ଭୁବନେଶ୍ୱର, ୨୫/୦୬: ନାନା ପ୍ରାକୃତିକ ଦୈବୀପାକ ଯୋଗୁ ଅଚିରେ ଝଡ଼ିଯାଉଛି ଜୀବନ । କିଏ ବଜ୍ରପାତରେ ଟଳିପଡୁଛି । ଆଉ କେଉଁଠି ଅଂଶୁଘାତ ଯୋଗୁ ଜୀବନ ଯାଉଛି । ଭୀଷଣ ଥଣ୍ଡା ଓ ଭୂସ୍ଖଳନ ମଧ୍ୟ ଯମ ସାଜି ମୁଣ୍ଡ ନେଉଛି । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ତଥ୍ୟ ମୁତାବକ, ୨୦୨୪ରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧,୪୯୪ଜଣଙ୍କ ଜୀବନ ଯାଇଥିଲା । ଯାହାକି, ସାରା ଭାରତରେ ସର୍ବାଧିକ ।
ଏନ୍ସିଆର୍ବି ରିପୋର୍ଟ ମୁତାବକ, ୨୦୨୩ରେ ଏସବୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧,୩୫୧ଜଣ ମୃତ୍ୟୁବରଣ କରିଥିଲେ । ବର୍ଷକ ଭିତରେ ଏହି ସଂଖ୍ୟା ୧୦.୬ ପ୍ରତିଶତ ବଢ଼ି ୧,୪୯୪ରେ ପହଞ୍ଚିଥିଲା । ୨୦୨୪ରେ ମଧ୍ୟପ୍ରଦେଶ ଏହି ଗ୍ରାଫ୍ରେ ସର୍ବାଗ୍ରେ ଥିଲା । ବର୍ଷକରେ ୧,୦୮୫ଜଣ ମରିଥିଲେ । ତା’ ତଳକୁ ବିହାରରେ ୧,୦୨୮ଜଣ, ଉତ୍ତରପ୍ରଦେଶରେ ୮୦୧ଜଣଙ୍କ ପ୍ରାଣହାନୀ ଘଟିଥିଲା ।
ସେହିବର୍ଷ ରାଜ୍ୟରେ ଘାତକ ସାଜିଥିଲା ଅଂଶୁଘାତ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିନପାରି ବର୍ଷକରେ ୧୧୧ଜଣ ପୁରୁଷ, ୨୮ଜଣ ମହିଳା ମରିଯାଇଥିଲେ । ସେହିବର୍ଷ ଭୂସ୍ଖଳନରେ ୩ଜଣ ପୁରୁଷ ପ୍ରାଣ ହରାଇଥିଲେ । କାଳବୈଶାଖୀ ଓ ବର୍ଷାଦିନେ ଆକାଶରୁ ମୃତ୍ୟୁ ହୋଇ ଖସିଲା ବଜ୍ରପାତ । ୨୪୮ ଜଣଙ୍କ ଜୀବନ ନେଇଗଲା । ସେହିବର୍ଷ ଶୀତଦିନେ ଭୀଷଣ ଥଣ୍ଡା ମଧ୍ୟ ବିପଦକୁ ଡାକିଥିଲା । କାଲୁଆ ଶୀତ ପାଗରେ ଭୀଷଣ ଥଣ୍ଡା ସହିନପାରି ୨ଜଣ ମରିଥିଲେ ।
ଅଧିକ ପଢ଼ନ୍ତୁ :- Toilet Tank Tragedy : ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାର ଦୁଃଖ ପାଲଟିଥିବା ବାତ୍ୟା ଯୋଗୁ ସେହିବର୍ଷ କେହି ମରିନଥିଲେ । ମହାମାରୀ ମଧ୍ୟ କାହାରି ଜୀବନ ନେଇନାହିଁ । ବନ୍ୟାରେ କେହି ଭାସିଯାଇ ପ୍ରାଣ ହରାଇ ନାହାନ୍ତି । ବନାଗ୍ନି ଯୋଗୁ ଜଣେ ବି କେହି ମରିନାହାନ୍ତି । ପ୍ରାକୃତିକ ବିପର୍ଯ୍ୟୟର ଅନ୍ୟାନ୍ୟ କାରଣ ପାଇଁ ୨୦୨୪ରେ ଓଡି଼ଶାରୁ ସମୁଦାୟ ୧୧୦୧ଜଣ ମରିଛନ୍ତି । ସେଥିରୁ ୭୮୨ଜଣ ପୁରୁଷ, ୩୧୯ଜଣ ମହିଳା ଥିଲେ ।
ଅନ୍ୟାନ୍ୟ ଦୁର୍ଘଟଣାଜନିତ ମୃତ୍ୟୁରେ ମଧ୍ୟ ଓଡ଼ିଶା ଆଗୁଆ ଥିଲା । ମାନବକୃତ ଖାଲ ଅଥବା ସ୍ୱେରେଜରେ ଖସି ପଡ଼ି ୧୯ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ରାଜ୍ୟ ତୁଳନାରେ ତୃତୀୟ ସ୍ଥାନରେ ଥିଲା ଓଡି଼ଶା । ଏହି କାରଣ ଯୋଗୁ ଉତ୍ତରପ୍ରଦେଶରେ ସର୍ବାଧିକ ୨୬ଜଣ ଓ ତାମିଲନାଡୁରେ ୨୦ଜଣ ମରିଛନ୍ତି । ଏହାଛଡ଼ା ପାଣିରେ ବୁଡି଼ବା ଯୋଗୁ ୧,୯୮୪ ଜଣଙ୍କ ମୃତ୍ୟୁ ଘଟିଥିଲା । ବିଦ୍ୟୁତ ଘାତରେ ୪୫୫ଜଣ ମରିଥିଲେ । ସେଥିରୁ ୯୪ଜଣ ମହିଳା ଥିଲେ ।
ସୂଚନାଯୋଗ୍ୟ, ୨୦୨୪ରେ ଓଡି଼ଶାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୩ ହଜାର ୪୩୭ ଥିଲା । ତା’ପୂର୍ବବର୍ଷ ନାନା ଦୁର୍ଘଟଣାରେ ପଡି଼ ୨୨ ହଜାର ୩୦୫ଜଣ ମରିଥିଲେ । ବର୍ଷକ ଭିତରେ ୫.୧ ପ୍ରତିଶତ ଅଧିକ ମରିଛନ୍ତି । ସର୍ବାଧିକ ୬,୩୩୩ ଜଣ ମଧ୍ୟବୟସ୍କ ବ୍ୟକ୍ତି ମରିଥିଲେ । ଯେଉଁମାନଙ୍କ ବୟସ ୩୦ରୁ ୪୫ ବର୍ଷ ଭିତରେ । ୪୫ରୁ ୬୦ ବର୍ଷ ଭିତରେ ୫,୭୩୩ଜଣଙ୍କ ମୃତ୍ୟୁ ହୋଇଥିଲା । ୬୦ ବର୍ଷରୁ ଅଧିକ ବୟସ୍କ ୩,୮୭୨ଜଣ ବୃଦ୍ଧଙ୍କ ଜୀବନ ଯାଇଥିଲା । ଦୁର୍ଘଟଣାଜନିତ ମୃତ୍ୟୁରେ ଅନ୍ୟାନ୍ୟ କାରଣ ଯୋଗୁ ସେହିବର୍ଷ ୨୧ ହଜାର ୯୪୩ଜଣ ମରିଥିଲେ । କିନ୍ତୁ ୨୦୨୩ ମସିହାରେ ଏହି ସଂଖ୍ୟା ୨୦,୯୫୪ରେ ସୀମିତ ଥିଲା । ବର୍ଷକ ଭିତରେ ଏହି ଗ୍ରାଫ୍ ୪.୭ ପ୍ରତିଶତ ବଢ଼ିଥିଲ।