ନୂଆଦିଲ୍ଲୀ,୦୬/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯେସାକୁ ତେସା ଶୁଳ୍କ ନୀତ  ବିଶ୍ୱ ବଜାରରେ ଆଣିଛି ଭୂକମ୍ପ । ବଡ଼ ବଡ଼ କମ୍ପାନିଗୁଡ଼ିକର ସେୟାର ମୁହଁ ମାଡ଼ି ପଡ଼ିଛି । ଅନିଶ୍ଚିତତା ମଧ୍ୟରେ ନିବେଶକମାନେ ପ୍ରଚୁର ମାତ୍ରାରେ ସେୟାର ବିକ୍ରି କରିଦେଇଛନ୍ତି । ଆସ୍ଥା ହରାଇଛନ୍ତି ନିବେଶକ । ଅନ୍ୟପକ୍ଷରେ, ବହୁ ବିଲିୟନ ଡଲାର କ୍ଷତି ସହିଛନ୍ତି ବିଶ୍ୱର ମହାଧନୀ । ସବୁଠାରୁ ଅଧିକ କ୍ଷତି ସହିଛନ୍ତି ମେଟା ସିଇଓ ମାର୍କ ଜୁକ୍କରବର୍ଗ । ଗୋଟିଏ ଦିନରେ ସେ  ହରାଇଛନ୍ତି ୧୭.୯ ବିଲିୟନ ଡଲାର । ଏବେ ତାଙ୍କ ମୋଟ ସମ୍ପତ୍ତି ୧୮୯ ବିଲିୟନ ଡଲାରକୁ ଖସିଆସିଛି । କେବଳ ୨୦୨୫ରେ ଜୁକ୍କରବର୍ଗଙ୍କ ସମ୍ପତ୍ତି ୧୮.୬ ବିଲିୟନ ଡଲାର ଖସିଥିବା ବ୍ଲୁମ୍‌ବର୍ଗ  ବିଲିୟନେୟାର ସୂଚୀରୁ ଜଣାପଡ଼ିଛି । 

ଏହା ପଛକୁ ରହିଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ । ଟ୍ରମ୍ପଙ୍କ ଟାରିଫ୍‌ ବା ଶୁଳ୍କ ବାଣରେ  ଆମେରିକା ବଜାରରେ କ୍ରାସ ହେବା ପରେ  ତାଙ୍କ ସମ୍ପତ୍ତି ୧୫.୯ ବିଲିୟନ ଡଲାର ସଂକୁଚିତ  ହୋଇଛି । ଟେସ୍‌ଲା ମୁଖ୍ୟ ତଥା ବିଶ୍ୱର ସବୁଠାରୁ  ଧନୀ ବ୍ୟକ୍ତି ଏବଂ ଟ୍ରମ୍ପଙ୍କ ପ୍ରମୁଖ ସହଯୋଗୀ  ଏଲନ୍‌ ମସ୍କ ହରାଇଛନ୍ତି ୧୧ ବିଲିୟନ ଡଲାର । ୨୦୨୫ରେ ତାଙ୍କର ମୋଟ  କ୍ଷତି ୧୧୦ ବିଲିୟନ ଡଲାରରୁ  ଅଧିକ ରହିଛି। ଦ ବାନ୍‌ସେନ୍‌  ଗ୍ରୁପ୍‌ର ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ  ଅଫିସର ଡେଭିଡ୍‌ ବାନ୍‌ସେନ୍‌  କହିଛନ୍ତି ଯେ, ଏହା କେବଳ  ଏକ ଟେକ୍‌ କରେକ୍ସନ ନୁହେଁ ।  ଏହା ଟ୍ରମ୍ପଙ୍କ ଆକ୍ରାମକ ଶୁଳ୍କ  ନୀତିର ପ୍ରଭାବ । ଟ୍ରମ୍ପଙ୍କ  ନୀତି ନିବେଶକଙ୍କୁ ଭୟଭୀତ  କରିଛି । ଅର୍ଥବ୍ୟବସ୍ଥା ଉପରେ  ସେମାନଙ୍କ ଆସ୍ଥା ଟଳମଳ  ହୋଇଛି । ଆଗକୁ ମହାମାନ୍ଦାବସ୍ଥା ମାଡ଼ି ଆସୁଛି  ବୋଲି ବିଶେଷଜ୍ଞ କରିଛନ୍ତି ସତର୍କବାଣୀ । ଏସବୁ  ଆଶଙ୍କାରୁ ମଧ୍ୟ ବିଶ୍ୱ ବଜାର ନିମ୍ନମୁଖୀ ହେଉଛି ।  ଲଗାତର ବିଭିନ୍ନ ଦେଶର ଷ୍ଟକ୍‌ ବଜାରରେ ପତନ  ଦେଖିବାକୁ ମିଳୁଛି ।

 ଟ୍ରମ୍ପ ଦାବି କରିଛନ୍ତି ଯେ,  ତାଙ୍କ ଏ ପଦକ୍ଷେପ ଆମେରିକାକୁ ବିପୁଳ ରାଜସ୍ୱ  ଆଣିବ । ଏହା ବଜାରରେ ଉତ୍ସାହ ଆଣିବ । କିନ୍ତୁ  ନିବେଶକମାନେ ଏହାକୁ ନେଇ ସହମତ ନାହାନ୍ତି ।  ଦିନକରେ ଏସ୍‌ ଆଣ୍ଡ୍‌ ପି ୫୦୦ ୪.୮୫% ଖସିଛି,  ଯାହାକି ୨୦୨୦ରୁ ସର୍ବୋଚ୍ଚ ଦୈନିକ ହ୍ରାସ ।  ନାସ୍‌ଡାକ୍‌ କମ୍ପୋଜିଟ୍‌ ଇଣ୍ଡେକ୍ସ ପ୍ରାୟ ୬% ଖସିଛି ।  ସେହିଭଳି ଡାଓ ଜୋନ୍ସ ୪% ସଂକୁଚିତ ହୋଇଛି ।  ମୋଟାମୋଟି ଭାବେ ଶୀର୍ଷ ୫୦୦ ପବ୍ଲିକ୍‌ କମ୍ପାନି  ହରାଇଛନ୍ତି ୨.୪ ଟ୍ରିଲିୟନ ଡଲାର । ଟେକ୍ନୋଲୋଜି  ଷ୍ଟକ୍‌ଗୁଡ଼ିକ ଅଧିକ ଖସିଛି । କେବଳ ଟେକ୍ନୋଲୋଜି  କମ୍ପାନିଗୁଡ଼ିକ ହରାଇଛନ୍ତି ୭୬୦ ବିଲିୟନ ଡଲାର ।  

ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ୭୭.୪  କୋଟି ଡଲାର ହରାଇଥିବାବେଳେ ଆଲ୍‌ଫାବେଟ୍‌  ସିଇଓ ସୁନ୍ଦର ପିଚାଇ ୧.୮ କୋଟି ଡଲାର  କ୍ଷତି ସହିଛନ୍ତି । ଆପଲ୍‌ ସିଇଓ ଟିମ୍‌ କୁକ୍‌ଙ୍କ  ନେଟ୍‌ ସମ୍ପତ୍ତି ୬.୮ କୋଟି  ଡଲାରକୁ ଖସିଆସିଛି ।  ମେଟା ସେୟାର ୯% ଖସିଥିବାବେଳେ ଆମାଜନ୍‌  ୬% ଏବଂ ଟେସ୍‌ଲା ୫.୫% ଖସିଛି । ତାଇୱାନ୍‌  ଏବଂ ମେକ୍ସିକୋ ଉପରେ ଚିପ୍‌ ଉତ୍ପାଦନ ଓ ଏଆଇ ହାର୍ଡୱେର୍‌ ପାଇଁ ନିର୍ଭରଶୀଳ ଏନ୍‌ଭିଡିଆ ୪%  ଖସିଛି । ଆଲ୍‌ଫାବେଟ୍‌ ଏବଂ ଆପଲ୍‌ ବି ନିମ୍ନମୁଖୀ  ହୋଇଥିବା ଜଣାପଡ଼ିଛି । 

ଆମେରିକାର ପ୍ରମୁଖ  ବ୍ୟାଙ୍କ ଜେ.ପି. ମୋର୍ଗାନ୍‌ର ମୁଖ୍ୟ ଅର୍ଥନୀତିଜ୍ଞ  ବ୍ରୁସ୍‌ କାସ୍‌ମ୍ୟାନ୍‌ କହିଛନ୍ତି ଯେ, ମାନ୍ଦାବସ୍ଥାର ୬୦%  ସମ୍ଭାବନା ରହିଛି । ଶୁଳ୍କ ବୃଦ୍ଧିର ପ୍ରଭାବ ଆହୁରି  ବଢ଼ିପାରେ । ଏ ପ୍ରଭାବ ରାଷ୍ଟ୍ରଗୁଡ଼ିକର ପାଲଟା ଶୁଳ୍କ  ହମ୍‌ଲା, ଆମେରିକାରେ ବ୍ୟବସାୟିକ ସେଣ୍ଟିମେଣ୍ଟ  ଖସିବା ଏବଂ ଯୋଗାଣ ଶୃଙ୍ଖଳରେ ବ୍ୟବଧାନ  ଉପରେ ନିର୍ଭର କରିବ ।