ସମ୍ବଲପୁର, ୨୧।୭: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଢିଲା । ମହିଳାମାନେ ରାଜ୍ୟରେ ଅସୁରକ୍ଷିତ । ନିତିଦିନ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯାତନା ଖବର ଆସୁଛି । ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି। ଏଭଳି ଦାବି କରି ସୋମବାର ଅର୍ଥାତ୍ ଆଜି ସମ୍ବଲପୁରରେ ଗର୍ଜିଛି ବିଜୁ ଜନତା ଦଳ । ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।
ଆଜି ପୂର୍ବାହ୍ନ ୧୧ଟାରେ ସମ୍ବଲପୁର ସହରର ଜେଲ୍ ଛକ, ଲକ୍ଷ୍ମୀ ଟକିଜ୍ ଛକ ଏବଂ ମ୍ୟୁନିସପାଲଟି ଛକରୁ ନାରାବାଜି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମ୍ବଲପୁର ଜିଲ୍ଲା ସଭାପତି ରୋହିତ ପୂଜାରୀଙ୍କ ନେତୃତ୍ୱରେ ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେଠାରେ ସମସ୍ତ ନେତା ଅଭିଭାଷଣ ରଖିବା ପରେ ଆରଡିସି କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।
ବରିଷ୍ଠ ନେତା ତଥା ବିଜେଡି ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଆଜି ରାଜ୍ୟରେ ସମସ୍ତେ ଅସୁରକ୍ଷିତ । ମହିଳା, ଛାତ୍ରୀ ବିପଦରେ ଅଛନ୍ତି। ଖୋଦ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ପଶି ଆକ୍ରମଣ କରାଯାଉଛି। ରାଜ୍ୟ ସରକାର ଆଇନ ଶୃଙ୍ଖଳା ଠିକ୍ କରନ୍ତୁ । ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ କରାଯାଉ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଘେରାଉରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ, ପୂର୍ବତନ ସାଂସଦ ସୁଧୀର ସାମଲ, ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓ, ସରୋଜ ମେହେର, ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ମହିଧର ରଣା, ବର୍ଷା ସିଂହ ବରିହା, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ସାମିଲ୍ ହୋଇଥିଲେ ।