ଭୁବନେଶ୍ୱର ୦୭/୧୧ : ରାଜ୍ୟ ରାଜନୀତିରେ ବଡ଼ ହଲଚଲ। ଆଜିଠୁ ୪ ଦିନିଆ ଦିଲ୍ଳୀ ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେଡ଼ି ସୁପ୍ରିମୋଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ନବୀନ କାହାକୁ କରିବେ ସମର୍ଥନ, ତା ଉପରେ ସମସ୍ତଙ୍କ ନଜର ରହିଛି। ନୂଆଦିଲ୍ଲୀରେ ବିଜେଡ଼ି ସୁପ୍ରିମୋ ସାଂସଦମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ମଙ୍ଗଳବା ଉପରାଷ୍ଟ୍ରପତି ପଦ ପାଇଁ ହେବ ମତଦାନ । କିନ୍ତୁ, ଏଯାଏ ବିଜେଡି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ଶନିବାର ବିଜେଡି ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ହୋଇଛି । ଦଳର ବରିଷ୍ଠ ସଦସ୍ୟମାନେ ନିଜ ମତ ରଖିଛନ୍ତି । ମାତ୍ର ସଭିଙ୍କ ମତ ଶୁଣିବା ପରେ ବି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ଦଳର କାର୍ଡ ଖୋଲି ନାହାନ୍ତି । ବୈଠକରୁ ଫେରିବା ପରେ ବିଜେଡି ନେତାମାନେ କେବଳ ଏତିକି କହିଛନ୍ତି, ଆଲୋଚନା ହୋଇଛି, ମତ ଜଣାଇ ଦେଇଛୁ । ଚୂଡ଼ାନ୍ତ ନିଷ୍ପତ୍ତି ସଭାପତି ନେବେ ।
ଏହି ସୂତ୍ରରୁ ଜଣାପଡ଼ିଛି, ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କି ଭୂମିକା ନେବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସମସ୍ତ ପିଏସି ସଦସ୍ୟ ମତ ରଖିଥିଲେ । ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗଣମାଧ୍ୟମରେ ସୂଚନା ଦେବାକୁ ଦାୟିତ୍ୱ ଦେଇଥିଲା ଦଳ । ସେ କହିଲେ, ଉପରାଷ୍ଟ୍ରପତି ନିର୍ବାଚନ ନେଇ ଠିକ୍ ସମୟରେ ନବୀନ ବାବୁ ନିଷ୍ପତ୍ତି ନେବେ ।
ଏହା ପୂର୍ବରୁ ଗତ ଜୁଲାଇ ୨୪ରେ ଶଙ୍ଖ ଭବନରେ ବରିଷ୍ଠ ନେତାମାନେ ଏକାଠି ହୋଇଥିଲେ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ଅଧିକାଂଶ ନେତା ସେତେବେଳେ ମତ ରଖିବା ସହ ଏ ନେଇ ଦଳୀୟ ନେତୃତ୍ୱଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି । ତେବେ ଶନିବାର ବୈଠକରେ କିଏ କ’ଣ ମତ ଦେଲେ, ସେ ନେଇ କେହି ଗଣମାଧ୍ୟମରେ ମୁହଁ ଖୋଲିନାହାନ୍ତି ।