ନୂଆଦିଲ୍ଳୀ,୪।୭: ବିହାରର ସାହେବଗଞ୍ଜ ବିଧାୟକ ରାଜୁ କୁମାର ସିଂହଙ୍କୁ ୪ ବର୍ଷର ଜେଲ୍ ଦଣ୍ଡ ସହ ୨୫ ଲକ୍ଷ ଟଙ୍କାର ଜରିମନା। ୮ ବର୍ଷ ପୁରୁଣା ‘ହର୍ଷ ଫାୟାରିଂ’ ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପ୍ରଦାନ କରିଛନ୍ତି ଏହି ସଜା । ଦିଲ୍ଲୀର ବସନ୍ତକୁଞ୍ଜରେ ନୂଆ ବର୍ଷର ପୂର୍ବ ସନ୍ଧ୍ୟାରେ ଏକ ପାର୍ଟିରେ ହୋଇଥିବା  ହର୍ଷ ଫାୟାରିଂରେ ମହିଳା ଡାକ୍ତର ଅର୍ଚ୍ଚନା ଗୁପ୍ତାଙ୍କ ମୃତ୍ୟୁ ମାମଲାରେ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି।  କୋର୍ଟ ତାଙ୍କୁ  ଆର୍ମସ ଆକ୍ଟ  ଅନୁଯାୟୀ ଦୁଇ ମାସ ଜେଲଦଣ୍ଡ ଶୁଣାଇଛନ୍ତି, ସେଭଳି ତାଙ୍କୁ ମୁଖ୍ୟ ମାମଲାରେ ୪ ବର୍ଷ ଜେଲଦଣ୍ଡ ଦିଆଯାଇଛି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ଦଣ୍ଡ ଏକକାଳୀନ ଚାଲିବ।

ରାଜୁ ସିଂହ ଏହି ମାମଲାରେ ଶୁକ୍ରବାର କୋର୍ଟରୁ ସଜା ଛାଡ କରିବାର ଅପିଲ କରିଥିଲେ। ସେ କୋର୍ଟରେ କହିଥିଲେ ଯେ, ‘ସାଇଣ୍ଟିଫିକ୍ ସୂଚନା’ର ଅଭାବ କାରଣରୁ ଏହି ଅପରାଧ କରିଛନ୍ତି। ସେ ଗୁଳିର ପାରାବୋଲିକ୍ ରାସ୍ତା ବିଷୟରେ ଜାଣିନଥିଲେ। ତାଙ୍କର ଏହି ଯୁକ୍ତିକୁ ରାଉଜ ଆଭେନ୍ୟୁ କୋର୍ଟର ସ୍ପେଶାଲ ଜଜ୍ ବିଶାଲ ଗୋଗନିଙ୍କ ଆଗରେ ଉପସ୍ଥାପିତ କରାଯାଇଥିଲା, ଯିଏକି ମାମଲାରେ ସଜାର ସମୟସୀମା ଉପରେ ଦଲିଲ୍ ଶୁଣୁଥିଲେ।

ଏହି ମାମଲାରେ ଜୁନ୍ ୬ ତାରିଖରେ କୋର୍ଟ ବିଜେପି ବିଧାୟକ ରାଜୁ କୁମାର ସିଂହଙ୍କୁ   ଦୋଷୀ ସାବ୍ୟସ୍ତ କରିଥିଲେ।  କୋର୍ଟ ବିଜେପି ବିଧାୟକ ରାଜୁ କୁମାର ସିଂହଙ୍କୁ IPC ୩୦୪ (୨) ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ବିଜେପି ବିଧାୟକ ଟଙ୍କା ନଦିଅନ୍ତି, ତେବେ ତାଙ୍କୁ ଅତିରିକ୍ତ ତିନି ମାସ ଜେଲଦଣ୍ଡ ଭୋଗିବାକୁ ପଡିବ।

​​​​​​​

କ’ଣ ଥିଲା ମାମଲା ?

ରିପୋର୍ଟ ଅନୁଯାୟୀ, ୩୧ ଡିସେମ୍ବର ୨୦୧୮ରେ ଦିଲ୍ଲୀର ବସନ୍ତ କୁଞ୍ଜରେ ଥିବା ଏକ ଫାର୍ମହାଉସରେ ନୂଆ ବର୍ଷର ପାର୍ଟି ଚାଲିଥିଲା। ବିଜେପି ବିଧାୟକ ରାଜୁ କୁମାର ସିଂହଙ୍କ ଫାର୍ମ ହାଉସରେ ଉତ୍ସବ ପାଇଁ ହର୍ଷ ଫାୟାରି କରାଯାଇଥିଲା। ହର୍ଷ କୌଣସି ଖୁସି କିମ୍ବା ଉତ୍ସବ ସମୟରେ ( ବିବାହ, ନୂତନ ବର୍ଷ, କିମ୍ବା ବିଜୟ ଉତ୍ସବ) ଆକାଶକୁ ବନ୍ଧୁକରୁ ଗୁଳି ଚାଳନା କରିବାକୁ କୁହାଯାଏ। ଏହା ସାଧାରଣତଃ ଆନନ୍ଦ ପ୍ରକାଶ କରିବା ପାଇଁ କରାଯାଏ, କିନ୍ତୁ ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ହୋଇଥାଏ। ଠିକ୍ ସେଭଳି ଘଟଣା ଦିନ ‘ହର୍ଷ ଫାୟରିଂ’ରେ  ଡାକ୍ତର ଅର୍ଚ୍ଚନା ଗୁପ୍ତାଙ୍କୁ ଦେହରେ ବାଜିଥିଲା ଗୁଳି। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦୀର୍ଘ ବିଚାର ପରେ, ରାଉଜ୍ ଆଭେନ୍ୟୁ କୋର୍ଟ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। 

ଯାଇପାରେ ବିଧାୟକ ପଦ 

ବିଜେପି ବିଧାୟକ ରାଜୁ ସିଂହଙ୍କୁ କୋର୍ଟ ଚାରି ବର୍ଷ ଜେଲଦଣ୍ଡ ଦେଇଥିବାରୁ ଏବେ ତାଙ୍କର ସଦସ୍ୟତା ହରାଇବା  ଏକ ପ୍ରକାର ସୁନିଶ୍ଚିତ। ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୮ (୩) ଅନୁଯାୟୀ ଯଦି କୌଣସି ସାଂସଦ କିମ୍ବା ବିଧାୟକଙ୍କୁ କୌଣସି ଫୌଜଦାରୀ ମାମଲାରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲଦଣ୍ଡ ଦିଆଯାଏ, ତେବେ କୋର୍ଟ ଦଣ୍ଡ ଘୋଷଣା କରିବା ଦିନଠାରୁ ତାଙ୍କର ସଦସ୍ୟତା ତୁରନ୍ତ ସମାପ୍ତ ହୋଇଯିବ।