ଶିବାଜୀଙ୍କ ଉପରେ ବୟାନକୁ ନେଇ ମହାରାଷ୍ଟ୍ରରେ ନୂଆ ବିବାଦ, ବିଜେପି ନେତାଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ

PIC- INTERNET
ମୁମ୍ୱାଇ: ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ କୋଙ୍କଣ ଅଞ୍ଚଳରେ ହୋଇଥିଲା। ଏପରି ଦାବି କରିଛନ୍ତି ମହାରାଷ୍ଟ୍ର ବିଜେପିର ଏମଏଲସି ପ୍ରସାଦ ଲାଡ। ବିଜେପି ନେତାଙ୍କ ଏପରି ବୟାନ ଆସିବା ପରେ ରାଜ୍ୟରେ ନୂଆ ବିବାଦ ଆରମ୍ଭ ହୋଇଛି। ଏନେଇ ଶିବସେନା ନେତା ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି ଯେ ବିଜେପି କଣ ଐତିହାସିକ ଗବେଶଣା ପାଇଁ ନୂଆ ପରିଷଦ ଗଠନ କରିଛି ?
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ସଞ୍ଜୟ କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ମହାରାଷ୍ଟ୍ର ଦକ୍ଷିଣ ପୁଣେ ଜିଲ୍ଲା ଶିୱନେରୀରେ ହୋଇଥିଲା। କୋଙ୍କଣ କ୍ଷେତ୍ର ରାୟଗଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା। ଶିବାଜୀ ମହାରାଜଙ୍କ ଉପରେ ଟିପ୍ପଣୀକୁ ନେଇ ଜୋରଦାର ହେଉଛି ଚର୍ଚ୍ଚା। ଏହାପରେ ରବିବାର ଲାଡ଼ ଟ୍ୱିଟରରେ ଭିଡିଓ ସେୟାର କରି କ୍ଷମା ମାଗିଛନ୍ତି।
ଭିଡିଓ ସେୟାର କରି ସେ କହିଛନ୍ତି, ଯଦି ତାଙ୍କ ବୟାନ କୌଣସି ଲୋକଙ୍କ ଭାବନାକୁ ଆହତ କରିଛି ତେବେ ସେମାନଙ୍କୁ କ୍ଷମା ମାଗୁଛି। କୋଙ୍କଣ ଛତ୍ରପତି ଶିବାଜୀଙ୍କ କର୍ମଭୂମୀ। କୋଙ୍କଣରେ ‘ସ୍ୱରାଜ’ ମଞ୍ଜି ବୁଣାଯାଇଥିବା କଥା କେହି ଭୁଲି ପାରିବେ ନାହିଁ ବୋଲି ଲାଡ କହିଛନ୍ତି।