ନବୀନଙ୍କ ଦମ୍ଭୋକ୍ତି: ଭୋଟ୍ରେ ବିଜେଡି ବହୁତ ଭଲ କରିବ

ଭୁବନେଶ୍ୱର,୨୨ ।୧(ବ୍ୟୁରୋ): ‘ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ ପ୍ରଦର୍ଶନ କରିବ । ଏ ନେଇ ମୁଁ ନିଶ୍ଚିତ ଅଛି ।’
ଭୋଟ୍ ଉଣେଇଶ ପୂର୍ବରୁ ଏମିତି ଦମ୍ଭ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ଗଣମାଧ୍ୟମକୁ ଏମିତି ପ୍ରତିକ୍ରିୟା ରଖି ବିଜେଡି ସଭାପତି ପରୋକ୍ଷରେ ସ୍ପଷ୍ଟ କରିଛନ୍ତି, ଭୋଟ୍ ପ୍ରସ୍ତୁତିରେ ବିଜେଡି ଆଗରେ ଅଛି । ଦଳ ବେଶ୍ ଭଲ ଫଳ ଦେଖାଇ ୫ମ ଥର ପାଇଁ ଓଡ଼ିଶାର ଶାସନ ଗାଦିରେ ବସିବ ।
ଲଗାତର ୪ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ନବୀନ ଏବେ ୫ମ ଥର ଗାଦି ସମ୍ଭାଳିବାକୁ ବେଶ କସରତ କରୁଛନ୍ତି । ବିରୋଧୀ ବିଜେପି ଓ କଂଗ୍ରେସକୁ ପ୍ରସ୍ତୁତିରେ ପଛରେ ଛାଡ଼ି ବିଜେଡି ବେଶ୍ ଆଗରେ ଥିଲା ବେଳେ ମୁଖ୍ୟମନ୍ତ୍ରୀ ନୂଆ ନୂଆ ଯୋଜନା ସାଙ୍ଗକୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଇତିମଧ୍ୟରେ ନବୀନଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ୩ଟି ସମାବେଶରେ ଯୋଗଦେଇ ଭୋଟଭିକ୍ଷା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଭୋଟ ପ୍ରଚାର ପାଇଁ ୨୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ।ମାତ୍ର ଏ ଦୁଇ ଦଳର ମିଶନ ଓଡ଼ିଶା କାର୍ଯ୍ୟକ୍ରମ ନବୀନଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ପାରିନି । ସେ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ଭୋଟରେ ବିଜେଡି ପୁଣି କ୍ଷମତାକୁ ଫେରିବ ।