ମୁଁ ଦୃଢ଼ନିଶ୍ଚିତ, ବିକଶିତ ଓଡ଼ିଶା ବିନା ବିକଶିତ ଭାରତ ସମ୍ଭବ ନୁହେଁ ଏବଂ ବିକଶିତ ଆଦିବାସୀ ବିନା ବିକଶିତ ଓଡ଼ିଶା ସମ୍ଭବ ନୁହେଁ । ଆଜି ଜନଜାତୀୟ ଗୌରବ ଦିବସରେ ଓଡ଼ିଶାର ଆଦିବାସୀ ବର୍ଗଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୁଁ ପୁଣି ଥରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି ।
ଜୟ ଜଗନ୍ନାଥ । ଆଜି ଜନଜାତୀୟ ଗୌରବ ଦିବସ । ଭଗବାନ ବିର୍ସା ମୁଣ୍ଡାଙ୍କର ପବିତ୍ର ଜୟନ୍ତୀ । ବିର୍ସା ମୁଣ୍ଡା ଥିଲେ ଆଦିବାସୀମାନଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ଆତ୍ମପରିଚୟର ସୁରକ୍ଷା ପାଇଁ ସଂଘର୍ଷର ମୂର୍ତ୍ତିମନ୍ତ୍ର ପ୍ରତୀକ । ସେଥିପାଇଁ ସେ ଭଗବାନ ଓ ଧରତୀଆବା ଭାବରେ ଆଦିବାସୀ ସମାଜର ଚିର ପୂଜ୍ୟ ଓ ନମସ୍ୟ ଭାବରେ ବିଦିତ । ଏହି ମହାନ୍ ବିଭୂତିଙ୍କର ୧୫୦ତମ ଜୟନ୍ତୀ ବର୍ଷରେ କେବଳ ରାଜ୍ୟର ୨୨ ପ୍ରତିଶତରୁ ଊଦ୍ଧ୍ୱର୍ ଜନଜାତି ବର୍ଗଙ୍କ ତରଫରୁ ନୁହେଁ, ପୂରା ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କ ପକ୍ଷରୁ ଏହି ମହାନ ବ୍ୟକ୍ତିତ୍ୱଙ୍କୁ କୋଟି କୋଟି ପ୍ରଣାମ କରୁଛି । ଦେଶର ସର୍ଦ୍ଦାର- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୫୦ତମ ଜୟନ୍ତୀକୁ ଦେଶବାସୀ ଉତ୍ସାହ ଓ ଆଗ୍ରହର ସହ ଏକତା ଦିବସ ଭାବରେ ପାଳନ କରୁଛନ୍ତି । ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ଅଦ୍ୱିତୀୟ କୃଷକ ନେତା । କୃଷକ ଆନ୍ଦୋଳନକୁ ସେ କେବଳ କୃଷକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ନୁହେଁ, ବରଂ ଦେଶର ସ୍ୱାଧୀନତା ସଂଗ୍ରାମରେ କୃଷକ ସମାଜକୁ ବ୍ୟାପକ ଭାବରେ ସାମିଲ କରିଥିଲେ । ବ୍ରିଟିଶ ସାମ୍ରାଜ୍ୟର ଡିଭାଇଡ୍ ଆଣ୍ଡ ରୁଲ ତତ୍ତ୍ୱରେ ଦେଶକୁ ସ୍ୱାଧୀନତା ମିଳିଥିଲା । ତେବେ ଦେଶୀୟ ରାଜ୍ୟ ମିଶ୍ରଣ ସମସ୍ୟାକୁ ଅନ୍ତ କରି ସମ୍ପୂର୍ଣ୍ଣ ଭାରତକୁ ଏକତାର ସୂତ୍ରରେ ବାନ୍ଧିରଖି ସେ ହୋଇଥିଲେ ଅବିସ୍ମରଣୀୟ ।
ଦେଶର ଅଦ୍ୱିତୀୟ କୃଷକ ନେତା ସର୍ଦ୍ଦାର ପଟେଲ ଏବଂ ଦେଶର ଅଦ୍ୱିତୀୟ ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡା ବୟସରେ ମୋଟାମୋଟି ସମାନ । ଦେଶମାତୃକା ଓ ସମାଜ ପାଇଁ ଉଭୟଙ୍କ ଯୋଗଦାନ ଅବିସ୍ମରଣୀୟ । ଭଗବାନ ବିର୍ସା ମୁଣ୍ଡା ଏହି ଇହଧାମରେ ମାତ୍ର ୨୫ବର୍ଷ ଅତିବାହିତ କରିଥିଲେ । ଭାରତ ଇତିହାସର ସବୁଠାରୁ ଶକ୍ତିଶାଳୀ ଆଦିବାସୀ ମେଳି ଓ ଜନଆନ୍ଦୋଳନର ମହାନାୟକ ଭଗବାନ ବିର୍ସା ମୁଣ୍ଡା । ମହାନ୍ ବିପ୍ଳବୀ ବିର୍ସା ମୁଣ୍ଡା ରାଞ୍ଚି ଜେଲ୍ର ଏକ କୋଠରିରେ ୧୯୦୦ ମସିହା ଜୁନ ୯ ତାରିଖରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ବ୍ରିଟିଶ ସରକାର ଘୋଷଣା କରିଥିଲେ ଯେ ତାଙ୍କର ହଇଜାରେ ମୃତ୍ୟୁ ଘଟିଛି, ଯଦିଓ ତାଙ୍କଠାରେ ଏହି ରୋଗର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା ।
ଆଜି ତାଙ୍କର ଜନ୍ମଦିନକୁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବାର ପରମ୍ପରା ସୃଷ୍ଟି କରି ଦେଶର ଆଦିବାସୀ ସମାଜକୁ ଏହାର ଇତିହାସ, ସଭ୍ୟତା, ସଂସ୍କୃତି ଓ ଆତ୍ମପରିଚୟକୁ ପୁଣିଥରେ ସିଂହାବଲୋକନ କରିବାର ସୁଯୋଗ ସୃଷ୍ଟି କରିଛନ୍ତି । ସାରାଦେଶ ସମେତ ଆମର ପ୍ରିୟ ରାଜ୍ୟ ଓଡ଼ିଶାରେ ଆଦିବାସୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ତଥା ସେମାନଙ୍କର ସାଂସ୍କୃତିକ ପରିଚୟ ଓ ଅସ୍ମିତାକୁ ମନେ ପକାଇବାର ସମୟ ଆସିଛି ।
୨୦୪୭ ମସିହାରେ ଦେଶ ସ୍ୱାଧୀନତାର ୧୦୦ବର୍ଷ ଏବଂ ୨୦୩୬ରେ ଆମ ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହେବାର ୧୦୦ବର୍ଷ ପୂର୍ତ୍ତି ପାଳିତ ହେବ । ଓଡ଼ିଶା ସମେତ ସମ୍ପୂର୍ଣ୍ଣ ଦେଶପାଇଁ ଆଗାମୀ ୨୨ବର୍ଷ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ମୋଦିଜୀ ଆଗାମୀ ଦୁଇ ଦଶନ୍ଧିରେ ବିକଶିତ ଭାରତ ନିର୍ମାଣର ସ୍ୱପ୍ନ ଦେଖିଛନ୍ତି । ଏହି ୨୨ବର୍ଷ ଆମେ ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ । ମାତ୍ର ଏହି ୨୨ବର୍ଷ ଭିତରୁ ଏହାର ପ୍ରଥମ ୧୧ବର୍ଷ, ମାନେ ପ୍ରଥମ ଦଶନ୍ଧି ଆହୁରି ଗୁରୁତ୍ୱପୂର୍ଣ୍ଣ । ମୋଦିଜୀଙ୍କ ସ୍ୱପ୍ନ ବିକଶିତ ଭାରତ । ମାତ୍ର ଓଡ଼ିଆଙ୍କ କାନ୍ଧରେ ଭାର ଟିକେ ଅଧିକ । ଆମେ ସବୁ ଭାରତବାସୀଙ୍କ ପାଇଁ ଆଗାମୀ ୨୨ବର୍ଷ ସଂଘର୍ଷମୟ । ମାତ୍ର ଆମେ ଓଡ଼ିଆମାନେ ୧୧ବର୍ଷରେ ବିକାଶର ଏତେ ବଡ଼ ଲମ୍ଫ ଦେବା ଯାହା ବିକଶିତ ଭାରତ ଆଧାର ସ୍ତମ୍ଭ ବନିବ । ଓଡ଼ିଶାର ଏହି ବିଶାଳ ଲକ୍ଷ୍ୟ ହାସଲର ସ୍ୱପ୍ନ ସେପର୍ଯ୍ୟନ୍ତ ପୂରଣ ହୋଇପାରିବ ନାହିଁ, ଯେପର୍ଯ୍ୟନ୍ତ ରାଜ୍ୟର ୨୨ ପ୍ରତିଶତ ଆଦିବାସୀ ଜନସଂଖ୍ୟା ତଥା ଏହି ସମୁଦାୟ ଅଧ୍ୟୁଷିତ ଜିଲ୍ଲା ଓ ଅଞ୍ଚଳଗୁଡ଼ିକର ବିକାଶ ଆଗାମୀ କିଛିବର୍ଷରେ ଖୁବ୍ ଦ୍ରୁତଗତିରେ ଆଗେଇବ ନାହିଁ । ଆମ ବିକାଶର ମାପଦଣ୍ଡର ପରିସଂଖ୍ୟାନ ଆମ ସାମ୍ନାରେ ଆଇନା ଭଳି ଆମକୁ ଆମର ସ୍ଥିତି ଦେଖାଉଛି । ବିକାଶର ସବୁ ମାନଦଣ୍ଡରେ ଆମର ଆଦିବାସୀ ଭାଇ ଭଉଣୀମାନେ ସବୁଠାରୁ ପଛୁଆ । ସତ୍ୟକୁ ସତ୍ୟ ଭାବରେ ସ୍ୱୀକାର କରି ଆମକୁ ଆମର ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପଡ଼ିବ । ସାକ୍ଷରତା ହାର ହେଉ ଅଥବା ମହିଳା ବର୍ଗରେ ରକ୍ତହୀନତା, ଗର୍ଭାବସ୍ଥାର ମା' ହୁଅନ୍ତୁ ଅଥବା ନବଜାତଙ୍କ ପୁଷ୍ଟି ଓ ସ୍ୱାସ୍ଥ୍ୟ, ପିଲାମାନଙ୍କର ବୟସ ଅନୁସାରେ ଉଚ୍ଚତା ଅଥବା ଉଚ୍ଚତା ଅନୁସାରେ ଓଜନ । ସାମାଜିକ ବିକାଶର ଅନେକ ମାପଦଣ୍ଡରେ ସାରାଦେଶ ତୁଳନାରେ ଓଡ଼ିଶାର ସ୍ଥିତି ସେତେ ଭଲ ନୁହେଁ ।
ଆମ ରାଜ୍ୟର ବିଭିନ୍ନ ବର୍ଗର ସାମାଜିକ ବିକାଶ ମାପଦଣ୍ଡର ତୁଳନାତ୍ମକ ଚିତ୍ର ଆଙ୍କିବାବେଳେ ଆମର ଆଦିବାସୀ ଭାଇଭଉଣୀଙ୍କ ସ୍ଥିତି ଆହୁରି ଖରାପ । ଖାଲି ଯଦି ସାକ୍ଷରତାର ମାପଦଣ୍ଡକୁ ଆମେ ହିସାବ କରିବା ଶେଷ ଜନଗଣନା ସମୟରେ ରାଜ୍ୟରେ ୨୭.୧% ନିରକ୍ଷର । ଆଦିବାସୀ ସମାଜରେ ଏହା ୪୭.୮% । ମାତ୍ର ଆଦିବାସୀ ମହିଳାମାନଙ୍କ କ୍ଷେତ୍ରରେ ଏହା ୫୮.୮% । ଏବେ ସମୟ ଆସିଛି ଐତିହାସିକ ଭୁଲ୍କୁ ସଂଶୋଧନ କରିବା ପାଇଁ । ଆଦିବାସୀ ସମାଜରେ ବିକାଶ ଗଙ୍ଗାର ଅବିରତ ଗତିକୁ ଆହୁରି ଗତିବାନ କରିବା । ଆଜି ଭଗବାନ ବିର୍ସା ମୁଣ୍ଡାଙ୍କର ପବିତ୍ର ଜୟନ୍ତୀ । ଆଦିବାସୀ ହକ୍ ଓ ଅଧିକାର ପାଇଁ ଦୁର୍ବାର ଜନଆନ୍ଦୋଳନର ମହାନାୟକ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଓଡ଼ିଶାର ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆମ ସରକାର ବଦ୍ଧପରିକର । ମୋ ପାଇଁ ଆଜି ଦିନଟି ଆହୁରି ଗୁରୁତ୍ୱପୂର୍ଣ୍ଣ ଓ ମୋ ଦାୟିତ୍ୱକୁ ମୁଁ ମର୍ମେ ମର୍ମେ ଅନୁଭବ କରୁଛି । ଆର୍ଥିକ ଅନଟନ, ସଂଘର୍ଷ ଓ ସମର୍ପଣର ରାସ୍ତା ଦେଇ, ପଡ଼ି ଉଠି ସମ୍ପୂର୍ଣ୍ଣ ସମାଜ ସହ ତାଳ ଦେଇ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ସେବା କରିବା ପାଇଁ ମୋତେ ସୁଯୋଗ ମିଳିଛି । ରାଜ୍ୟର ସମ୍ପୂର୍ଣ୍ଣ ଆଦିବାସୀ ସମାଜର ସମସ୍ୟା ଓ ସଂଘର୍ଷର କାହାଣୀ ମୋ ଜୀବନର ଅଙ୍ଗେନିଭା ଅନୁଭୂତି । ରାଜ୍ୟର ୨୨% ରୁ ଊଦ୍ଧ୍ୱର୍ ଆଦିବାସୀ ସମାଜର ଦ୍ରୁତ ବିକାଶର ଶପଥକୁ ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ଦୋହରାଉଛି ।
ଭଗବାନ ବିର୍ସା ମୁଣ୍ଡାଙ୍କର ସଂଘର୍ଷ ଓ ଆନ୍ଦୋଳନର ଭୂମି ଥିଲା ଆଧୁନିକ ଝାଡ଼ଖଣ୍ଡ ଓ ଓଡ଼ିଶାର ଅନେକାଂଶ ଅଞ୍ଚଳ । ଆଦିବାସୀଙ୍କର ଜଙ୍ଗଲ ଓ ଜମି ଅଧିକାର ନେଇ ବ୍ରିଟିଶ ବିରୋଧୀ ଉଗ୍ର ଓ ଆକ୍ରମଣାତ୍ମକ ସଂଘର୍ଷ ଆଜି ଦେଶର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ତାଙ୍କର ସଂଘର୍ଷର ତୀବ୍ରତା ଓ ଜନଭାଗିଦାରୀ ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା । ଆଦିବାସୀ ଜମି ଓ ଜଙ୍ଗଲ ହଡ଼ପର ନାୟକ ବ୍ରିଟିଶ ସାମ୍ରାଜ୍ୟ ମୁଣ୍ଡ ନୁଆଁଇ ଛୋଟନାଗପୁର ଟେନାନ୍ସୀ ଆକ୍ଟ ୧୯୦୮ ଗୃହୀତ କରିବାକୁ ବାଧ୍ୟ ହୋଇଥିଲେ । ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହାସିକ ୧ ଅକ୍ଟୋବର ୧୮୯୪ ପ୍ରତିବାଦ ଜନ ଶୋଭାଯାତ୍ରା ଆଜି ଇତିହାସର ମୂକସାକ୍ଷୀ ।
ହୁଏତ ଆମ ଦେଶର ସ୍ୱାଧୀନତାର ଶ୍ରେୟ କେତୋଟି ହାତଗଣତି ପରିବାରରେ ସୀମିତ କରିବାକୁ ଅପଚେଷ୍ଟା କରାଯାଇଥାଇପାରେ । ମାତ୍ର ଆମର ସ୍ୱାଧୀନତା ସଂଗ୍ରାମ ଥିଲା ସତରେ ବଡ଼ ଜନଆନ୍ଦୋଳନ । ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଜୟନ୍ତୀରେ ଅର୍ଘ୍ୟ ଦେବାବେଳେ ବଳିଦାନ ଦେଇଥିବା ଓଡ଼ିଶାର ଜନସଂଘର୍ଷର ମହାନାୟକମାନେ ଆମର ଆଦିବାସୀ ସମାଜର ଓ ସାରା ଓଡ଼ିଶାର ନମସ୍ୟ । କନ୍ଧ ମେଳିର ମହାନାୟକ ଦୋରା ବିଷୋୟୀ ଓ ଚକରା ବିଷୋୟୀ, ମୟୂରଭଞ୍ଜର ୧୮୫୭ର ମହାନାୟକ ଦୟାନିଧି ଧାରୁଆ। କେଉଁଝରର ଭୂଇଁଆ ମେଳିର ରତନ ନାଏକ, ଧରଣୀଧର ନାଏକ, କୋରାପୁଟର ଲକ୍ଷ୍ମଣ ନାଏକ, ବୌଦ୍ଧ-କନ୍ଧମାଳର ନବଘନ କହଁର ସମେତ ମାଦ୍ରି କାଲୋ, ନିର୍ମଳ ମୁଣ୍ଡା, ସାଧୁଜାନୀ- ଦୁନାଇ ଜାନୀ, ତମା ଦୋରା, ଶହୀଦ ମାଧୋ ସିଂ ଓ ତାଙ୍କ ପରିବାର ସମେତ ଓଡ଼ିଶାର ଅଗଣିତ ଆଦିବାସୀ ସଂଗ୍ରାମୀଙ୍କୁ ଜଣେ ଆଦିବାସୀ ଦାୟାଦ ତଥା ସାରା ଓଡ଼ିଶାବାସୀଙ୍କ ତରଫରୁ ସ୍ମରଣ କରୁଛି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଲି ଇତିହାସକୁ ସ୍ମରଣ କରିବାରେ ସୀମିତ ନୁହଁନ୍ତି । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଶୁଭାରମ୍ଭ ହୋଇଥିବା ଆଦିବାସୀ ବିକାଶ ଗଙ୍ଗାକୁ ଜନ ଜନ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବଡ଼ ପଦକ୍ଷେପ ନେଉଛନ୍ତି ମୋଦିଜୀ । ଅଟଳଜୀ ଆଦିବାସୀ ବିକାଶ ମନ୍ତ୍ରଣାଳୟର ଶୁଭାରମ୍ଭ କରି ଆଦିବାସୀଙ୍କୁ ବିକାଶ ନକ୍ସାର କେନ୍ଦ୍ରବିନ୍ଦୁକୁ ଆଣିଥିଲେ । ମୋଦିଜୀ ଦେଶର ୧୧କୋଟି ପାଖାପାଖି ଆଦିବାସୀଙ୍କ ଭାଗ୍ୟ ବଦଳାଇବାରେ ଲାଗିଛନ୍ତି । ପୂର୍ବ-ଭାରତ ପ୍ରାୟତଃ ଆଦିବାସୀ ଅଧ୍ୟୁଷିତ । ଓଡ଼ିଶାର ୨୨ ପ୍ରତିଶତ, ଝାଡ଼ଖଣ୍ଡର ୨୬ ପ୍ରତିଶତ, ଛତିଶଗଡ଼ରେ ୩୦ ପ୍ରତିଶତ ସମେତ ଆସାମ ଓ ପଶ୍ଚିମବଙ୍ଗ ଓ ସମ୍ପୂର୍ଣ୍ଣ ଭାବରେ ପୂର୍ବ-ଭାରତରେ ଆଦିବାସୀ ସଂଖ୍ୟା ଢେର୍ ଅଧିକ । ମୋଦିଜୀଙ୍କର ମିଶନ୍ ପୂର୍ବୋଦୟ ବି ଆଦିବାସୀଙ୍କୁ ବିକାଶ ନକ୍ସାର କେନ୍ଦ୍ରବିନ୍ଦୁକୁ ଆଣିଛି ।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଦିବାସୀ ସ୍ୱାର୍ଥର ଜାଗ୍ରତ ପ୍ରହରୀ । ଆମ ସରକାର ଶୈକ୍ଷିକ ବାତାବରଣ ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବା ପାଇଁ ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ମାଧ୍ୟମରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି ।
ମୁଁ ଦୃଢ଼ ନିଶ୍ଚିତ, ବିକଶିତ ଓଡ଼ିଶା ବିନା ବିକଶିତ ଭାରତ ସମ୍ଭବ ନୁହେଁ ଏବଂ ବିକଶିତ ଆଦିବାସୀ ବିନା ବିକଶିତ ଓଡ଼ିଶା ସମ୍ଭବ ନୁହେଁ । ଆଜି ଜନଜାତୀୟ ଗୌରବ ଦିବସରେ ଓଡ଼ିଶାର ଆଦିବାସୀ ବର୍ଗଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୁଁ ପୁଣି ଥରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି ।