ଗରିବ ବିଜେଡି କର୍ମୀଙ୍କୁ ମିଳିପାରିଲାନି ସହାୟତା: କୋମାରେ ମୃତ୍ୟୁ ସହ ସଂଘର୍ଷ

ନବରଙ୍ଗପୁର/ନନ୍ଦାହାଣ୍ଡି,୧୦ା୨(ଆପ୍ର): କୌଣସି ଗରିବ ଲୋକର ଚିକିତ୍ସାରେ ଅର୍ଥ ବାଧକ ହେବନି । ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ରାଜ୍ୟ ସରକାର । ୫ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଠାରେ କିନ୍ତୁ ତା’ର ସାଂଘାତିକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଜେଡିର ଜଣେ ଗରିବ କର୍ମୀ ନନ୍ଦାହାଣ୍ଡି ବ୍ଲକ ସରୁଗୁଡା ଗାଁର ତ୍ରିଲୋଚନ ମାଳି (୪୦) ଏକ ଦୁର୍ଘଟଣାରେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇବା ପାଇଁ ପରିବାର ପାଖରେ ଥିବା ବୀମା କାର୍ଡ କାମରେ ଲାଗୁନି । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ଡାକ୍ତରମାନେ କୌଣସି ବଡ଼ ମେଡିକାଲ୍ ନେବାକୁ କହି ବିଦା କରିଦେଇଛନ୍ତି । ଫଳରେ ୩ ଦିନ ହେବ ଘରେ କୋମା ଅବସ୍ଥାରେ ପଡ଼ିରହି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ତ୍ରିଲୋଚନ । ବିଜେଡି କର୍ମୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ମଳିପାରୁନଥିବା ବେଳେ ଅନ୍ୟଙ୍କୁ କିଭଳି ଏହାର ସୁଫଳ ମିଳୁଥିବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।
ଗତ ୫ ତାରିଖରେ ଉମରକୋଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ଗାଁର ଜଣଙ୍କ ବାଇକ୍ରେ ଘରୁକୁ ଫେରୁଥିଲେ ତ୍ରିଲୋଚନ । ଗାଁ ନିକଟରେ ଘଟିଥିଲା ଦୁର୍ଘଟଣା । ଏଥିରେ ସେ ଗୁରୁତର ହୋଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଗାଁ ଲୋକେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପରେ କୋରାପୁଟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୁଣ୍ଡର ଖପୁରୀ ଭିତରକୁ ଏକ ଗୋଡ଼ି ପଶିଯାଇଥିବା ଜଣା ପଡ଼ିଥିଲା । ପରେ ସେ କୋମାକୁ ଚାଲିଯାଇଥିଲେ । ୨ ଦିନ ଚିକିତ୍ସା ପରେ ଡାକ୍ତରମାନେ ତୁରନ୍ତ ତାଙ୍କୁ ବଡ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ । ରେଫର୍ କରିବା ଲାଗି ପରିବାର ଲୋକେ ସ୍ୱାସ୍ଥ୍ୟବୀମା କାର୍ଡ ଦେଖାଇଥିଲେ । ହେଲେ ଏହି କାର୍ଡ ଚଳିବ ନାହିଁ ବୋଲି କହି ଡାକ୍ତରମାନେ ତାଙ୍କୁ ବିଦା କରିଦେଇଥିଲେ । ଗାଁର ଅନ୍ୟ ଜଣେ ବିଜେଡି କର୍ମୀ ଅର୍ଜୁନ ଗୌଡ ଏ ସଂପର୍କରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କୁ ଯୋଗାଯୋଗ କରିଥିଲେ । କୋମାରେ ଥିବା ତ୍ରିଲୋଚନଙ୍କୁ ଭୁବନେଶ୍ୱର ନେବାକୁ କହି ବିଧାୟକ ଫୋନ୍ ରଖିଦେଇଥିଲେ ବୋଲି ସେ କହିଛନ୍ତି । ଶେଷରେ ଗତ ୮ ତାରିଖ ଦିନ କୋରାପୁଟ ମେଡିକାଲ କଲେଜ୍ରୁ କୋମା ଅବସ୍ଥାରେ ତ୍ରିଲୋଚନଙ୍କୁ ଡିସ୍ଚାର୍ଜ କରିଦିଆଗଲା । ଅର୍ଥାଭାବରୁ ଏବେ ଘରେ ପଡ଼ିରହିଛନ୍ତି ସେ । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ମଧ୍ୟ ଏଯାଏଁ ତାଙ୍କ ପାଖରେ ପହଞ୍ଚି ନାହିଁ ।
ଜମିହୀନ ପରିବାର । କୁଲି କାମ କଲେ ଘରେ ଚୁଲି ଜଳୁଥିଲା । ତ୍ରିଲୋଚନଙ୍କ ଏଭଳି ଅବସ୍ଥା ପରେ ଏବେ ପରିବାରର ଅବସ୍ଥା ଶୋଚନୀୟ । ଏ ସଂପର୍କରେ ଆମେ ବିଧାୟକ ଶ୍ରୀ ରନ୍ଧାରୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲୁ । କି୍ତୁ ତାହା ସମ୍ଭବ ହୋଇପାରିନି । ତୁରନ୍ତ କୋମାରେ ପଡିଥିବା ତ୍ରିଲୋଚନଙ୍କୁ ପ୍ରଶାସନ ପକ୍ଷରୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ପରିବାର ଓ ଗ୍ରାମବାସୀ ।