ଦିଗପହଣ୍ଡି, ୩୦।୬: ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅଞ୍ଚଳରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି । ନାଟକ ଚାଲିଥିବା ସମୟରେ ହଠାତ୍ ବାଣରୁ ଲାଗିଲା ନିଆଁ । ଦେଖୁଦେଖୁ ରାମାୟଣ ନାଟକ ମଞ୍ଚଟି ହୁତୁହୁତୁ ହୋଇ ଜଳିଯାଇଛି । ଏହି ଭୟାବହ ଦୃଶ୍ୟ ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ମିଳିଥିବା ସୂଚନା ମୁତାବକ, କୁକୁଡ଼ାଖଣ୍ଡି ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ କାଳିମନ୍ଦୀର ଛକ ନିକଟରେ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା । ଏହି ଉତ୍ସବ ଉପଲକ୍ଷେ ସେଠାରେ ଦୁଇ ପାର୍ଟି ରାମାୟଣ ନାଟକର ଆୟୋଜନ କରାଯାଇଥିଲା ।

ଏହା ବି ପଢ଼ନ୍ତୁ... Crime News : ବନ୍ଧୁକ ଧରି ୩ ଯୁବକଙ୍କ ଆତଙ୍କରାଜ, ଜଣକୁ କାବୁ କଲା ପୁଲିସ, ୨ ଫେରାର୍

ଶତାଧିକ ଦର୍ଶକ ନାଟକର ମଜା ନେଉଥିବା ବେଳେ, ହଠାତ୍‌ ଏକ ଦୃଶ୍ୟ ସମୟରେ ଫୁଟାଯାଇଥିବା ବାଣର ନିଆଁ ସ୍ପାର୍କ ହୋଇ ମଞ୍ଚ ଉପରେ ପଡ଼ିଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଦେଖୁଦେଖୁ ବଉଳଝୁଳି ପାର୍ଟିର ସମ୍ପୂର୍ଣ୍ଣ ସେଟ୍‌ ଓ ମଞ୍ଚଟିରେ ନିଆଁ ଲାଗିଯାଇଥିଲା । ମଞ୍ଚରେ ନିଆଁ ଲାଗିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏବଂ କମିଟି ସଦସ୍ୟମାନେ ତୁରନ୍ତ ସତର୍କତା ଅବଲମ୍ବନ କରିଥିଲେ । ବିନା କୌଣସି ବିଳମ୍ବରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଏହି ସମ୍ପର୍କରେ ସୂଚନା ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଠିକ୍ ସମୟରେ ନିଆଁକୁ ଲିଭାଇ ଦିଆଯାଇଥିବାରୁ ଏକ ବଡ଼ ବିପତ୍ତି ଟଳିଯାଇଛି ଏବଂ ସମସ୍ତ କଳାକାର ଓ ଦର୍ଶକ ସୁରକ୍ଷିତ ଥିବା ଜଣାପଡ଼ିଛି ।