ନୂଆଦିଲ୍ଲୀ, ୧୭/୧୨ : ବିଜେଡି ସାଂସଦ ବିଜେପି ଯିବା ଚର୍ଚ୍ଚାକୁ ନେଇ ବର୍ଷିଲେ ବିଜେଡି ସାଂସଦ। ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କଲେ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଭାସିସ ଖୁଣ୍ଟିଆ, ସୁଲତା ଦେଓ, ମୁନ୍ନା ଖାଁ, ନିଶିକାନ୍ତ ବିଶି ଏବଂ ଦେବାଶିଷ ସାମନ୍ତରାୟ। ବିଜେଡି ନେତାଙ୍କ ଦୃଢୋକ୍ତି, ଆମେ ଏକ ଅଛୁ ଏବଂ ନବୀନଙ୍କ ନେତୃତ୍ଵରେ ଅଛୁ। ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି ତାହା ଭ୍ରମାତ୍ମକ ଏବଂ କପୋଳକଳ୍ପିତ। ନବୀନ ଆମର ଧ୍ରୁବତାରା। ସଂସଦରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ସଭାପତି, ଏକ ସାମ୍ବିଧାନିକ ପଦ। ତାଙ୍କ ସହ ଦେଖା କରିବାରେ କୌଣସି ଭୁଲ୍ ନାହିଁ। ଆମେ ଆମର ଦାବି ନେଇ ଭେଟିଥିଲୁ କିନ୍ତୁ ସେହି ଫଟୋକୁ ଗଣମାଧ୍ୟମରେ ଦେଖାଇ ମିଥ୍ୟା ଖବର ପ୍ରସାରଣ କରିବା ଦୁର୍ଭାଗ୍ୟଜନକ।
ବିଜେଡି ନେତା ନିଶିକାନ୍ତ ବିଶି କହିଛନ୍ତି ଯେ, ମାନସ ମଙ୍ଗରାଜ ଏବଂ ସୁବସିଶ ଖୁଣ୍ଟିଆଙ୍କ ଫୋଟୋ ଦେଖଇ ମିଛ ଖବର ପ୍ରସାରଣ କରାଯାଇଛି। ଆମେ ବିଜେଡିରେ ଅଛୁ ଏବଂ ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ସ୍ଵାର୍ଥ ପାଇଁ ସଂସଦରେ ସ୍ୱର ଉଠେଇଛୁ ଆଗକୁ ମଧ୍ୟ ଉଠେଇବୁ। ଗଣମାଧ୍ୟମ ଖବର ପ୍ରସାରଣ ପୂର୍ବରୁ ଆମର ମତାମତ ନେବା ଆବଶ୍ୟକ ଥିଲା। ଯଦି ଆଗକୁ ଏମିତି ହୁଏ ଆମେ ସମୟ ହିସାବରେ ପଦକ୍ଷେପ ନେବୁ। ଯଦି ଆବଶ୍ୟକ ପଡେ ଆମେ ଏକ ହଜାର କୋଟିର ମାନହାନୀ ମକୋଦ୍ଦମା ମଧ୍ୟ କରିବୁ ବୋଲି କହିଛନ୍ତି ନିଶିକାନ୍ତ।
ବିଜେଡି ନେତା କହିଛନ୍ତି ଯେ, ବିଜେଡିର ସାଂସଦ ବିଜେଡିରେ ହିଁ ରହିବେ। କେହି ବିଜେଡି ଛାଡ଼ୁ ନାହାଁନ୍ତି। ବିଜେଡି ସାଂସଦ ଏକ ଅଛନ୍ତି। ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ସ୍ଵାର୍ଥ ପାଇଁ କାମ କରୁଛୁ। ଆମେ ନା ଏନଡିଏ ସହିତ ଅଛୁ ନା ଇଣ୍ଡିଆ ସହିତ ଅଛୁ। ଆମେ ଓଡ଼ିଶାର ସ୍ଵାର୍ଥ ପାଇଁ କାମ କରୁଛୁ। ଆଗାମୀ ସମୟରେ ମଧ୍ୟ କରିବୁ। ଏବେ ଅନାସ୍ଥା ପ୍ରସ୍ତାବ ଆସିବା ନେଇ କନଫିଡେନ୍ସ ମୋସନ ଆସି ନାହିଁ। ଯେତେବେଳେ ଆସିବ ଆମ ଦଳ ସହିତ ଆଲୋଚନା ହେବ। ସେ ସମୟରେ ଆମ ନେତା ତାର ନିଷ୍ପତ୍ତି ନେବେ।