ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗର ଜବାବ ଦେଇଛି ବିଜେପି । ବିଜେପି କହିଛି ଯେ, ଯଦି ରାହୁଲ ଗାନ୍ଧୀ ନିର୍ବାଚନ ସମୟରେ ବିଦେଶ ଚାଲିଯିବେ, ତେବେ ସେ କିପରି ଜିତିବେ ? ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିହାରରେ ଭୋଟ ହେଉଛି ଏବଂ ସେ ହରିୟାଣା ନିର୍ବାଚନ ବିଷୟରେ କହୁଛନ୍ତି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ, ହରିୟାଣା ନିର୍ବାଚନରେ ୨୫ ଲକ୍ଷ ନକଲି ଭୋଟର ପଞ୍ଜୀକୃତ ହୋଇଛନ୍ତି।  ପ୍ରତି ୮  ଜଣରେ ଜଣେ ଭୋଟର ନକଲି। ହରିୟାଣାରେ ନକଲି ଭୋଟ ମାଧ୍ୟମରେ ଜନାଦେଶ ଚୋରି ହୋଇଛି ।

ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେପି ନେତା କିରଣ ରିଜିଜୁ କହିଛନ୍ତି, ‘ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଗତ ସଂସଦ ଅଧିବେଶନ ସମୟରେ ରାହୁଲ ଗାନ୍ଧୀ ତାଙ୍କ ଟି-ସାର୍ଟରେ ଜଣେ ମହିଳାଙ୍କ ଫଟୋ ଛାପି ବୁଲିଥିଲେ। ସେହି ମହିଳା ଜଣକ କଂଗ୍ରେସ ଦଳକୁ ଗାଳି ଦେଇଥିଲେ। ଏବେ, ଯେତେବେଳେ ବିହାରରେ ନିର୍ବାଚନ ହେଉଛି ସେ ହରିୟାଣା ନିର୍ବାଚନ ପ୍ରସଙ୍ଗ ଉଠାଉଛନ୍ତି। ରାହୁଲ ଗାନ୍ଧୀ ଜଣେ ବିଦେଶୀ ମହିଳାଙ୍କ କଥା ଉଠାଇଛନ୍ତି। ସଂସଦ ଅଧିବେଶନ ସମୟରେ, ରାହୁଲ ଗାନ୍ଧୀ ଲୁଚିଛପି କାମ୍ବୋଡିଆ, ଥାଇଲ୍ୟାଣ୍ଡ ଯାଆନ୍ତି। ଯେତେବେଳେ ବିହାରରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ, ସେ କଲମ୍ବିଆ ଯାଇଥିଲେ । ସେ ବିଦେଶ ଯାଇ ବିଦେଶରୁ ମିଳୁଥିବା ପ୍ରେରଣାକୁ ନେଇ ଆପଣଙ୍କ ସମୟ ନଷ୍ଟ କରୁଛନ୍ତି । ବିରୋଧୀ ଦଳ ନେତା ତଥ୍ୟ ବିଷୟରେ କଥାବାର୍ତ୍ତା କରିବା ଉଚିତ ଏବଂ ଅଯଥା କଥା କହିବା ଉଚିତ୍ ନୁହେଁ।’

ରିଜିଜୁ କହିଛନ୍ତି, ‘ରାହୁଲ ଗାନ୍ଧୀ ଏକଜିଟ୍ ପୋଲରେ ବିଜୟ ଦାବି କରିଥିଲେ । କିନ୍ତୁ ୨୦୦୪ ନିର୍ବାଚନରେ ଆମେ ମଧ୍ୟ ଏକଜିଟ୍ ପୋଲରେ ଜିତି ଥିଲୁ । କିନ୍ତୁ ଆମେ ତାଙ୍କ ଭଳି କାନ୍ଦିନଥିଲୁ । ଆମେ କେବେ ଏକଜିଟ୍ ପୋଲର ଅପବ୍ୟବହାର କରିନାହୁଁ। ଯେତେବେଳେ ଏକଜିଟ୍ ପୋଲ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ଯାଏ, ସେମାନେ କୁହନ୍ତି ଯେ ଏହା ଭଲ । କିନ୍ତୁ ଯେତେବେଳେ ତାଙ୍କ ବିରୋଧ ଯାଏ, ସେମାନେ ଅଭିଯୋଗ କରନ୍ତି। ସେ କୁହନ୍ତି, ହାଇଡ୍ରୋଜେନ୍ ବୋମା ଫୁଟିବ । କିନ୍ତୁ ତାଙ୍କର ପରମାଣୁ ବୋମା କାହିଁକି ଫୁଟୁ ନାହିଁ ?’

 କିରଣ ରିଜିଜୁ କହିଛନ୍ତି, ‘ନିକଟରେ ଜଣେ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି, ହରିୟାଣାରେ କଂଗ୍ରେସ ଦଳର କୌଣସି ସମନ୍ୱୟ ନାହିଁ, ତେଣୁ ସେମାନେ ଜିତିବେ କିପରି ? କିନ୍ତୁ ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କୁ ଗାଳି ଦେଉଛନ୍ତି। ଯଦି ସେ ଏଭଳି କଥାବାର୍ତ୍ତା କରିବେ, ତେବେ ତାଙ୍କୁ କିଏ ବିଶ୍ବାସ କରିବ ।  କଂଗ୍ରେସ ନେତାମାନେ କହୁଛନ୍ତି ଯେ, ଯେପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ନେତା ରହିବେ ସେପର୍ଯ୍ୟନ୍ତ କଂଗ୍ରେସ ଦଳ ଜିତିପାରିବ ନାହିଁ।’

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଆହୁରି କହିଛନ୍ତି ଯେ, ‘ବିଜେପି ଦଳ ପାଖରେ ଶୃଙ୍ଖଳା ଏବଂ କର୍ମୀଙ୍କ ଶକ୍ତି ଅଛି। ଆମେ ୨୪ ଘଣ୍ଟା ଦୌଡ଼ୁଛୁ, ଏହା ବିଜେପିର ବ୍ୟବସ୍ଥା ଏବଂ ଏହା ଆଧାରରେ ଆମେ ଜିତୁ । ଭୋଟର ତାଲିକା ସମସ୍ତଙ୍କ ପାଇଁ ଉପଲବ୍ଧ । ଏହା ନିର୍ବାଚନ କମିଶନଙ୍କ ୱେବସାଇଟରେ ଅଛି। ଯଦି ତାଲିକାରେ କୌଣସି ଅସଙ୍ଗତି ଅଛି, ତେବେ ଏହାକୁ ହଟାଇବା ପାଇଁ ଏକ ପ୍ରକ୍ରିୟା ମଧ୍ୟ ରହିଛି। ଭୋଟର ତାଲିକାର ସଂଶୋଧନ ଲାଗି SIR କରାଯାଉଛି। ଯେଉଁ ଲୋକମାନଙ୍କର ନାମ ଭୋଟର ତାଲିକାରୁ ବାଦ ଦିଆଯାଇଛି ବୋଲି ଅଭିଯୋଗ କରାଯାଉଛି, ସେମାନେ ଅଭିଯୋଗ କରୁନାହାନ୍ତି ?  ରାହୁଲ ଗାନ୍ଧୀ କେବଳ କାନ୍ଦୁଛନ୍ତି । ରାହୁଲ ଗାନ୍ଧୀ ଲୋକଙ୍କ ସହିତ ଯୋଗାଯୋଗରେ ନାହାନ୍ତି ଏବଂ ସେ ଦୁନିଆ ବିଷୟରେ କଥା ହେଉଛନ୍ତି।’