ଭୁବନେଶ୍ବର, ୧୬।୧୨ : ଧଉଳିରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସରକାରଙ୍କୁ ବିଜେଡି ଟାର୍ଗେଟ କରିଛି । ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏକ ସାମ୍ବାଦିକ ସମ୍ମିଳନରେ କହିଛନ୍ତି । ବିଜେପି ସରକାରଙ୍କ ଉପରେ ବର୍ଷିବା ସହ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ଦାବି କରିଛନ୍ତି।
ଧଉଳିରେ ନାବାଳିକାଙ୍କୁ ପୁରୁଷ ବନ୍ଧୁ ଆଗରେ ଗଣ ଦୁଷ୍କର୍ମ କରାଯାଇଛି । କେଉଁଠି ମଧ୍ୟ ସୁରକ୍ଷିତ ନାହାନ୍ତି ମହିଳା । ପୂର୍ବରୁ ଗୋପାଳପୁର ବେଲା ଭୂମିରେ ଏମିତି ଘଟଣା ଘଟିଥିଲା । ବାରମ୍ବାର ସରକାରଙ୍କ ବିରୋଧରେ ଉଠିଛି ପ୍ରଶ୍ନ ବୋଲି ସ୍ନେହାଙ୍ଗିନୀ କହିଥିଲେ। ସେଭଳି ନୟାଗଡ଼ରେ ମଧ୍ୟ ଜଣେ ନାବାଳିକାଙ୍କୁ ବିଷ ଦେଇ ରଡରେ ପିଟି ପିଟି ହତ୍ୟା କରାଯାଇଛି। ବଳଙ୍ଗା କେସ , ବାଲେଶ୍ଵର ସୌମ୍ୟଶ୍ରୀ ପୋଡ଼ି ଘଟଣା ସବୁଠି ତଦନ୍ତ ତଦୃପ ହେଉଛି । ଅପରାଧୀ ମାନେ ପୋଲିସ୍ କବଳରୁ ବଞ୍ଚି ଯାଉଛନ୍ତି । ସେହିଭଳି ମହିଳା କମିଶନର ଉର୍ମିଳା ମହାପାତ୍ରଙ୍କ ମନ୍ତବ୍ୟଙ୍କୁ ମଧ୍ୟ ନିନ୍ଦା କରିଛନ୍ତି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।
ସମ୍ୱଲପୁର , ଖୋର୍ଦ୍ଧା , ନବରଙ୍ଗପୁର , ସୁନ୍ଦରଗଡ଼ , ରାଉରକେଲା , ଭୁବନେଶ୍ୱର , ନୟାଗଡ଼ , ଯାଜପୁର , କଟକ , ଗଞ୍ଜାମ , କୋରାପୁଟ , ପୁରୀ , କେଉଁଝର , କେନ୍ଦ୍ରାପଡ଼ା , ବାଲେଶ୍ଵର , ରାୟଗଡ଼ା , କନ୍ଧମାଳ , ମାଲକାନଗିରି , ଜଗତସିଂହପରରେ ସବୁଠି ଦୁଷ୍କର୍ମ ଅଭିଯୋଗ ଆସିଛି। ତେଣୁ କେହି ମଧ୍ୟ ସୁରକ୍ଷିତ ନୁହନ୍ତି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।