ନୂଆଦିଲ୍ଲୀ,୧୪/୦୫: ଅପରେସନ୍ 'ସିନ୍ଦୂର' ବାବଦରେ ସୂଚନା ଦେଉଥିବା କର୍ଣ୍ଣଲ ସୋଫିଆ କ୍ୟୁରେସିଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତା । ମଧ୍ୟପ୍ରେଦଶ ମନ୍ତ୍ରୀ ବିଜୟ ଶାହ କର୍ଣ୍ଣଲ ସୋଫିଆ କ୍ୟୁରେସିଙ୍କ ଉପରେ ଦେଇଥିବା ଆପତ୍ତିଜନକ ବୟାନକୁ ନେଇ ହଙ୍ଗାମା ହୋଇଛି । କଂଗ୍ରେସ ଏହାକୁ ନିନ୍ଦା କରିବା ସହିତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି ।
ବିଜେପି ନେତା ତଥା ମଧ୍ୟପ୍ରେଦଶ ମନ୍ତ୍ରୀ ଥିବା ବିଜୟ ଶାହ ସୋଫିଆ କ୍ୟୁରେସିଙ୍କ ଉପରେ ଦେଇଥିବା ଆପତ୍ତିଜନକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବୟାନରେ ବିଜୟ ଶାହ କହିଛନ୍ତି, ଯିଏ ଆମର ଝିଅଙ୍କ ସିନ୍ଦୂର ଉଜାଡିଲେ ଆମେ ସେମାନଙ୍କ ପାଖକୁ ତାଙ୍କରି ଭଉଣୀଙ୍କୁ ପଠାଇ ଯେସାକୁ ତେସା କରୁଛି । ବିଜୟ ଶାହଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଛି । ଯାହାକୁ ନେଇ କଂଗ୍ରେସ ବିଜୟ ଶାହାଙ୍କୁ ଟାର୍ଗେଟ କରିଛି ।
କଂଗ୍ରେସର ନିନ୍ଦା- ଅପରେସନ୍ 'ସିନ୍ଦୂର' ସମୟରେ ପ୍ରମୁଖ ଚେହେରା ପାଲଟିଥିଲା କର୍ଣ୍ଣଲ ସୋଫିଆ କ୍ୟୁରେସି । ତାଙ୍କ ଉପରେ ବିଜେପି ମନ୍ତ୍ରୀ ବିଜୟ ସିଂହ ଦେଇଥିବା ଆପତ୍ତିଜନକ ବୟାନକୁ କଂଗ୍ରେସ ଟାର୍ଗେଟ କରିଛି । ଏହା ସେନା ଓ ମହିଳାଙ୍କ ଅପମାନ । ବିଜୟ ଶାହଙ୍କ ତୁରନ୍ତ ବହିଷ୍କାର କରାଯାଉ । କଂଗ୍ରେସ ନାରାବାଜି ଦେବା ସହିତ ତାଙ୍କ ବାସଭବନ ଆଗରେ ହଙ୍ଗାମା କରିଛନ୍ତି । ନେମପ୍ଲେଟରେ କାଳି ବୋଳିଛନ୍ତି । ବିଜେପି ସଫେଇ ଦେଇ ବୟାନକୁ ଅତିରଞ୍ଜିତ କରାଯାଇଥିବା କହିଛି ।