ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ‘ବାହାଦୁରି ନେବାକୁ ଚାଲ୍ ଖେଳିଛନ୍ତି ରାଜ୍ୟ ସରକାର’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କରିଛନ୍ତି। ଯେଉ ଅଙ୍ଗନବାଡ଼ି କର୍ମୀଙ୍କୁ 3 ହଜାର ଟଙ୍କା ଦିଆଯାଉଥିଲା। ସେମାନଙ୍କୁ ସରକାର 4ହଜାର 500 ଟଙ୍କା ଦେବେ। ସେହିଭଳି ମିନି ଅଙ୍ଗନବାଡ଼ି କର୍ମୀ ଯିଏ 25ଶହ ଟଙ୍କା ପାଉଥିଲେ, ସେମାନେ 35ଶହ ଟଙ୍କା ପାଇବେ। ଆଉ ଯେଉଁମାନେ 15ଶହ ଟଙ୍କା ପାଉଥିଲେ, ସେମାନେ 25ଶହ ଟଙ୍କା ପାଇବେ। ନିଜେ ପ୍ରଧାନମନ୍ତ୍ରୀ ଏ ନେଇ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଏ ଟଙ୍କା ବଢାଇଥିବା ବେଳେ ଗତକାଲି ରାଜ୍ୟ ସରକାର ଟଙ୍କା ବଢାଇଥିବା କହି ରାଜ୍ୟ ସରକାର ବାହାଦୁରି ମାରୁଛନ୍ତି। ଏ ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ଭୂଆଁ ବୁଲାଇବାକୁ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।
ଭାରତ ସରକାର ଯେତେବେଳେ ଦରମା ବୃଦ୍ଧି କଲେ, ସେତେବେଳେ ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଆପଣାଛାଏ ବଢି 7,500ଟଙ୍କା ପାଇବା କଥା। ସେହିଭଳି ମିନି ଅଙ୍ଗନବାଡି କର୍ମୀ 5,375 ଟଙ୍କା, ସହାୟିକା କର୍ମୀ 3750 ଟଙ୍କା ପାଇବା କଥା। ଅକ୍ଟୋବର 1 ତାରିଖରୁ ଏ ଦରମା ଲାଗୁ କରିବାକୁ ରାଜ୍ୟଙ୍କୁ ସ୍ପଷ୍ଟ ଭାବେ କୁହାଯାଇଥିଲା। ଅଙ୍ଗନବାଡି କର୍ମୀ ରାଜ୍ୟରେ 18 ହଜାର ଟଙ୍କା ଦାବି କରୁଥିବା ବେଳେ ରାଜ୍ୟ ସରକାର ଏହା ନଦେଇ କେନ୍ଦ୍ର ସରକାରଙ୍କ ଘୋଷଣାକୁ ନିଜର ବୋଲି କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ଅଙ୍ଗନବାଡିଙ୍କ ବଢିଥିବା ଦରମା କେନ୍ଦ୍ର ସରକାରଙ୍କର। ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ। ରାଜ୍ୟ ଟଙ୍କାଟିଏ ବି ଦେଇନି। ଆନ୍ଧ୍ର ପ୍ରଦେଶରେ ଅଙ୍ଗନବାଡ଼ି କର୍ମୀଙ୍କୁ 10,500ଟଙ୍କା ଦିଆଯାଉଛି। କେରଳରେ ମାସିକ 12, 000ଟଙ୍କା ମିଳୁଥିବା ବେଳେ ଓଡ଼ିଶାରେ ଏହା ମାତ୍ର 7,500 ଟଙ୍କା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମହାପାତ୍ର।