କଟକ,୦୯/୦୬: ଏସ୍‌ସିବି  ମେଡିକାଲ୍‌ରେ ରବିବାର ଆଉ ଏକ  କାଡାଭରିକ୍‌ କିଡ୍‌ନୀ ପ୍ରତିରୋପଣ  ହୋଇଛି । ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ  ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା  ଅନୁଗୁଳ ଅଞ୍ଚଳର ବିଶ୍ୱଜିତ୍‌ ଦାସ  (୨୮) ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ମଧ୍ୟ ତାଙ୍କ କିଡ୍‌ନୀରେ ଦୁଇ ଜଣ କିଡ୍‌ନୀ ଫେଲ୍ୟୁଅର୍‌ ରୋଗୀ  ନୂଆ ଜୀବନ ପାଇଛନ୍ତି । ବିଶ୍ୱଜିତ୍‌ଙ୍କ ବ୍ରେନ୍‌ ଡେଡ୍‌ ପରେ ପରିବାର ଲୋକେ ସମ୍ମତି ପ୍ରକାଶ କରିବାରୁ ଦୁଇ ଜଣ  ନୂଆ ଜୀବନ ପାଇବାର ସମ୍ଭାବନା ସୃଷ୍ଟି  ହୋଇଥିଲା । ଏସ୍‌ସିବି କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍‌ ଟିମ୍‌ ଭୁବନେଶ୍ୱରର ଉକ୍ତ ଘରୋଇ  ହସ୍ପିଟାଲ୍‌ରେ ପହଞ୍ଚି ବିଶ୍ୱଜିତଙ୍କ ଶରୀରରୁ କିଡ୍‌ନୀ ଆଣି ତତ୍ପରତାର ସହିତ ଗ୍ରୀନ୍‌ କରିଡର୍‌ରେ କଟକରେ  ପହଞ୍ଚିଥିଲେ । ନୂଆ ଜୀବନ ପାଇବା  ଆଶାରେ ଅପେକ୍ଷାରତ ଜଗତସିଂହପୁର  ଅଞ୍ଚଳର ସୁନୀଲ ନାୟକ(୩୫) ଙ୍କ ଶରୀରରେ ଏହା ପ୍ରତିରୋପଣ  କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ  ଏହି କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଚାଲିଥିଲା ବୋଲି  ଏସ୍‌ସିବି ସୂତ୍ରରୁ ସୂଚନା ମିଳିଛି । 

ଅନୁଗୁଳର ବିଶ୍ୱଜିତ୍‌ ଏକ  ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଗତ ୩୧ ତାରିଖରୁ ଚିକିତ୍ସିତ ହୋଇଆସୁଥିଲେ । ଦୀର୍ଘ ସପ୍ତାହେ ଧରି ସେ ଚିକିତ୍ସିତ ହୋଇଆସୁଥିଲେ ହେଁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା। ରବିବାର  ଡାକ୍ତର ଟିମ୍‌ ସମସ୍ତ ଭରସା ହରାଇ  ବସିଥିଲେ । ବଞ୍ଚିବାର ଆଶା ନଥିବାରୁ ପରିବାର ଲୋକେ ପୁଅର କିଡ୍‌ନୀ ଦାନ କରିବା ପାଇଁ ସମ୍ମତି ପ୍ରକାଶ  କରିଥିଲେ । ନୋଟୋ ଏବଂ ସୋଟୋର  ଅନୁମୋଦନ କ୍ରମେ ଏସ୍‌ସିବିରେ କିଡ୍‌ନୀ  ପ୍ରତିରୋପଣ ପାଇଁ ଅପେକ୍ଷାରେ ଗତ  ୫ ବର୍ଷ ହେଲା ରହିଥିବା ସୁନୀଲଙ୍କ  ସମେତ ଆଉ ଦୁଇ ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଥିଲା । ଅନ୍ୟ ଦୁଇ ଜଣ କିଡ୍‌ନୀ ଫେଲ୍ୟୁଅର  ରୋଗୀଙ୍କର ଶାରୀରିକ ସମସ୍ୟା ଥିବାରୁ  ସେମାନେ ଟ୍ରାନ୍ସପ୍ଲାଣ୍ଟ୍‌ ପାଇଁ ଅନୁପଯୁକ୍ତ  ହୋଇଥିଲେ । ଫଳରେ ସୁନୀଲଙ୍କ  ଶରୀରରେ ପ୍ରତିରୋପଣର ସମ୍ଭାବନା  ସୃଷ୍ଟି ହୋଇଥିଲା । ସୁନୀଲ ପରୀକ୍ଷାରେ  ଫିଟ୍‌ ଥିବାରୁ ରବିବାର ରାତି ୧୦ଟା ବେଳକୁ ତାଙ୍କର କିଡ୍‌ନୀ ପ୍ରତିରୋପଣ ଆରମ୍ଭ  ହୋଇଥିଲା । ଟ୍ରାନ୍ସପ୍ଲାଣ୍ଟ ଟିମ୍‌ରେ  ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର  ଡ. ସମୀର ସ୍ୱାଇଁ, ନେଫ୍ରୋଲୋଜି ବିଭାଗ  ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କ  ସମେତ ୟୁରୋଲୋଜି ବିଭାଗର ଅନ୍ୟ  ବିଶେଷଜ୍ଞମାନେ ନିୟୋଜିତ ଥିଲେ।