ଭୁବନେଶ୍ୱର,୨୪/୦୩: ରାଜ୍ୟସଭା ନିର୍ବାଚନରେ ବିଜେଡି ବଡ଼ ଝଟକା ଖାଇଲା । ହେଲେ ଏହି ଗୋଟିଏ ନିର୍ବାଚନରେ ବଦଳିଯାଇଛି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମିଜାଜ । ବ୍ୟବହାର, କାର୍ଯ୍ୟଶୈଳୀ ଓ କଥାବାର୍ତ୍ତା ସବୁଥିରେ ଆସିଛି ବଡ଼ ପରିବର୍ତ୍ତନ । ଏବେ ନବୀନ ସିଧାସଳଖ ପ୍ରତ୍ୟେକ ବିଧାୟକଙ୍କୁ ଡାକି କଥା ହେଉଛନ୍ତି । ସଂଗଠନ ସହ ବ୍ୟକ୍ତିଗତ କଥା ବି । ଖାଲି ସେତିକି ନୁହେଁ, ମେଳି କରି ଖଟି କରୁଛନ୍ତି । ହସଖୁସି ବି ହେଉଛନ୍ତି । ନବୀନଙ୍କ ଏଭଳି ଅବତାର ଆଗରୁ ପ୍ରାୟତଃ ଦେଖିବାକୁ ମିଳୁନଥିଲା । ନବୀନଙ୍କ ଏ ରୂପର କିଛି ଝଲକ ସୋମବାର ବିଧାନସଭା ମୁଲତବୀ ପରେ ଦେଖିବାକୁ ମିଳିଥିଲା ।

ଶୂନ୍ୟକାଳରେ ହଟ୍ଟଗୋଳ ପରେ ବିଧାନସଭା ମୁଲତବୀ ହେଲା । ସେତେବେଳେ ନବୀନ ବସିଥିଲେ ତାଙ୍କ ଆସନରେ । ପାଖରେ ଥିଲେ ବରିଷ୍ଠ ବିଧାୟକ ଅଶ୍ୱିନୀ ପାତ୍ର । ଜଣ ଜଣ କରି କିଛି ନବାଗତ ବିଧାୟକ ଆସିଲେ ନବୀନଙ୍କ ପାଖକୁ । ବିଧାୟକ ଗୌତମବୁଦ୍ଧ ଦାସ, ରୋମାଞ୍ଚ ବିଶ୍ୱାଳ, ଶାରଦା ପ୍ରସନ୍ନ ଜେନା, ବର୍ଷା ସିଂ ବରିହା ପ୍ରମୁଖ । କିଛି ସମୟ ପରେ ବିଧାୟକ ଗଣେଶ୍ୱର ବେହେରା, ଧ୍ରୁବ ସାହୁ ବି ସେଠାକୁ ଆସିଥିଲେ । ଆଉ କିଛି ବିଧାୟକ ବି ଛିଡ଼ା ହୋଇଥିଲେ ପାଖରେ । ନବୀନଙ୍କୁ ଚାରିପାଖରେ ଘେରି ରହିଥାଆନ୍ତି ବିଜେଡି ବିଧାୟକ । ନବୀନ ବେଶ୍ ଖୁସି ମିଜାଜରେ କଥା ହେଉଥାଆନ୍ତି । ଜଣେ ବିଧାୟକଙ୍କ କହିବାନୁସାରେ ନବୀନ ବାବୁ ପ୍ରାୟ ୨୦ରୁ ୨୨ ମିନିଟ କଥା ହେଲେ। କଥା ଆରମ୍ଭ ହେଲା ରାଜ୍ୟସଭା ଭୋଟକୁ ନେଇ ।

ନବୀନ କହିଲେ, ବିଶ୍ୱାସଘାତକଙ୍କ ମୁହଁରୁ ବିଜୁ ଲିଗାସି କଥା ଶୁଣିଲେ ହସ ଲାଗୁଛି । କେଉଁ ମୁହଁରେ ସେମାନେ ବିଜୁ ଲିଗାସି କଥା କହୁଛନ୍ତି? ବିଶ୍ୱାସଘାତକଙ୍କ ଲମ୍ବା କାହାଣୀ ରହିଛି । ୧୯୯୬ରେ ବି କିଛି ବିଶ୍ୱାସଘାତ କରିଥିଲେ ବିଜୁ ବାବୁଙ୍କ ସହ । ବିଜେଡି ଗଠନ ସମୟର କଥା କହିବା ସହ କିଛି ଅନୁଭୂତି ବାଣ୍ଟିଥିଲେ । କହିଥିଲେ, ବିଜେଡି ଆରମ୍ଭ ପରେ କିଛି ଲୋକ ମୋତେ ଆଗକୁ ଛାଡ଼ି ପଛରୁ ଛୁରି ମାରିବାକୁ ଲାଗିଥିଲେ । ସେମାନଙ୍କୁ ଭଲ ଭାବେ ମୁଁ ଚିହ୍ନିଛି । କିଏ କ’ଣ କରିଥିଲେ, ସେ ବାବଦରେ ବି କହିଥିଲେ । ଆଜି ଯେଉଁମାନେ ବଡ଼ ବଡ଼ କଥା କହୁଛନ୍ତି, ସେମାନେ କିଭଳି ନିଜର ପତିଆରା ବଢ଼ାଇଥିଲେ, ତାହା ବି ଜଣାଅଛି । ଧୋକାବାଜ ସବୁବେଳେ ଧୋକାବାଜ ବୋଲି ନବୀନ କହିଥିଲେ।

ନବୀନ କହିଥିଲେ, ଯେଉଁମାନେ ଦଳରୁ ବିଦା ହେଲେ, ତା’କୁ ନେଇ ଆଦୌ ବିବ୍ରତ ହେବାର ନାହିଁ । ବିଧାୟକମାନେ କହିଥିଲେ, ଦଳ ସ୍ୱଚ୍ଛ ହୋଇଗଲା । ଆମେ ଯେତିକି ଅଛୁ, ଠିକ୍ ଅଛୁ । ଏହାପରେ ନବୀନ କହିଥିଲେ, ନିଜ ଏରିଆକୁ ଦେଖ । ଲୋକଙ୍କ କଥା ବୁଝ । ଯେଉଁଠି ବିଜେଡି ହାରିଛି, ସେ ନିର୍ବାଚନମଣ୍ଡଳୀ ଉପରେ ବି ନଜର ରଖିବାକୁ ହେବ । ୧୪୭ ନିର୍ବାଚନମଣ୍ଡଳୀ କଥା ବୁଝିବାକୁ ପଡ଼ିବ । ଯେଉଁଠି ସମସ୍ୟା ଅଛି, ଜଣାନ୍ତୁ ।

ଅଧିକ ପଢ଼ନ୍ତୁ :-  କ୍ରସ୍ ଭୋଟିଂ ରାଜନୀତି: ଭକ୍ତଙ୍କ ବିରୋଧରେ ବିଷ ଓଗାଳୁଛନ୍ତି ଗଞ୍ଜାମ ଟାଇଗର, କାହିଁକି କଠୋର ହେଉନାହିଁ ଦଳ ?

କଥା କେବଳ ବିଜେଡି ସଂଗଠନ, ରାଜ୍ୟସଭା ଭୋଟ ଭିତରେ ସୀମିତ ନଥିଲା । ବ୍ୟକ୍ତିଗତ ଭାବେ ପ୍ରତ୍ୟେକଙ୍କ ସହ ବି ନବୀନ କଥା ହେଲେ । ଏହାପରେ ଇରାନ ସହ ଆମେରିକା ଇସ୍ରାଏଲ ଯୁଦ୍ଧ ଏବଂ ମୋଦି-ଟ୍ରମ୍ପ ପ୍ରସଙ୍ଗରେ ବି କଥା ହୋଇଥିଲେ । ଆଲୋଚନା ବେଳେ ନବୀନ ଆଦୌ ଗମ୍ଭୀର କିମ୍ବା ରାଗିନଥିଲେ । ପୂରା ହସଖୁସିର ସହ କଥା ହେଉଥିଲେ ନବୀନ ।

ନବୀନଙ୍କ ସହ କଥା ହେବା ନେଇ ବିଧାୟକ ଗୌତମବୁଦ୍ଧ, ଶାରଦା, ରୋମାଞ୍ଚ ଏବଂ ବର୍ଷା ପ୍ରମୁଖ ଗଣମାଧ୍ୟମରେ ବେଶ ଖୁସି ଜାହିର କରିଛନ୍ତି । ଚଳିତ ବିଧାନସଭା ଅଧିବେଶନରେ ନବୀନଙ୍କ ନୂଆ ରୂପ ଦେଖିବାକୁ ମିଳିଛି । ନବୀନ ବିଧାନସଭାକୁ ପ୍ରବେଶବେଳେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଦଳୀୟ ବିଧାୟକଙ୍କ ସହ କଥା ହେଉଛନ୍ତି । ଗୃହ ଭିତରେ ନବୀନ ବିଧାୟକଙ୍କୁ ଡାକି ଆଲୋଚନା କରୁଛନ୍ତି । ଗଣମାଧ୍ୟମକ ଦେଖିଲେ ପ୍ରତିକ୍ରିୟା ରଖୁଛନ୍ତି । ନବୀନ ନିବାସରେ ବାରମ୍ବାର ବିଧାୟକ ଓ ନେତାମାନଙ୍କୁ ଡାକି ଆଲୋଚନା କରୁଛନ୍ତି । ବିଧାୟକଙ୍କ ଭଲ ମନ୍ଦ ବି ପଚାରୁଛନ୍ତି ।