ୍ଚୟ ।
ଯୁକ୍ତ ଦୁଇ ପଢ଼ିବା ବେଳୁ ବିକିଜି ପକ୍ଷୀ ସୁରକ୍ଷା ପ୍ରତି ଆକର୍ଷିତ ହୋଇଥିଲେ । ୨୦୧୦ ମସିହାରେ ପ୍ରଥମକରି ନିଜ ଘରେ ଏକ ଚଢ଼େଇ ବସା ବାନ୍ଧିଥିଲେ । ପରିବାର ଲୋକେ ଏହାକୁ ଅନାବଶ୍ୟକ କାମ ବୋଲି କହି କିଛି କାମ କରିବା ପାଇଁ ତାଙ୍କୁ ତାଗିଦ୍ କଲେ । ହେଲେ ବିକିଜି କିନ୍ତୁ ପଛକୁ ଫେରିନଥିଲେ । ବିକିଜି ବଲାଙ୍ଗିର ଜିଲ୍ଲା ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାର ବିଦ୍ୟୁତ ସେକ୍ସନରେ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟରତ । ଯେତେବେଳେ ସେ ଦିନକୁ ମାତ୍ର ୨ ଶହ ଟଙ୍କା ପାରିଶ୍ରମିକ ପାଉଥିଲେ ସେତେବେଳଠୁ ପକ୍ଷୀଙ୍କ ଲାଗି କାମ କରିବା ଆରମ୍ଭ କଲେ । ଖାଦ୍ୟପେୟ ଏବଂ ଉପଯୁକ୍ତ ବାସଗୃହ ଅଭାବରୁ ପକ୍ଷୀଙ୍କ ଜୀବନ ବିପନ୍ନ ହେଉଥିବା ଜାଣି ତାଙ୍କୁ ବହୁତ କଷ୍ଟ ହେଲା । ତେଣୁ ସେ ପକ୍ଷୀଙ୍କୁ ବଞ୍ଚାଇବା ପାଇଁ ଏକାକୀ ଉଦ୍ୟମ ଆରମ୍ଭ କଲେ । ପ୍ରଥମ କରି କିଛି ମାଟିର ବସା ତିଆରିବା ପାଇଁ ଘୁନସରର ଜଣେ ମାଟି କାରିଗରକୁ କହିଲେ । ଉକ୍ତ ବସାଗୁଡ଼ିକୁ ନିଛାଟିଆ ସ୍ଥାନରେ ନେଇ ଲଗାଇଲେ ଏବଂ ପାଖରେ ଜଳପାତ୍ର ମଧ୍ୟ ଦେଲେ । ଦେଖୁଦେଖୁ ସେଠାକୁ ପାଣି ପିଇବାକୁ ଆସିଥିବା ପକ୍ଷୀ ସେହି ବସାରେ ରହିବା ଆରମ୍ଭ କଲେ । ଉଦ୍ୟମ ସଫଳ ହେବା ଦେଖି ବିକିଜି ନିରନ୍ତର ପକ୍ଷୀଙ୍କ ଲାଗି କାମ କରିଚାଲିଲେ । ଗୋଟିଏ ପରେ ଗୋଟିଏ ବସା ବାନ୍ଧି ଚାଲିଥିଲେ । କ୍ରମେ ଆଖପାଖ ବିଭିନ୍ନ ଘରେ, ଗାଁ ମୁଣ୍ଡ ଜଙ୍ଗଲ ଆଦିରେ ପ୍ରତିବର୍ଷ ଚଢ଼େଇ ବସା ଲଗେଇଲେ ।
ବର୍ତ୍ତମାନ ବିକିଜିଙ୍କ ଦିନକୁ ମଜୁରି ମାତ୍ର ୪ଶହ ଟଙ୍କା । ତଥାପି ସେହି ପାରିଶ୍ରମିକରୁ ସେ କିଛି କିଛି ଅର୍ଥ ବାହାର କରି ଏପରି ମହାନ କାମରେ ଲଗାଉଛନ୍ତି । ବିକିଜିଙ୍କ ଏପରି ପକ୍ଷୀପ୍ରେମ ଦେଖି ତାଙ୍କ ସହ ୨୦୧୭ ମସିହାରୁ କେତେକ ଯୁବବନ୍ଧୁ ଯୋଡ଼ିହେଲେ । ରାକେଶ ସାହୁ, ସୌମ୍ୟରଞ୍ଜନ ସାହୁ, ଟିକେରାମ ସାହୁ, ଆକାଶ ସାହୁ, ଲିଙ୍ଗରାଜ ସାହୁ, ଟୁନା ସାହୁ, କୃଷ୍ଣ ସାହୁ ପ୍ରାୟ ୮ରୁ ୧୦ଜଣ ଯୁବକ ମିଶି ବିନା ପ୍ରଚାର ପ୍ରସାର ଓ ବିନା କୌଣସି ସରକାରୀ ସହାୟତାରେ ପକ୍ଷୀ ସୁରକ୍ଷା କାମ କରିଚାଲିଛନ୍ତି । ଯାହାପରେ ବିକିଜିଙ୍କୁ ସହଯୋଗ ଓ ଅଧିକ ଉତ୍ସାହ ମିଳିଲା । ସହରଠୁ ଆରମ୍ଭକରି ଗାଁ, ଜଙ୍ଗଲ, ପାହାଡ଼କୁ ଚଢ଼ି ସେଠି ସେମାନେ ବସା ରଖୁଛନ୍ତି । ପରେ ତାକୁ କ୍ରମାଗତ ନିରୀକ୍ଷଣ କରି ସୁରକ୍ଷା ବି ଦେଉଛନ୍ତି । ଯାହାର ପଛରେ ଗୋଟିଏ ମାତ୍ର ଲକ୍ଷ୍ୟ ପକ୍ଷୀ ବଞ୍ଚିରୁହନ୍ତୁ । ଏସବୁ କାମରେ ବିକିଜିଙ୍କର ପ୍ରମୁଖ ଭୂମିକା ରହିଛି । ବିକିଜି ଏବଂ ତାଙ୍କ ସାଥୀ ଗୋଷ୍ଠୀର ଏଭଳି ଉଦ୍ୟମ ପାଇଁ ବନବିଭାଗ ତଥା ବିଭିନ୍ନ ବେସରକାରୀ ସଂଗଠନ ତାଙ୍କ ପ୍ରଶଂସାରେ ଶତମୁଖ । ବର୍ତ୍ତମାନ ସେମାନେ ଅଧିକ ପଇସା ଯୋଗାଡ଼କରି ଅଧିକ ବସା ଏବଂ ପାଣିକୁଣ୍ଡ ତିଆରି କରିଚାଲିଛନ୍ତି ।
ବିକିଜିଙ୍କୁ ଯେଉଁମାନେ ସହଯୋଗର ହାତ ବଢ଼ାଇଛନ୍ତି ସେମାନେ ମଧ୍ୟ କେହି କେହି ଉଚ୍ଚ ଶିକ୍ଷିତ ନୁହନ୍ତି । ହାତରେ ସ୍ଥାୟୀ ଚାକିରି ଖଣ୍ଡିଏ ନାହିଁ । କିଏ ଠିକା କର୍ମଚାରୀ ତ କିଏ ଦିନମଜୁରିଆ । ହେଲେ ସମସ୍ତେ ପରିବେଶ ଓ ପ୍ରକୃତିକୁ ଠିକ ଭାବରେ ବୁଝିଛନ୍ତି । ଜୀବଜଗତ ପାଇଁ ପକ୍ଷୀଙ୍କ ସୁରକ୍ଷିତ ରହିବା ଜରୁରି ବୋଲି ହୃଦୟଙ୍ଗମ କରିଛନ୍ତି । ସେମାନେ ନଥିଲେ ଖାଦ୍ୟଶୃଙ୍ଖଳ ବିଗିଡ଼ିଯିବ । ତେଣୁ ପକ୍ଷୀଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ପାଇଁ ବିକିଜି ଏବଂ ତାଙ୍କ ସାଥୀ ଯୁବଗୋଷ୍ଠୀ ବର୍ଷତମାମ ଲାଗିପଡ଼ିଛନ୍ତି । ଏହି ପ୍ରୟାସ ଦ୍ୱାରା ଏକଦା ପକ୍ଷୀଶୂନ୍ୟ ଥିବା ଅଞ୍ଚଳରେ ଏବେ ଫୁଲ ଚୁହିଁ, ଧୂଳିଚଟା, ଚୁମକି, ଦର୍ଜୀ, ଜଙ୍ଗଲୀ ବା ପୀତକଣ୍ଠ ଚଟିଆ, ଘରଚଟିଆ ଭଳି ଅନେକ ପକ୍ଷୀଙ୍କ କାକଳି ଶୁଣିବାକୁ ମିଳୁଛି । ବିକିଜିଙ୍କ ସହ ତାଙ୍କ ସାଥୀମାନେ ମିଶିଲା ପରେ ପ୍ରଥମ ପର୍ଯ୍ୟାୟରେ ସେମାନେ ଗୋଟା ପ୍ରତି ୩୦ଟଙ୍କା ଦେଇ ମାଟିର ବସା ତିଆରି କଲେ । ସେଗୁଡିକୁ ସଇନ୍ତଳା ରେଞ୍ଜ ଅଫିସ, ସ୍ଥାନୀୟ ଥାନା, ଟିଟିଲାଗଡ଼ ରେଞ୍ଜ ଅଫିସ, ବ୍ଲକ କାର୍ଯ୍ୟାଳୟ ସହ କୁମୁଡ଼ା ପାହାଡ଼ରେ ଲଗାଇଲେ । ଦେଖୁଦେଖି ଯେଉଁଠି ଗୋଟିଏ ଦୁଇଟି ଛୋଟ ପକ୍ଷୀ ଥିଲେ, ପରେ ସେଠି ସଂଖ୍ୟା ବଢ଼ିବା ଆରମ୍ଭ ହେଲା । ଯାହାପରେ ସେ କୁମୁଡ଼ା ପାହାଡ଼ ପାର୍କ, ସଇନ୍ତଳା, ତେଣ୍ଡିପାଲି, ଶିଶକେଲା, ଘୁନସର, ବେଲଗାଁ ସହ ବଲାଙ୍ଗିର ଡିଏଫଓ କାର୍ଯ୍ୟାଳୟରେ ସେହି ବସାଗୁଡ଼ିକ ଲଗାଇଲେ । ଏବେ ଦେଖୁଦେଖୁ ଉକ୍ତ ଗାଁମାନଙ୍କରେ ପକ୍ଷୀଙ୍କ ଗହଳି ବଢ଼ିଛି । ବିକିଜି ଏବଂ ତାଙ୍କ ଗୋଷ୍ଠୀର ଏହି ଉଦ୍ୟମ ପାଇଁ ଉପଖଣ୍ଡସ୍ତରୀୟ ବଣ୍ୟପ୍ରାଣୀ ସପ୍ତାହ ପୁରସ୍କାର, ପ୍ରକୃତିବନ୍ଧୁ ପୁରସ୍କାର, ବିଜୁ ପଟ୍ଟନାୟକ ବଣ୍ୟପ୍ରାଣୀ ପୁରସ୍କାର ମିଳିଛି । କେବଳ ଏତିକି ନୁହେଁ, ପ୍ରତିବର୍ଷ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ସମୟରେ ସେମାନେ ଗାଁଗାଁ ବୁଲି ଘରଚଟିଆ ଏବଂ ଅନ୍ୟପକ୍ଷୀଙ୍କ ପାଇଁ ପାଣି ପାତ୍ରର ବ୍ୟବସ୍ଥା କରିଆସୁଛନ୍ତି ।
ଏହି ଖବରଟିକୁ ପଢନ୍ତୁ- Natural Disaster: ଓଡ଼ିଶାରେ ଉପରମୁହାଁ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ, ୨୦୨୪ ମସିହାରେ ମରିଥିଲେ ୧୪୯୪ ଜଣ