ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

କେନ୍ଦ୍ର ଅବହେଳା ହେବ ପ୍ରସଙ୍ଗ: ବିଜେଡି ଆରମ୍ଭ କଲା ‘ହକ୍‌ ମାଗୁଛି ଓଡି଼ଶା’

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଢ଼େର ରାଜସ୍ୱ ଆଦାୟ କରି ଦେଉଛୁ । ହେଲେ ଅନୁଦାନ ବେଳକୁ ଠକି ଦେଉଛନ୍ତି । ଆମକୁ ହକ୍‌ ମିଳୁନି । ଏହା ବିରୋଧରେ ଲଢ଼ିବୁ । ଏମିତି ଅଭିଯୋଗରେ କେନ୍ଦ୍ର ବିରୋଧରେ ବିଜେଡି ଆଜିଠୁ ଆରମ୍ଭ କରିଛି ‘ହକ୍‌ ମାଗୁଛି ଓଡି଼ଶା’ ଅଭିଯାନ । ଲୋୟର ପିଏମ୍‌ଜିରୁ ଏହି ଅଭିଯାନର ମୂଳଦୁଆ ପକାଇଛି ଦଳ । କେନ୍ଦ୍ରୀୟ ବୌମାତୃକ ମନୋଭାବ ଓ ଅବହେଳାକୁ ପ୍ରତିଟି ଓଡି଼ଆଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟର ଯୁବ ଓ ଛାତ୍ରଗୋଷ୍ଠୀର କର୍ମୀଙ୍କୁ ଦାୟିତ୍ୱ ଦେଇଛି ।
ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମ୍‌ଜି ଯାଏଁ ଦଳର ଏକ ବିକ୍ଷୋଭ ଶୋଭାଯାତ୍ରା ଯାଇଥିଲା । ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ପ୍ରିୟଦର୍ଶୀ ମିଶ୍ର ଓ ବିଜୟ ମହାନ୍ତି ଏହାର ନେତୃତ୍ୱ ନେଇଥିଲେ । ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ନେତାମାନେ କେନ୍ଦ୍ର ବିରୋଧରେ ଖୁବ୍‌ ବର୍ଷିଥିଲେ । ସେମାନେ ଅଭିଯୋଗ କରିଥିଲେ, ପ୍ରତିବର୍ଷ ଆଶାଠାରୁ ଅଧିକ ରାଜସ୍ୱ ଆଦାୟ କରି କେନ୍ଦ୍ରକୁ ଦିଆଯାଉଛି । ହେଲେ ବଜେଟ୍‌ ବେଳକୁ କେନ୍ଦ୍ର ଅସଲ ରୂପ ଦେଖାଉଛି । କେନ୍ଦ୍ରୀୟ ଅନୁଦାନ ଓ ଯୋଜନାରେ ପ୍ରତିଥର ରାଜ୍ୟବାସୀଙ୍କୁ ନିରାଶ ହେବାକୁ ପଡୁଛି । ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଚିଲ୍ଲାଉ ଥିବା କେନ୍ଦ୍ର ନିର୍ବାଚନର ସାଢ଼େ ୪ ବର୍ଷ ପରେ ମଧ୍ୟ କିଛି ପଦକ୍ଷେପ ନେଇପାରୁନି । ଉପା ସରକାରକୁ ବଳିଗଲାଣି ଏହି ସରକାରଙ୍କ ଅତ୍ୟାଚାର । ଅନୁଦାନ ହେଉ କି ସ୍ୱତନ୍ତ୍ର ପାହ୍ୟା । ଏହା ହେଉଛି ପ୍ରତିଟି ଓଡିଶାବାସୀଙ୍କ ହକ୍‌ । ଏ ହକ୍‌ ମାଗିବାର ସଠିକ୍‌ ସମୟ ଆସିଛି ।
ଏହି ଅଭିଯାନକୁ ବ୍ଲକ ଓ ପଞ୍ଚାୟତସ୍ତରକୁ ନିଆଯିବ । ପ୍ରତିଟି ଗାଁ ଓ ପଞ୍ଚାୟତରେ ପଥପ୍ରାନ୍ତ ସଭା କରାଯିବ । ଘରୁ ଘରୁ ଜଣେ ଲେଖାଏଁ ଯୁବ ସଦସ୍ୟଙ୍କୁ କେନ୍ଦ୍ର ବିରୋଧୀ ଏହି ଅଭିଯାନରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖିଛି ଦଳ । ଯୁବ ଓ ଛାତ୍ର ବାହିନୀ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ପହଞ୍ଚାଇବାକୁ ଆଜିଠୁ ଅଣ୍ଟା ଭିଡିଛନ୍ତି । ଏହାର ନେତୃତ୍ୱ ଯୁବ ବିଜେଡି ସଭାପତି ଅମରେଶ ପାତ୍ର, ଉପଦେଷ୍ଟା ସନ୍ତୋଷ ବେଜ୍‌, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ଉପଦେଷ୍ଟା ଚିନ୍ମୟ ସାହୁଙ୍କୁ ଦିଆଯାଇଛି । ଆଜିର କାର୍ଯ୍ୟକ୍ରମକୁ ମନ୍ଦାକିନୀ କର, ଦୂତି ମାର୍ଥା, ସୁନୀଲ ପଣ୍ଡା ତାରେଣୀ ପ୍ରସାଦ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

ବିଜେଡିର ହକ୍‌ ମାଗୁଛି ଓଡିଶା କାର୍ଯ୍ୟକ୍ରମ କେବଳ ନାଟକ :ବିଜେପି
ବିଜେଡି ସରକାର ପ୍ରଥମେ ଯୋଜନା କପି ପେଷ୍ଟ କରୁଥିଲେ । ଏବେ ରାଜନୈତିକ କାର୍ଯ୍ୟକ୍ରମ ଗୁଡିକୁ ବି କପି ପେଷ୍ଟ କରିବା ଆରମ୍ଭ କରିଦେଇଛନ୍ତି । ଗତ ଦୁଇ ମାସ ତଳେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଯାହାକୁ ଅନୁକରଣ କରି ବିଜେଡି ଏବେ ହକ ମାଗୁଛି ଓଡିଶା ଅଭିଯାନ ଆରମ୍ଭ କରୁଛି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି, ଡିସେମ୍ବର ୨୫ ରେ ବରମୁଣ୍ଡା ପଡିଆରୁ ଓଡିଶାର ୧୪୭ ବିଧାନସଭା କ୍ଷେତ୍ରରେ ଯୁବକମାନେ କାହିଁକି ବେରୋଜଗାର, ଓଡିଶା ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ ବାଧକ ସାଜୁଛନ୍ତି, ମହିଳାଙ୍କୁ ସମ୍ମାନ ନାହିଁ, ମହିଳାମାନେ ଅସୁରକ୍ଷିତ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମଗାଯାଇଥିଲା । ଏଥିରେ ଭୟଭୀତ ହୋଇ ବିଜେଡି ଏପରି କାର୍ଯ୍ୟକ୍ରମ କରୁଛି । କେନ୍ଦ୍ର ସରକାର ଓଡିଶାକୁ ଗୁରୁତ୍ୱ ଦେଉଥିବା ବେଳେ କେନ୍ଦ୍ରୀୟ ଅବହେଳାର କୌଣସି ପ୍ରାସଙ୍ଗିକତା ନଥିବାରୁ ବିଜୁ ଜନତା ଦଳ କେବଳ ନାଟକ କରୁଛି ବୋଲି ଶ୍ରୀ ମହାନ୍ତିି କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.