ରବିଶଙ୍କର ପ୍ରସାଦଙ୍କ ବୟାନ; ତିନି ତଲାକ୍ ବିଲ୍ ପୁଣି ଥରେ ଆଣିବୁ

ନୂଆଦିଲ୍ଲୀ,୩ ।୬(ଏଜେନ୍ସି): କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୋମବାର କହିଛନ୍ତି ଯେ ସରକାର ପୁଣି ଥରେ ସଂସଦରେ ତିନି ତଲାକ୍ ବିଲ୍ ଆଗତ କରିବେ । ଏହି ଆଇନରେ ତିନି ଥର ତଲାକ କହି ପତ୍ନୀଙ୍କୁ ଛାଡପତ୍ର ଦେଉଥିବା ମୁସଲମାନ ସମୁଦାୟର ପୁରୁଷମାନଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଦିଆଯିବାର ବ୍ୟବସ୍ଥା ରହିଛି । ଏହି ବିଲ୍କୁ ୧୬ତମ ଲୋକସଭାରେ ଆଗତ କରାଯାଇଥିଲା । ଲୋକସଭାରେ ତାହା ଗୃହୀତ ହୋଇଥିଲା କିନ୍ତୁ ରାଜ୍ୟସଭାରେ ଏନଡିଏର ସଂଖ୍ୟାଗରିଷ୍ଠତା ନଥିବାରୁ ତାହା ପାସ୍ ହୋଇପାରିନଥିଲା । ଏହି ବିଲ୍ର କେତେକ ନିୟମକୁ ନେଇ ବିରୋଧୀ ଦଳଗୁଡିକ ଆପତ୍ତି ଉଠାଇଥିଲେ । ତେବେ ୧୬ତମ ଲୋକସଭା ଏବେ ଭଙ୍ଗ ହୋଇସାରିଥିବାରୁ ଉକ୍ତ ବିଲ୍ ବି ଅକାମୀ ହୋଇଯାଇଛି । ଅର୍ଥାତ୍ ଏହାକୁ ଏବେ ପୁଣି ଥରେ ସଂସଦର ଉଭୟ ଗୃହରେ ଆଗତ କରିବାକୁ ପଡ଼ିବ । ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ପ୍ରସାଦ କହିଛନ୍ତି ଯେ ଏହି ପ୍ରସଙ୍ଗ ବିଜେପିର ନିର୍ବାଚନୀ ଇସ୍ତାହାରରେ ବି ଅଛି । ତେଣୁ ସରକାର ନିଶ୍ଚିତ ଭାବେ ଏହି ବିଲ୍ ଆଗତ କରିବେ ।
ସମାନ ଆଚରଣ ସଂହିତା ଲାଗୁ କରାଯିବା ଉପରେ ପ୍ରସାଦ କହିଛନ୍ତି କି ସରକାର ଏହି ବିଷୟ ଉପରେ ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା କରିବେ । ଗତ ବର୍ଷ ଅଗଷ୍ଟ ୩୧ରେ ଲ’ କମିଶନ ଏହି ପ୍ରସଙ୍ଗରେ ନିଜର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପରିବର୍ତ୍ତେ ଏକ କନସଲଟେସନ ପେପର ଜାରି କରିଥିଲେ ଯେଉଁଥିରେ କୁହାଯାଇଥିଲା କି ଏବେ ଏହାକୁ କାର୍ଯ୍ୟକାରୀ କରାଯିବାର କିଛି ଆବଶ୍ୟକତା ନାହିଁ । ତେବେ ବିବାହ, ଛାଡପତ୍ର, ଭରଣପୋଷଣ ଏବଂ ବିବାହର ବୟସ ସମ୍ପର୍କିତ ଆଇନରେ ପରିବର୍ତ୍ତନ କରିବାକୁ କମିଶନ ପରାମର୍ଶ ଦେଇଥିଲେ ।
ପ୍ରସାଦ ମଧ୍ୟ ଆଜି କହିଛନ୍ତି କି ଉଚ୍ଚ ନ୍ୟାୟାଳୟଗୁଡିକରେ ବିଚାରପତି ନିଯୁକ୍ତି ସମୟରେ ଆଇନ ମନ୍ତ୍ରଣାଳୟ ପୋଷ୍ଟ ଅଫିସ ଭାବେ କାମ କରିବ ନାହିଁ । ବରଂ ମନ୍ତ୍ରଣାଳୟ ଏହି ପ୍ରକ୍ରିୟାରେ ଏକ ଅଂଶୀଦାର ଭାବେ କାମ କରିବ । ସେହିପରି ଦେଶର ନିମ୍ନ ଅଦାଲତଗୁଡିକରେ ବିଚାରପତି ନିଯୁକ୍ତି ପାଇଁ ଯେତେ ଶୀଘ୍ର ସମ୍ଭବ ଅଲ ଇଣ୍ଡିଆ ଜୁଡିସିଆଲ ସର୍ଭିସେସ୍ ଆରମ୍ଭ କରିବା ପାଇଁ ସରକାର ଉଦ୍ୟମ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।